Odia News Portal

ହଜିଗଲା ମାନବିକତା, ଶବ ଦାହ ପାଇଁ ଗାଁରୁ କେହି ଆସିଲେ ନାହିଁ କି ଗାଁ ମଶାଣି ବି ଦେଲେନାହଁ

ଜଳେଶ୍ବର : ହଜିଯାଇଛି ମାନବିକତା । ପିଣ୍ଢାରେ ପଡିରହିଛି ସ୍ବାମୀଙ୍କ ମରଶରୀର । ସ୍ବାମୀଙ୍କ ଶବ ଦାହ ପାଇଁ ଗାଁରୁ କେହି ଆସିଲେ ନାହିଁ କି ଗାଁ ମଶାଣି ବି ଦେଲେନାହଁ । ସକାଳରୁ ସନ୍ଧ୍ୟା ଯାଏଁ   ପିଣ୍ଢାରେ ପଡ଼ିରହିଲା ଶବ । ସ୍ତ୍ରୀ, ପୁଅ ଓ ଝିଅ ଗାଁ ମାଲିକଙ୍କ ହାତଧରି କାନ୍ଦି ନେହୁରା ହୋଇଥିଲେ ବି କେହି ବୁଝିବାକୁ ନଥିଲେ । ଶେଷରେ ଦାହ ପାଇଁ ଗାଁଠାରୁ ୧୪ କି.ମି. ଦୂରକୁ ନେବାକୁ ପଡିଥିଲା ଶବ । ତେବେ ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ନଛିମପୁର ପଞ୍ଚାୟତ ଆମ୍ବଳିଅଠା ଗାଁରେ ।

ସୂଚନାଯୋଗ୍ୟ ଯେ, ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ଭୂପତି ଜେନାଙ୍କ ସାନ ପୁଅ ଗିରିଜାଶଙ୍କରଙ୍କ ସହ ଗତ ୫ ମାସ ତଳେ ଗାଁ ମାଲିକ ଓ ନର୍ଦ୍ଧିଷ୍ଟ କିଛି ବ୍ୟକ୍ତିଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇ  ଜଳେଶ୍ବର ଥାନା କେସ୍ ହୋଇଥିଲା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ଗିରିଜାଶଙ୍କରଙ୍କ ବାପା ଭୂପତି ଜେନାଙ୍କର ମୃତ୍ୟୁ ହୋଇଥିଲା । ଗାଁର ନୀତି ଓ ପ୍ରଥା ଅନୁସାରେ ଶବ ସତ୍କାର ପାଇଁ ବଡ଼ପୁଅ ଭବାନୀ ଗାଁକୁ ଯାଇ ଗାଁ ମାଲିକ ସମେତ ଗାଁ ଲୋକଙ୍କୁ ଡ଼ାକି ଥିଲେ ବି କେହି ଆସିବେ ନାହିଁ ବୋଲି କହିଥିଲେ । ଚିନ୍ତାରେ ପଡିଯାଇଥିଲେ ମୃତ ପରିବାରର ଲୋକେ ।

ପରେ ମୃତ ଭୁପତିଙ୍କ ସ୍ତ୍ରୀ ଅଞ୍ଜଳି, ସାନପୁଅ ଗିରିଜାଶଙ୍କର, ଝିଅ ଅମ୍ବିକା, ବୋହୁ ରଶ୍ମିରେଖା ଗାଁ ମାଲିକଙ୍କ ପାଖକୁ ଯାଇ କାକୁତି ମିନତି ହେବାପରେ ବି ଗାଁ ମାଲିକ ଶୁଣି ନଥିଲେ । ଫଳରେ  ନିରାଶ ହୋଇ ଘରକୁ ଫେରି ପରିବାର ଲୋକ ଭାଙ୍ଗି ପଡ଼ିଥିଲେ । ଏଭଳି ପରିସ୍ଥିତିକୁ ଦେଖି ସ୍ତ୍ରୀ ଅଞ୍ଜଳି ପୁଅ, ଝିଅ ଓ ବୋହୂ ଅପରାହ୍ନରେ ନ୍ୟାୟ ପାଇଁ ଜଳେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ପାଇନଥିଲେ । ପରେ ସନ୍ଧ୍ୟାରେ ୪ ପୁଅଙ୍କ କାନ୍ଧରେ ଘରଠାରୁ ୧୪ କି.ମି. ଦୂର ରାଜଘାଟ ସୁବର୍ଣ୍ଣରେଖା ନଦୀକୂଳକୁ ନେଇ ଶବ ଦାହ କରି ରାତିରେ ଘରକୁ ଫେରିଥିଲେ ।