Odia News Portal

ବିଧାନସଭା ଶୀତଅଧିବେଶନରେ କୋଟିଆ ତାତି

ବିଧାନସଭା ଶୀତ ଅଧିବେଶନକୁ ପୁରା ଗରମ କରି ରଖିଛି କୋଟିଆ ପ୍ରସଙ୍ଗ । ଅଧିବେଶନ ଆରମ୍ଭ ଦିନରୁ ଏହି ପ୍ରସଙ୍ଗକୁ ନେଇ ଗୃହକୁ ହୁଲୁସ୍ତୁଲୁ କରୁଛି ବିରୋଧୀ କଂଗ୍ରେସ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସର ବିଧାୟକମାନେ କୋଟିଆ ସମସ୍ୟାକୁ ନେଇ ସରକାରକୁ ଘେରିବା ସହିତ ଗୃହକୁ ଅଚଳ କରୁଛନ୍ତି । ପ୍ରଥମ ଦିନରୁ ହିଁ ଏହାକୁ ନେଇ ବିଧାନସଭା ବାରମ୍ବାର ଅଚଳ ହେଉଛି । ଲଗାତାର ଏହି ପ୍ରସଙ୍ଗ ଯୋଗୁ ବିଧାନସଭାର ତୃତୀୟ ଦିନ କାର୍ଯ୍ୟଦିବସ ଠପ୍‌ ହୋଇଥିଲା । କୋଟିଆ ଉପରେ ଆଲୋଚନା ଦାବି ଜିଦ୍‌ରେ ଅଟଳ ରହିଛି ବିରୋଧୀ କଂଗ୍ରେସ ।  ତେବେ ଏହାରି ଭିତରେ କୋଟିଆ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି । ବିଧାନସଭାରେ କୋଟିଆ ସମସ୍ୟାର ଆଲୋଚନା ନହେଲେ ଆତ୍ମାହୁତି ଦେବେ ବୋଲି ରୋକଠୋକ ଶୁଣାଇଦେଇଛନ୍ତି କଂଗ୍ରେସ ଏହି ବରିଷ୍ଠ ବିଧାୟକ। ଓଡ଼ିଶା, ଆନ୍ଧ୍ର ଏବଂ କେନ୍ଦ୍ରରେ ଟ୍ରିପିଲ ଇଂଜିନ ସରକାର ଚାଲିଛି । ଏହି ଟ୍ରିପିଲ ଇଂଜିନ ସରକାରରେ କୋଟିଆର ସମାଧାନ ହେଇପାରିବ । ସରକାରଙ୍କୁ ଏହା ଅନୁରୋଧ କରି ଆମେ ବିଧାନସଭାକୁ ବନ୍ଦ କରୁଛୁ । କୋଟିଆ ହେଉଛି ଓଡ଼ିଆ ସ୍ବାଭିମାନର କଥା । କୋଟିଆ ପାଇଁ ଏକ ବିଧାନସଭା ଗୃହ କମିଟି ଗଠନ କରାଯାଉ । ଏଥିସହ କୋଟିଆ ଉପରେ ବିଧାନସଭାରେ ଆଲୋଚନା ହେବାର ଆବଶ୍ୟକତା ରହିଛି । କିନ୍ତୁ ସରକାରଙ୍କ ଏଥିପ୍ରତି ଦରଦ ନାହିଁ । ଯଦି ସରକାର ବିଧାନସଭାରେ କୋଟିଆ ପ୍ରସଙ୍ଗରେ ଆଲୋଚନା ନକରନ୍ତି ତେବେ ଆତ୍ମାହୁତି ଦେବେ ବୋଲି କଡା ଭାଷାରେ ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ।

ଆହୁରି ମଧ୍ୟ କୋଟିଆ ପ୍ରସଙ୍ଗରେ ତାରା ବାହିନୀପତି ନବୀନଙ୍କୁ କାଠଗଡ଼ାକୁ ଟାଣି ବିଜେଡି ସରକାରକୁ ମଧ୍ୟ ବାଣ ମାରିଛନ୍ତି, ସରକାରରେ ଥିବା ବେଳେ ନବୀନ ବାବୁ ଯାହା କହୁଥିଲେ ପ୍ରଧାନମନ୍ତ୍ରୀ ତାହା ଶୁଣୁଥିଲେ, ତେଣୁ ନବୀନ ପଟ୍ଟନାୟକଙ୍କ ସରକାର ଚାହିଁଥିଲେ କୋଟିଆ ସମସ୍ୟାର ସମାଧାନ ହୋଇପାରିଥାନ୍ତା । ସେପଟେ ତାରା ଦେଇଥିବା ଚେତାବନୀକୁ ତିବ୍ର ସମାଲୋଚନା କରିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସେ କହିଛନ୍ତି କୋଟିଆ ସମସ୍ୟା ଏବେକାର ସମସ୍ୟା ନୁହଁ, ଏହା ହେଉଛି 50 ବର୍ଷର ସମସ୍ୟା । କୋଟିଆ ସମସ୍ୟା ପାଇଁ କଂଗ୍ରେସ କ’ଣ କରିଛି? ତାର ଗୋଟେ ଚିଠା ତାରା ବାହୀନିପତି ପ୍ରସ୍ତୁତ କରନ୍ତୁ । ଆତ୍ମାହୁତି ବିଜେଡି ସମୟରେ ଦେଇଥିଲେ ଭଲ ହୋଇଥାନ୍ତା ଆମେ କାହିଁକି ସେ ଦୋଷ ମୁଣ୍ଡାଇବୁ । ବିଜେଡି ସମୟରେ ଆତ୍ମାହୁତି ଦେଇଥିଲେ ଦୋଷ ବିଜେଡି ମୁଣ୍ଡରେ ଯାଇଥାନ୍ତା ବୋଲି ତାତ୍ସଲ୍ୟ କରି ସନ୍ତୋଷ ଖଟୁଆ କହିଛନ୍ତି ।