ଭୁବନେଶ୍ୱର : କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ର ୧୦ମ ଜାତୀୟ ମାନବ ସମ୍ବଳ କନ୍କ୍ଲେଭ ଶନିବାର ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ‘କ୍ରିଟିକାଲ୍ କମ୍ପିଟେନ୍ସିଜ୍ ଫର୍ ଦି ଫ୍ୟୁଚର: ଇଜ୍ ଚେଞ୍ଜ ଦି ଓନ୍ଲି କନ୍ଷ୍ଟାଣ୍ଟ? ବିଷୟବସ୍ତୁ ଉପରେ ଭାରତର ବହୁ ପ୍ରମୁଖ ମାନବ ସମ୍ବଳ ବିଶେଷଜ୍ଞ ଯୋଗଦେଇ ଆଲୋଚନା କରିଥିଲେ । କନ୍କ୍ଲେଭକୁ ଉଦ୍ଘାଟନ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କୌଣସି ଅନୁଷ୍ଠାନ ପାଇଁ ମାନବ ସମ୍ବଳ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ମାନବ ସମ୍ବଳ ପରିଚାଳନାରେ କିଟ୍ ଓ କିସ୍ ଜ୍ୱଳନ୍ତ ଉଦାହରଣ । ମାନବ ସମ୍ବଳର ଉକ୍ରୃଷ୍ଟ ପରିଚାଳନା ପାଇଁ ଆଜି କିଟ୍ ଓ କିସ୍ ଦୁଇଟି ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ ହୋଇପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଏଥିପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଆଜି ଭାରତର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି ।
ବର୍ତ୍ତମାନ ସମୟରେ ବ୍ୟବହାରିକ ଜ୍ଞାନ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟ କ୍ଷେତ୍ରରେ ପୁସ୍ତକ ଜ୍ଞାନ ଅପେକ୍ଷା ବ୍ୟବହାରିକ ଜ୍ଞାନର ଯଥେଷ୍ଟ ଉପଯୋଗିତା ରହିଛି ବୋଲି ସେ କହିଥିଲେ । ବିଷୟବସ୍ତୁ ଉପରେ ସୂଚନା ପ୍ରଦାନ କରି କଣ୍ଟେମ୍ପୋର ଲିଡର୍ସିପ ସଲ୍ୟୁସନ୍ର ଆଣ୍ଡ ସର୍ଭିସେସ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ସଞ୍ଜୟ ମୁଥଲ ବର୍ତ୍ତମାନ ପ୍ରତିଯୋଗିତାମୂଳକ ଯୁଗରେ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଓ ମାନବ ସମ୍ବଳରେ ଗୁଣାତ୍ମକ ପ୍ରତିଯୋଗିତା ଉପରେ ଅଲୋକପାତ କରିଥିଲେ । ବାସ୍ତବ ଜୀବନ ଅଭିଜ୍ଞତା ଜଣକୁ ମାନବ ସମ୍ବଳରେ ରୂପାନ୍ତରିତ କରିପାରେ ବୋଲି କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ସୂଚନା ଦେଇ କହିଲେ, ବିଶ୍ୱର ପରିବର୍ତ୍ତନ ସହ କର୍ମଚାରୀମାନେ ଗ୍ରାମ୍ୟ ଜଗତ ଓ ସାଇବର ଜଗତ ମଧ୍ୟରେ ସମନ୍ୱୟ ରକ୍ଷା କରିପାରୁନାହାନ୍ତି । କିଟ୍ ମ୍ୟାନେଜମେଣ୍ଟ ସ୍କୁଲ୍ ନିର୍ଦ୍ଦେଶକ ପ୍ରଫେସର ଅନୀଲ ବାଜପେୟୀ କହିଲେ, ମ୍ୟାନେଜମେଣ୍ଟ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ଜ୍ଞାନର ବ୍ୟବହାରିକ ବିକାଶ ନିମନ୍ତେ ସେମାନଙ୍କୁ ବିଭିନ୍ନ ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି ଅବସରରେ ଆୟୋଜିତ ପ୍ୟାନେଲ୍ ଆଲୋଚନାରେ ଭାଗନେଇ ଆଲୋଚକମାନେ ସାଂପ୍ରତିକ ପ୍ରତିଯୋଗିତାମୂଳକ ପ୍ରେକ୍ଷାପଟ୍ଟରେ ଚପଳତା, ଅନୁକୂଳଶୀଳତା ଓ ସହାନୁଭୂତି ଭବିଷ୍ୟତର ମାନବ ସମ୍ବଳ ପରିଚାଳକଙ୍କ ନିମନ୍ତେ ଜଟିଳ ହେବାର ସମ୍ଭାବନା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ପ୍ୟାନେଲ୍ ଆଲୋଚନାରେ ବର୍ତ୍ତମାନ ସମୟରେ ମାନବ ସମ୍ବଳ ପରିଚାଳନାରେ ତୀବ୍ର ପରିବର୍ତ୍ତନ ଦେଖା ଦେଇଥିବା ବେଳେ ଅଂଶୀଦାରମାନଙ୍କ ଆଶା ବଢ଼ିବାରେ ଲାଗିଛି । ଏହି ପରିସ୍ଥିତିରେ ପରିବର୍ତ୍ତନକୁ ଶୀଘ୍ର ଗ୍ରହଣ କରି ଖାପ୍ ଖୁଆଇବାର ଆବଶ୍ୟକତା ଦେଖାଦେଇଛି । ଏଥିପାଇଁ ଅନୁଷ୍ଠାନଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ନୂତନ କୌଶଳ ଆପଣାଇବା ପାଇଁ ସୁଯୋଗ ଦିଆଯିବା ଉଚିତ । ଏହି କନ୍କ୍ଲେଭ୍ରେ ଦେଶ ବହୁ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନର ମାନବସମ୍ବଳ ପରିଚାଳନା ମୁଖ୍ୟ ଯୋଗଦେଇ ଆଲୋଚନାର ଭାଗ ନେଇଥିଲେ ।
