ବିଧାନସଭାରେ ଉପସ୍ଥାପନ ହେଲା କୁନ୍ଦୁଲି ରିପୋର୍ଟ । କୁନ୍ଦୁଲି ନାବାଳିକା ଦୁଷ୍କର୍ମ,ଆତ୍ମହତ୍ୟା ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯାଇଛି । ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ।ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଏବେ ରହସ୍ୟମୟ ହୋଇଯାଇଛି । ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ଅଧିକ ତଦନ୍ତ ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ତଦନ୍ତର ଅଗ୍ରଗତି ସର୍ମ୍ପକରେ ଗଣମାଧ୍ୟମରେ ନ କହିବାକୁ ପୋଲିସ, ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କୁନ୍ଦୁଲି ଛକରୁ ପୀଡିତାଙ୍କ ପ୍ରତିମୂର୍ତ୍ତି ହଟାଇବା ଆବେଦନକୁ ମଧ୍ୟ ସରକାରଙ୍କ ପକ୍ଷରୁ ଅଗ୍ରାହ୍ୟ କରାଯାଇଛି ।
ଗତକାଲି ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ସପ୍ତାହରେ ସାରି ରିପୋର୍ଟ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାସହ ଏସଆଇଟି ଗଠନ କରି ତଦନ୍ତ କରିବା ପାଇଁ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ ।
ସୂଚନାଯୋଗ୍ୟ, ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ମୂଷାଗୁଡ଼ାର ଜଣେ ନବମ ଶ୍ରେଣୀର ଛାତ୍ରୀ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ । ସେଠାରୁ ସେ କାମ ସାରି ଫେରୁଥିବା ବେଳେ ଖାନ୍ଦା ଘାଟିର ୪ଜଣ ଯବାନ ତାଙ୍କୁ ଗଣବଳାତ୍କାର କରିଥିଲେ । କୁନ୍ଦୁଲି ପୀଡ଼ିତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା । ତାଙ୍କୁ ଚିକିତ୍ସାପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ନ୍ୟାୟ ନ ପାଇ ସେ ୨୦୧୮ ଜାନୁଆରୀରେ ଓ ଆତ୍ମହତ୍ୟା କରିଥିଲେ ।
