Odia News Portal

ପାଟକୁରା ନିର୍ବାଚନ ପରେ ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟରେ ନୂତନ ସରକାର ଗଠନ ହେବାକୁ ଇତିମଧ୍ୟରେ ୨ ମାସ ଅତିକ୍ରମ କରିଛି । ତେବେ ସରକାର ଗଠନ ହେବା ପରେ ସରକାରୀ ଅଧିକାରୀଙ୍କସ୍ତରରେ ଅଦଳ ବଦଳ ପ୍ରକ୍ରିୟା ଏକ ନିୟମିତ କାର୍ଯ୍ୟ । ଇତିମଧ୍ୟରେ ରାଜ୍ୟ ସରକାର  ଆଇଏଏସ୍ ଓ ଓଏଏସ୍ ଅଧିକାରୀଙ୍କସ୍ତରରେ ଦୁଇଟି ପର୍ଯ୍ୟାୟରେ ବଡ଼ଧରଣର ଅଦଳବଦଳ କରିଛନ୍ତି । କିନ୍ତୁ ଆଇପିଏସ୍ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଏସ୍ପିଙ୍କସ୍ତରରେ ସେପରି ଅଦଳ ବଦଳ ହୋଇନାହିଁ । ଅନ୍ୟ ବିଭାଗ ଭଳି ପର୍ଯ୍ୟାୟକ୍ରମେ ନ ହୋଇ ଆଇପିଏସ୍ ଅଧିକାରୀଙ୍କ ଅଦଳବଦଳ ଏକ ସଙ୍ଗରେ ହୋଇଥାଏ । ଏହାକୁ ଦୃଷ୍ଟି ଦେଲେ ଖୁବ୍ଶୀଘ୍ର ଆଇପିଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ ଖୁବ୍ଶୀଘ୍ର ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ରଥଯାତ୍ରା ପରେ ଏହି ଅଦଳବଦଳ ହେବା ନେଇ ସୂଚନା ମିଳିଥିବା ବେଳେ ବର୍ତ୍ତମାନ କିନ୍ତୁ ପାଟକୁରା ଉପନିର୍ବାଚନ ଶେଷ ହେବା ପରେ କୌଣସି ବି ଦିନ ସରକାର ବରିଷ୍ଠ ପୁଲିସ ଅଧିକାରୀଙ୍କସ୍ତରରେ ବଦଳି ତାଲିକା ପ୍ରକାଶ କରିପାରନ୍ତି ବିଶ୍ୱସ୍ଥସୂତ୍ରରୁ ଜଣାପଡ଼ିଛି ।
ତେବେ ବର୍ତ୍ତମାନ ସମୟରେ ପୁଲିସ ମହାନିର୍ଦ୍ଦେଶକ ସ୍ୱେଚ୍ଛାକୃତ ଅବସର ନେବା ନେଇ ସ୍ପଷ୍ଟ କରିଥିବା ବେଳେ ଏହି ବଦଳି ସମୟରେ ପରବର୍ତ୍ତୀ ପୁଲିସ ମୁଖିଆ କିଏ ହେବ ସେ ନେଇ ମଧ୍ୟ ସରକାର ବିଚାର ଆରମ୍ଭ କରିଥିବା ଜଣାପଡ଼ିଛି । ଏହାବାଦ୍ କ୍ରାଇମବ୍ରାଞ୍ଚ ମୁଖ୍ୟ ଭାବେ ଗତ ୨ ବର୍ଷ ହେବ କାର୍ଯ୍ୟ କରୁଥିବା ସନ୍ତୋଷ ଉପାଧ୍ୟୟ ଉକ୍ତ ବିଭାଗରେ ବେଶ୍ କିଛିଦିନ ରହିଲେଣି । ତେଣୁ ତାଙ୍କୁ ମଧ୍ୟ ପରବର୍ତ୍ତନ କରାଯିବାରର ସମ୍ଭାବାନ ରହିଛି । ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଦେବାଶିଷ ପାଣିଗ୍ରାହୀଙ୍କୁ ମଧ୍ୟ ବଦଳି ହେବେ ।  