Odia News Portal

ବିଶ୍ବଭୂଷଣଙ୍କୁ ଅଡୁଆ : କୋଟିଆ ଓ ପୋଲାଭରମ

ଭୁବନେଶ୍ୱର : ସୁଖର କଥା ରାଜ୍ୟ ବିଜେପିର ବରିଷ୍ଠ  ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନ୍ଧ୍ରପ୍ରଦେଶ ଭଳି ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ରାଜ୍ୟପାଳଭାବେ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତିକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ଉତ୍ସାହ ଦେଖାଦେଇଥିଲେ ହେଁ ରାଜ୍ୟପାଳ ବିଶ୍ୱଭୂଷଣଙ୍କ ପାଇଁ ଅନେକ ଅଡ଼ୁଆ ପରିସ୍ଥିତି ସୃଷ୍ଟିହେବାକୁ ଯାଉଛି ।

କୋଟିଆ ସୀମା ବିବାଦ ଓ ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ରପ୍ରେଦଶ-ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି । ଏହି ବିବାଦରେ ଓଡ଼ିଶାର ସ୍ୱାର୍ଥକୁ ବଳିପକାଯିବ ନାହିଁ ବୋଲି ପୂର୍ବତନ ଆଇନ, ରାଜସ୍ୱମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଅତୀତରେ ବିଧାନସଭାରେ ଓ ବାହାରେ ବିଭିନ୍ନ ଅବସରରେ କହିଛନ୍ତି । ନବ ନିଯୁକ୍ତ ରାଜ୍ୟପାଳ ଶ୍ରୀ ହରିଚନ୍ଦନ କୋଟିଆ ସୀମା ବିବାଦ ଓ ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ରପ୍ରେଦଶ-ଓଡ଼ିଶା ମଧ୍ୟରେ କିପରି ସମନ୍ୱୟ ରକ୍ଷା କରି ବିବାଦର ସମାଧାନ କରିବେ ତାହା ହିଁ ବଡ ପ୍ରଶ୍ନ ।

୧୯୪୨ ମସିହାରେ ଇଂରେଜ ପ୍ରଶାସକ ଜି.ଏସ. ଗିଲ୍‌ବେଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଏପର‌୍ୟ୍ୟନ୍ତ ଆନ୍ଧ୍ରପ୍ରେଦଶ-ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗିରହିଛି । ଏହି ବିବାଦରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକର ୨୧ଟି ଗ୍ରାର ୪୫୦୦ଗ୍ରାମବାସୀ କେଉଁ ରାଜ୍ୟର ଅଧିବାସୀ ହେବେ ତାହା ସ୍ଥିର କରିପାରୁନାହାଁନ୍ତି । ୧୯୬୧ ମସିହାରେ କେନ୍ଦ୍ର ସରକାର ଏହି ମାମଲାରେ ହସ୍ତକ୍ଷେପ କରିଥିଲେ ହେଁ କୌଣସି ସମାଧାନର ସୂତ୍ର ବାହାରି ନପାରିବାରୁ ୧୯୬୮ରୁ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଏପରିକି ଏହି ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବ୍ୟତୀତ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପକୁ ନେଇ ମଧ୍ୟ ଆନ୍ଧ୍ରପ୍ରେଦଶ-ଓଡ଼ିଶା ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ବିନା  ଜନଶୁଣାଣୀରେ ଆନ୍ଧ୍ରପ୍ରେଦଶ ସରକାର ପୋଲାଭରମ ପ୍ରକଳ୍ପ ୨୦୦୫ରୁ ଆରମ୍ଭ କରିବା ପରେ ଓଡ଼ିଶା ପକ୍ଷରୁ ଏହାର ବିରୋଧ କରାଯାଉଛି । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ମାଲକାନଗିରି ଜିଲ୍ଲାର ୧୫ଟି ରାଜସ୍ୱଗ୍ରାମ, ୧୦ଟି ପଡ଼ା ଗ୍ରାମର ୭୦୦୦ ଲୋକ ବାସହରାଇବେ । ଏଥିରେ ୫୯୧୬ଜଣ ଆାଦିବାସୀ ଥିବାବେଳେ ୯୦୨ଜଣ ବଙ୍ଗାଳୀ ଅଛନ୍ତି ।

ଉଭୟ ମାମଲା ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଉଠିବ । ଏପରିକି ବିଧାନସଭାର ଅଧିବେଶନକାଳରେ ରାଜ୍ୟପାଳ ହିସାବରେ ଶ୍ରୀ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ସରକାରଙ୍କ କଥାକୁ ଅଭିଭାଷଣରେ ରଖିବାକୁ ବାଧ୍ୟହେବେ । ଏପରି କଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ସ୍ୱାର୍ଥ ବିରୋଧି ବୋଲି ବିରୋଧିଙ୍କ ଦ୍ୱାରା ସମାଲୋଚିତ ହେବେ । ତେଣୁ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଇଁ କୋଟିଆ ସୀମା ବିବାଦ ଓ ପୋଲାଭରମ ପ୍ରକଳ୍ପ ଅଡ଼ୁଆ ହେବ ବୋଲି ଆଲୋଚିତ ହେଉଛି ।