ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳର କୌଣସି ନେତାଙ୍କୁ ଏହି ପଦରେ ବସାଯାଇନାହିଁ । ସଂସଦର ମୌସୁମୀ ଅଧିବେଶନ ପରେ କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ବୈଠକରେ ଦଳର ନୂଆ ଅଧ୍ୟକ୍ଷଙ୍କ ଉପରେ ଆଲୋଚନା ହୋଇ ନିଷ୍ପିତ୍ତି ନିଆଯିବ ବୋଲି ଜଣାପଡିଛି ।
କଂଗ୍ରେସର ବରିଷ୍ଠ ନେତା ସାମ୍ ପିଟ୍ରୋଡା ଦଳର ପୁନର୍ଗଠନ ପାଇଁ ୨୦ ସୂତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବରେ ଦଳକୁ କର୍ପୋରେଟ୍ ଷ୍ଟାଇଲ୍ରେ ଚଳାଇବା ପାଇଁ ସେ କହିଛନ୍ତି । ଏହା ସହିତ ଦଳରେ ମୁଖ୍ୟ ଟେକ୍ନିକାଲ୍ ଅଫିସରଙ୍କୁ ନିଯୁ୍କ୍ତି କରିବା, ମାନବସମ୍ବଳ ବିଭାଗ ଗଠନ କରିବା ସହିତ ଦଳର ପ୍ରତ୍ୟେକ ପଦାଧିକାରୀ ଉତ୍ତରଦାୟୀ ହେବାକୁ ଶ୍ରୀ ପିଟ୍ରୋଡ୍ ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ।
ପିଟ୍ରୋଡା ତାଙ୍କ ପ୍ରସ୍ତାବରେ ମିଶନ ୨୦-୨୦ ଅଭିଯାନ ରଖିଛନ୍ତି । ମିଶନ ୨୦-୨୦ ଅନୁସାରେ ପାର୍ଟି ନିଜ ରଣନୀତି ପ୍ରସ୍ତୁତ କରିବା ସହିତ ଆଗାମୀ ୬୦ ଦିନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ହେବ । ଦେଶର ପ୍ରତ୍ୟେକ ଜିଲ୍ଳାରେ ଦଳ ପକ୍ଷରୁ ସିପିଓ ନିଯୁକ୍ତି କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏହି ସିପିଓ ଅଧିକାରୀ ସୋସିଆଲ୍ ମିଡିଆଠାରୁ ଆରମ୍ଭ ୍କରି ବିରୋଧୀଙ୍କୁ କିଭଳି ଜବାବ ଦେବାକୁ ହେବ ସେ ଦିଗରେ କାମ କରିବେ ।
ଦଳରେ ମାନବ ସମ୍ବଳ ବିକାଶ ପଦ୍ଧତି ଲାଗୁ କରିବାକୁ ଶ୍ରୀ ପିଟ୍ରୋଡ୍ା ଗୁରୁତ୍ୱ ଦେଇଛନ୍ତି । ଏପରିକି ଦଳର ବୋର୍ଡ ମେମ୍ବର ୧୦ ଜଣରେ ସୀମିତ ରଖି ଏହାକୁ କର୍ପୋରେଟ୍ ଷ୍ଟାଇଲ୍ରେ ପରିଚାଳିତ କରିବାକୁ ସେ ଉଲ୍ଲେଖ କରିଛନ୍ତି । ଏହି ସଦସ୍ୟ ମାନଙ୍କ ମଧ୍ୟରେ ଶିଳ୍ପ, ଅର୍ଥ, ବ୍ୟବସାୟ, ଭିତ୍ତିଭୂମି ଆଦି ସେକ୍ଟରର ଲୋକଙ୍କୁ ନେବା ପାଇଁ ପିଟ୍ରୋଡା ମତ ଦେଇଛନ୍ତି ।
