Odia News Portal

ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସ୍ବାଧୀନତା ଦିବସ ସଚେତନତା ସୃଷ୍ଟି ସମାବେଶ

ଭୁବନେଶ୍ବର : ସ୍ବାଧୀନତା ଦିବସକୁ ନିର୍ବିଘ୍ନ ଏବଂ ଆନନ୍ଦ ଉଲ୍ଲାସ ସହିତ ପାଳନ କରିବା ପାଇଁ ବିଜେବି କଲେଜର ଛାତ୍ର ଛାତ୍ରୀମାନେ କରିଛନ୍ତି ସଚ୍ଚେତନତା ସମାବେଶ। ଛାତ୍ର ଛାତ୍ରୀମାନେ ରାଷ୍ଟ୍ରର ଏକ ବଡ ଶକ୍ତି । ଛାତ୍ର ଶକ୍ତି ଆଗକୁ ଆସିଲେ ଦେଶର ସୁରକ୍ଷା ଓ ସମୃଦ୍ଧି ଆଗକୁ ବଢିବ । ଏଥିପାଇଁ ଆଜି ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ବିଶାଳ ସମାବେଶ ଆୟୋଜନ କରିଥିଲେ ।
ଜସଶ୍ୱୀ ଦାସଙ୍କ ନେତୃତ୍ୱରେ ଏହି କାର‌୍ୟ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ସହପାଠୀମାନେ ମଧ୍ୟ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ବାରା ଆୟୋଜିତ ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଆତଙ୍କବାଦୀ ଆକ୍ରମଣର ଭୟ ରହିଥିଲେ ମଧ୍ୟ ସ୍ବାଧୀନତା ଦିବସକୁ ସୁରକ୍ଷିତ ଓ ଜାକଜମକରେ ପାଳନ କରିବା। ଗତ ୫ତାରିଖରେ ଗୃହ ମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ୩୭୦ ଧାରା ଉଚ୍ଛେଦ ପରେ କାଶ୍ମୀର ଘାଟିରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା।
ତେବେ ଗତ କାଲି କାଶ୍ମୀର ଘାଟିରେ ଇଦ ପାଳନ ଶାନ୍ତିପୂର୍ଣ୍ଣ ଥିଲା। ତେଣୁ ସମ୍ବିଧାନରେ ଏହି ପରିବର୍ତ୍ତନ ସତ୍ତ୍ବେ ଦେଶରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ। ତେଣୁ ସମସ୍ତେ ଏକତ୍ରିତ ହୋଇ ମହାଡ଼ମ୍ବରରେ ସ୍ୱାଧୀନତା ଦିବସ ପାଳନ କରିବା, ଜାତୀୟ ପତକାକୁ ସମ୍ମାନ ଦେବା, ଜାତି ଧର୍ମ ବର୍ଣ୍ଣ ନିବିଶେଷରେ ସମସ୍ତେ ଭାରତୀୟ ବୋଲି ଗର୍ବ କରିବା ପାଇଁ ବିଜେବି କଲେଜ ଛାତ୍ରଛାତ୍ରୀ ଉଦବୋଧନା ଦେଇଥିଲେ । ଗତକାଲି ଜମ୍ମୁ-କାଶ୍ମିର ଓ ଲଦାଖରେ ଇଦପାଳନ ହେବା ପରେ ଅଧିକାଂଶ ଅଂଚଳରେ ପୂର୍ବ ପରି ସ୍ୱଭାବିକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହାକୁ ନେଇ ସାରା ଦେଶବାସୀ ମିଳିତ ଭାବେ ଆଉ ଏକ ପାଦ ଆଗକୁ ବଢ଼ିବା ପାଇଁ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନ ପାଳନ କରିବାକୁ ଅନୁରୋଧ କରିଛନ୍ତି ।