ସେହିପରି ବର୍ତ୍ତମାନର ପୁଲିସ କମିଶନର ଥିବା ସତ୍ୟଜିତ ମହାନ୍ତି ଖୁବ୍ କମ୍ଦିନ ମଧ୍ୟରେ ଡିଜିପି ପାହ୍ୟାକୁ ପଦୋନ୍ନତି ପାଇବେ । ତାଙ୍କ ଚାକିରୀକାଳ ମଧ୍ୟ ଆଉ ଏକବର୍ଷ ରହିଛି । ସେଥିପାଇଁ ତାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇ ସରକାର ସତ୍ୟଜିତ ମହାନ୍ତିଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରାଯିବାର ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ ନୂତନ ପୁଲିସ କମିଶନର ନିଯୁକ୍ତି କରାଯିବ । ତେବେ ମିଳିଥିବା ସୂଚନା ଅନୁଯାୟୀ, ରେଞ୍ଜ ଡିଆଇଜିଙ୍କ ବଦଳି ନିର୍ବାଚନ ପୂର୍ବରୁ ହୋଇଥିବାରୁ ସେମାନଙ୍କ କ୍ଷେତ୍ରରେ ବଦଳି ସମ୍ଭାବନା କ୍ଷୀଣ ରହିଛି । କିନ୍ତୁ ବିଭିନ୍ନ ଜିଲ୍ଲାର ଏସ୍ପିଙ୍କ ଅଦଳବଦଳ ନିଶ୍ଚିତ ହେବ ବୋଲି ଜଣାପଡ଼ିଛି । ସେହିପରି ନିର୍ବାଚନ ପୂର୍ବରୁ ବଦଳି ହୋଇ ଅନ୍ୟ ଜିଲ୍ଲାକୁ ଯାଇଥିବା କିଛିଜଣ ଏସ୍ପି ବର୍ତ୍ତମାନ ଯେଉଁ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେଠାରେ କାର୍ଯ୍ୟ ଜାରି ରଖିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଏଥିପାଇଁ କିଛି ଏସ୍ପି ଲିଖିତ ଭାବେ ଏନେଇ ପୁଲିସ ମୁଖିଆ ଓ ଗୃହ ବିଭାଗର ଅଧିକାରୀଙ୍କୁ ଜଣାଇଛନ୍ତି । ତାହା ଉପରେ ମଧ୍ୟ ସରକାର ବିଚାର କରିପାରନ୍ତି । ଏକ୍ଷେତ୍ରରେ ମିଳଥିବା ସୂଚନା ଅନୁଯାୟୀ, ପୂର୍ବରୁ ପୁରୀ ଜିଲ୍ଲାରେ କାର୍ଯ୍ୟ କରୁଥିବା ସାର୍ଥକ ଷଢ଼ଙ୍ଗୀ ବର୍ତ୍ତମାନ ରାଉରକେଲାରେ ଅବସ୍ଥାପିତ । କିନ୍ତୁ କୌଣସି କାରଣ ଯୋଗୁଁ ସେ ଉପକୂଳ ଜିଲ୍ଳାକୁ ଫେରିବାକୁ ଇଚ୍ଛୁକ । ସେହିପରି ବର୍ତ୍ତମାନ କଟକ ଡିସିପି ଭାବେ କାର୍ଯ୍ୟ କରୁଥିବା ଅଖିଳେଶ୍ୱର ସିଂଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରେ । ତେବେ ସୂଚନା ଅନୁଯାୟୀ, ବଦଳି ନେଇ ବିଧିବଦ୍ଧ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଡେପୁଟେସନରେ ଥିବା ଅଧିକାରୀଙ୍କୁ ପୁଣିଥରେ ରାଜ୍ୟକୁ ଫେରାଇବା ପାଇଁ ସରକାର ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ତେଣୁ ଅଧିକାରୀମାନେ ଡେପୁଟେସନରୁ ଫେରିବେ କି ନାହିଁ ତାହା ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ କଲେ ଚୂଡ଼ାନ୍ତ ବଦଳି ତାଲିକା ପ୍ରକାଶ ପାଇବ ।