ନୂଆଦିଲ୍ଲୀ() ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ୩.୭ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ୨୦୧୯-୨୦ କୃଷି ବର୍ଷ ନିମନ୍ତେ ଏହି ମୂଲ୍ୟକୁ କ୍ୟାବିନେଟ୍ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଧାନ କ୍ୱିଣ୍ଟଲ ପିଛା ଦର ୬୫ ଟଙ୍କା ବଢି ୧ହଜାର ୮ଶହ ୧୫ଟଙ୍କା ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆର୍ଥିକ ବ୍ୟାପାର କମିଟି ବିଭିନ୍ନ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର ନେଇ ଦେଇଥିବା ପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ ଖରିଫ ଋତୁ ନିମନ୍ତେ ଚଣା, ମୁଗ ଓ ହରଡାଲିର ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ସ୍ୱୀକୃତି ମିଳିଛି।
ପ୍ରସ୍ତାବ ଅନୁସାରେ ଚଣା କ୍ୱିଣ୍ଟଲ ପିଛା ୧୨୫, ମୁଗ ୭୫ ଓ ହରଡ ମୂଲ୍ୟରେ ୧ଶହ ଟଙ୍କା ବୃଦ୍ଧି ଲାଗି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଛଡା ଚିନା ବାଦାମ କ୍ୱିଣ୍ଟଲ ପିଛା ଦରରେ ୨୦୦ ଓ ସୋୟାବିନ ୩୧୧ ଟଙ୍କା ବୃଦ୍ଧି ହୋଇଛି। ସେହିପରି ମଧ୍ୟମ କପା ମୂଲ୍ୟରେ ପ୍ରତି କ୍ୱିଣ୍ଟଲ ୧୦୫ ଓ ଲମ୍ବା କପା ପ୍ରତି କ୍ୱିଣ୍ଟଲ ୧୦୦ ଟଙ୍କା ବୃଦ୍ଧି ହୋଇଥିବା ବୈଠକ ଶେଷରେ କୃଷିମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
