ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାର ଅବକାରୀ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ଟ୍ରକରୁ ଚୋରା ବିଦେଶୀ ମଦ ଜବତ । ଟ୍ରକ୍ ରୁ ମଦ ଅନଲୋଡିଂ ଚାଲିଥିବା ବେଳେ ବହଳଦା ଥାନା ପୋଲିସ ଟ୍ରକକୁ ଜବତ କରିଛି । ଟ୍ରକରେ ଥିବା ୨ଶହ ପେଟିରୁ ଉର୍ଦ୍ଧ୍ବ ଚୋରା ବିଦେଶୀ ମଦର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଚୋରା ମଦ ଭର୍ତ୍ତି ଟ୍ରକ୍ ସହ ଦୁଇ ଜଣ ଶ୍ରମିକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।
ପୋଲିସ ଚଢାଉ କଲା ବେଳେ ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲେ । ଉକ୍ତ ଚୋରା ମଦ ବହଳଦା ବଜାରର ମଦ ବ୍ୟବସାୟୀ ଡବୁ ସାହୁର ବୋଲି ଜଣାପଡିଛି । ତେବେ ଅବକାରୀ ବିଭାଗ କାର୍ଯ୍ୟାଳୟ ନିକଟରେ ଟ୍ରକରେ ମଦ ଅନଲୋଡିଂ ହେଉଥିବା ବେଳେ ଅବକାରୀ ବିଭାଗ ନ ଜାଣିପାରିବା ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
