Odia News Portal

କେନ୍ଦ୍ର ପଣ୍ୟାଗାର ନିଗମ ସ୍ଥାନାନ୍ତିକରଣକୁ ବିଜେଡିର ବିରୋଧ

ଭୁବନେଶ୍ବର : କେନ୍ଦ୍ର ପଣ୍ୟାଗାର ନିଗମ ସ୍ଥାନାନ୍ତରକୁ ବିରୋଧ କରି ଭୁବନେଶ୍ୱର ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ୍ରେ ଥିବା କେନ୍ଦ୍ରୀୟ ପଣ୍ୟାଗାର ନିଗମ କାର୍ଯ୍ୟାଳୟକୁ ଭୁବନେଶ୍ୱରରୁ ବିହାରକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।

ଓଡିଶା ପ୍ରତି ବୈମାତୃକ ମନୋଭାବର ଏହି ନିଷ୍ପତ୍ତିକୁ ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ପଣ୍ୟାଗାର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସ୍ୱରୂପ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ରବି ସାମଲ, ରାଜ୍ୟ ସଂପାଦକ ଦୁର୍ଗା ସାମନ୍ତରାୟ ଓ ଜିଲ୍ଲା ସଭାପତି ଅମରେଶ ଜେନାଙ୍କ ନେତୃତ୍ୱରେ ପଣ୍ୟାଗାର ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

କେନ୍ଦ୍ରର ଏହି ନିଷ୍ପତ୍ତିର ପୁନଃ ବିଛାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ବିଜେଡି ଭୁବନେଶ୍ୱର ସଂପାଦକ ସମରେନ୍ଦ୍ର ସାହୁ, ଜିଲ୍ଲାପରିଷଦ ସଦସ୍ୟ କୁନାଲ ରାଉତ, ମହିଳା ସଭାନେତ୍ରୀ ଭାରତୀ ସିଂ, ଯୁବ ସଭାପତି ଅମରଜିତ୍ ସେନାପତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର  ସହିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇ ଏହାକୁ ବିରୋଧ କରିଥିଲେ ।

    ( ଭୁବନେଶ୍ୱରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )