Odia News Portal

ବିଧାୟକଙ୍କ ମରଶରୀରକୁ କାନ୍ଧଦେଲେ ମୁଖ୍ୟମନ୍ତ୍ରୀ

ରାଜନୀତିରେ ନେତା ଓ କର୍ମୀଙ୍କ ସମ୍ପର୍କ କେବଳ ଦଳୀୟ ନୁହେଁ, ବରଂ ଭାବନା ଓ ଆତ୍ମୀୟତାର ମଧ୍ୟ ପ୍ରତୀକ । ଏହାର ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁରେ । ଦଳର ଦିବଙ୍ଗତ ବିଧାୟକଙ୍କ ଶେଷଯାତ୍ରାରେ ନିଜେ କାନ୍ଧ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ । ଖାଲି ପାଦରେ ପ୍ରାୟ ୨ କିଲୋମିଟରରୁ ଅଧିକ ବାଟ ଚାଲି ଦିବଙ୍ଗତ ନେତାଙ୍କୁ ଶେଷ ବିଦାୟ ଦେଇଛନ୍ତି ବିଜୟ ।

ତାମିଲନାଡୁ ରାଜନୀତିରେ ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି । ଦିବଙ୍ଗତ କୋଲାଥୁର ବିଧାୟକ ଭି.ଏସ୍. ବାବୁଙ୍କ ଶେଷଯାତ୍ରାରେ ସାମିଲ ହୋଇ ନିଜେ ତାଙ୍କ ମୃତଦେହକୁ କାନ୍ଧ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ । ଜଣେ ବିଧାୟକଙ୍କ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେବଳ ଏକ ରାଜନୈତିକ ସମ୍ପର୍କ ନଥାଏ ଥାଏ ଆତ୍ମୀୟତା ଆଉ ଭଲପାଇବାର ସମ୍ପର୍କ ।

୭୫ ବର୍ଷୀୟ ଭି.ଏସ୍. ବାବୁଙ୍କର ଗୁରୁବାର ହୃଦ୍‌ଘାତରେ ପରଲୋକ ହୋଇଥିଲା । ଦୀର୍ଘ ସମୟ ଧରି ଶ୍ୱାସକ୍ରିୟା ସମ୍ବନ୍ଧୀୟ ଜଟିଳତାରେ ପୀଡ଼ିତ ଥିବା ବାବୁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଶୁକ୍ରବାର ତାଙ୍କର ଶେଷକୃତ୍ୟ ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ନିଜେ ମୃତଦେହକୁ କାନ୍ଧ ଦେଇ ଘରୁ ବାହାରକୁ ଆଣିଥିଲେ । ଏହାପରେ ଜୋତା ଖୋଲି ଖାଲି ପାଦରେ ଶବବାହୀ ଗାଡ଼ି ସହ ପ୍ରାୟ ୨.୩ କିଲୋମିଟର ରାସ୍ତା ଚାଲିଥିଲେ ।ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଦଳୀୟ କର୍ମୀ ଓ ସାଧାରଣ ଲୋକ ଭାବବିହ୍ୱଳ ହୋଇପଡ଼ିଥିଲେ । ଦିବଙ୍ଗତ ବିଧାୟକଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହ ତାଙ୍କ ପୁଅକୁ ଆଲିଙ୍ଗନ କରି ସମବେଦନା ଜଣାଇଥିଲେ ବିଜୟ ।

ଭି.ଏସ୍. ବାବୁ ୨୦୨୬ ନିର୍ବାଚନରେ କୋଲାଥୁର ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କୁ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ । ଦିବଙ୍ଗତ ବିଧାୟକଙ୍କ ସମ୍ମାନରେ ତାମିଲନାଡୁରେ ୭ ଦିନିଆ ଶୋକ ପାଳନ କରିବାକୁ ତାଙ୍କ ଦଳ ଘୋଷଣା କରିଛି । ଦଳୀୟ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ସହ ପ ପାର୍ଟି ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଜଣେ ନେତାଙ୍କ ଶେଷଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭାବପ୍ରବଣ ସାମିଲ ହେବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।