ଭୁବନେଶ୍ୱର : ରାଜଧାନୀରେ କମିଶନରେଟ ପୁଲିସ୍ ଏବେ ଏକ ପ୍ରକାର ବାଉଳା । ଅପରାଧିଙ୍କୁ କେଉଁପଟୁ ଘେରିବ
ତାହାର କୁଳ କିନାରା ପାଉନାହିଁ । କେତେବେଳେ ଡ୍ରଗ୍ସ ବେପାରୀଙ୍କ ପଛରେ ସବୁ ବଳ ଖଟାଉଛି ତ ଆଉ କେତେବେଳେ ଡ୍ୟାନ୍ସବାର୍ ପଛରେ । ଥୋକେ ପାଉଡର ପାର୍ଟିଙ୍କୁ ଧରି ଭିତରେ ପୂରାଇବାପରେ ଏବେ ଡ୍ୟାନ୍ସବାର ଉପରେ ଚଢଉ କରି ନିଜେ ଆଇନ୍ ଜାଲରେ ଛନ୍ଦିହେବାରେ ଲାଗିଛି । ଡ୍ୟାନ୍ସବାର ମାଲିକମାନେ ଅବକାରୀ ବିଭାଗକୁ ଦୋଷ ଦେବା ସହିତ ପୁଲିସ୍କୁ ନାଲିକୋଠା ପର୍ଯ୍ୟନ୍ତ ଟାଣିବାକୁ ସଜବାଜ ହେଲେଣି । ତେବେ ପୁଲିସ୍ ବାବୁମାନେ ଯେତେ ଯାହା କଲେ ବି ରାଜଧାନୀରେ ନିଶାଡି ଓ ଅପରାଧିଙ୍କ କାଣ୍ଡ କାରଖାନା ଦିନକୁ ଦିନ ବଢିବାରେ ଲାଗିଛି । ରାଜଧାନୀରେ ଏବେ ପ୍ରତିଦିନ କେଉଁଠୁ ନା କେଉଁଠୁ ଛୋଟ ବଡ ଅପରାଧର ଖବର ଆସୁଛି । ଏଥିପାଇଁ ପୁଲିସ୍ର ନିଦ ହଜିଗଲାଣି ।

ବର୍ତ୍ତମାନର ପୁଲିସ୍ ଡିଜି କମିଶନର ଥିବାବେଳେ ୨୦୧୫ ମାର୍ଚ୍ଚ ମାସରେ ମଦ ଦୋକାନୀଙ୍କ ପାଇଁ ଜାରି କରିଥିବା କଟକଣାକୁ କେହି ମାନୁ ନାହାନ୍ତି । ବିଶେଷକରି ମଦ ଦୋକାନ ଆଗରେ ଦୋକାନୀ ସିସିଟିଭି ଲଗାଇବା ଓ ଆଖପାଖରେ ଚାଖଣା ଦୋକାନ ହଟାଇବାକୁ କୁହାଯାଇଥିଲା । ହେଲେ ଏହାକୁ ମାନୁଛି କିଏ । ମଦଦୋକାନୀଟି ଅନ୍ଧାରରେ ସିସିଟିଭି
କ୍ୟାମେରା ଲଗାଇ କାମ ସାରିଦେଇଥିବାବେଳେ ଚାଖଣା ବେପାରୀଙ୍କ ସଂଖ୍ୟା ବି ବଢି ବଢି ଚାଲିଛି । ରାଜଧାନୀରେ
ରାତିହେଲେ ମଦୁଆମାନେ କିଭଳି ରାସ୍ତାଘାଟରେ ଉତ୍ପାତ କରନ୍ତି ତାହା ଦେଖିବାପାଇଁ ବେଶି ଦୂର ନୁହେଁ ଏୟାରପୋର୍ଟ
ଛକରେ ଥିବା ମଦଦୋକାନ ନିକଟକୁ ଗଲେ ଯେ କେହି ଦେଖିପାରିବ । ଡ୍ରଗ୍ସ ବେପାରୀଙ୍କ ପରେ କମିଶନରେଟ ପୁଲିସ୍
ଡ୍ୟାନ୍ସବାର ଚଢଉ କରୁଥିବାବେଳେ ଚୋରମାନେ ଲୋକଙ୍କ ଘରେ ଚଢଉ କରିବାରେ ଲାଗିଛନ୍ତି । ତେଣୁ ପ୍ରଥମେ ମଦ
ଦୋକାନ ପାଖରେ ପୂର୍ବଭଳି ପୁଲିସ୍ର କଡା ପହରା ସାଙ୍ଗକୁ ସହରରେ ଅଧିକ ସଂଖ୍ୟାରେ ସିସିଟିଭି ସ୍ଥାପନ ଓ ପୁଲିସ୍
ଗୁଇନ୍ଦା ବ୍ୟବସ୍ଥାକୁ ସକ୍ରିୟ କରିବାପାଇଁ ପୂର୍ବତନ ପୁଲିସ୍ ଅଧିକାରୀମାନେ ମତ ଦେଉଛନ୍ତି । ଏହା ନହେଲେ ଯେତେଯାହା କଲେ ବି ଅପରାଧିଙ୍କୁ ଜବତ କରିବା ଦିନକୁ ଦିନ ମହଙ୍ଗା ପଡିବ ।