Odia News Portal

ସୋସିଆଲ ମିଡିଆ ମାଧ୍ୟମରେ ବିଜେଡିକୁ ଘାଇଲା କରୁଛନ୍ତି ଦଳୀୟ ନେତା

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରୁ ବିଧାୟକ ହେଲେ । ଭୋଟ ବେଳେ ଲୋକଙ୍କୁ କହିଲେ ଆମେ କିଛି ନୁହେଁ, ସବୁ ହେଉଛନ୍ତି ନବୀନ । ଲୋକେ ବି ନବୀନଙ୍କ ମୁହଁକୁ ଚାହିଁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ପିଟିଲେ । ବିଧାୟକ ହେବାପରେ କିନ୍ତୁ କିଛି ବିଜେଡି ନେତାଙ୍କ ରଙ୍ଗ ବଦଳିବାରେ ଲାଗିଛି । ଉପରକୁ ଦଳପ୍ରୀତି ଦେଖାଉଥିଲେ ବି ଭିତରେ
ଭିତରେ ବିଜେଡି ବିରୁଦ୍ଧରେ ଗୋଟି ଚଳାଉଛନ୍ତି । ଆଉ ଏହି ଦଳ ବିରୋଧି କାର୍ଯ୍ୟରେ ମୋହରା ସାଜିଛନ୍ତି କିଛି ସରକାରୀ ଅଧିକାରୀ ଓ ସୋସିଆଲ ମିଡିଆ ।ଗତ କିଛିଦିନ ଧରି ବିଜେଡି ନେତାଙ୍କ ଏଭଳି ଆଚରଣ ଲକ୍ଷ୍ୟ କରାଯାଉଛି । ପ୍ରଥମେ ମନ୍ତ୍ରୀ ପଦ ନପାଇ କିଛି ଅସନ୍ତୁଷ୍ଟ ଥିଲେ । ଏହାପରେ ଆସିଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀ । ସେଥିରୁ ବି କିଛି ଟାଣୁଆ ବଞ୍ଚିତ ହେଲେ । ଏହାପରେ ରହିଛି ନିଗମ ମୁଆଁ । ହେଲେ ରାଜ୍ୟର ଅଧିକାଂଶ ନିଗମରେ ନାଲିବତୀ ଜଳୁଥିବାରୁ କ୍ଷମତା ଆଶାୟୀ ଏହି ବିଧାୟକମାନେ ଏବେ ଧୈର୍ଯ୍ୟହରା ହେବାରେ ଲାଗିଛନ୍ତି ।

ଅସନ୍ତୋଷକୁ କୌଣସି ପ୍ରକାରେ ଲୋକଙ୍କ ନଜରରୁ ଚାପି ରଖିଥିଲେ ବି ଭିତରେ ଭିତରେ ଗୋଟି ଚଳାଉଛନ୍ତି । ଏହି ଗୋଟି ଚାଳନାରେ କିଛି ସରକାରୀ ଅଧିକାରୀ ମଧ୍ୟସ୍ଥତା ସାଜୁଛନ୍ତି । କିଭଳି ନେତାଙ୍କ ଅସନ୍ତୋଷର ଖବର ଗୁଡିକ ବଭିନ୍ନ ସୋସିଆଲ ମିଡିଆରେ ସ୍ଥାନ ପାଇବ ତାହାର ବ୍ୟବସ୍ଥା
କରିଦେଉଛନ୍ତି । ବିଧାନସଭା ଅଧିବେଶନ ପରେ ଏହି ପ୍ରକ୍ରିୟା ଜୋରଦାର ହୋଇଛି । ବିଧାନସଭା ଚାଲିଥିବାବେଳେ ସମସ୍ତଙ୍କ ଉପରେ ଗୁଇନ୍ଦା ନଜର ଥିବାରୁ ମାଟି କାମୁଡି ରହିଥିଲେ । ଅବଶ୍ୟ ଗୃହରେ ଅନେକ ଉପସ୍ଥିତ ରହିଲେ ବି ସରକାରକୁ
ଯେଭଳି ଢଙ୍ଗରେ ସୁରକ୍ଷା ଦେବାକଥା ତାହା ଲକ୍ଷ୍ୟ କରାଯାଉନଥିଲା । ଓଲଟା ସରକାରୀଦଳର କିଛି ବିଧାୟକ ବେଳେବେଳେ ସରକାରଙ୍କୁ ଭାଣ୍ଡିଆ କରିବାକୁ ପଛାଉ ନଥିଲେ ।
ଅଧିବେଶନ ସରିଲାପରେ ପରେ ଏବେ ଭିତରେ ଭିତରେ ଚାଲିଛି ଚେରକଟା ପର୍ବ । ନିଜର କିଛି ଅନୁଗତ କର୍ମୀଙ୍କୁ ବି କାମରେ ଲଗାଯାଇଛି । ନେତାଙ୍କ ନାଁ ଗାଁ ଯେଭଳି କୌଣସି ସ୍ଥିତିରେ ପଦାକୁ ଆସିବନାହିଁ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିଯୋଗୁଁ ବିଧାନସଭା ପରେ ପରେ ଏବେ ବିଭିନ୍ନ ସୋସିଆଲ ମିଡିଆରେ ବିଜେଡି ଉପରେ ଜୋରଦାର ଆକ୍ରମଣ ହେବାପରେ ଲାଗିଛି । ଏପରିକି ସରକାରଙ୍କ ସଫଳତାର ଖବର ଅତି ଦୟନୀୟ ହୋଇ ପ୍ରକାଶ ପାଉଥିବାବେଳେ ବିରୋଧିଙ୍କ ବକ୍ତବ୍ୟ ଓ ଉଡା ଖବର ଅତି ଜୋରଦାର ଭାବେ ପ୍ରକାଶିତ ହେବାରେ ଲାଗିଛି । ଦଳ
ଭିତରେ ରହି ବିଜେଡିର କିଛି ବିଧାୟକ ଚଳାଇଥିବା ଏଭଳି ଘରଭଙ୍ଗା କାର୍ଯ୍ୟ ଏବେ ଦଳୀୟ ନେତାଙ୍କୁ ଚିନ୍ତାରେ ପକାଇଲାଣି । ତୁରନ୍ତ ଏହି ବିଭୀଷଣମାନଙ୍କୁ ଠାବ କରି ସେମାନଙ୍କ ମୁଖା ନଖୋଲିଲେ କ୍ୟାନସରରୋଗ ଭଳି ଏମାନେ
ବିଜେଡିକୁ ଗ୍ରାସିଯିବେ ବୋଲି କୁହାଯାଉଛି ।

( ଭୁବନେଶ୍ୱରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )