Odia News Portal

ରାଜଧାନୀରେ ଚର୍ଚ୍ଚା, ଗେଣ୍ଡୁମାଳ ପାଇଁ ୩୫ହଜାର …

ଭୁବନେଶ୍ୱର : ନିଗମ, ବୋର୍ଡ ଓ ଉପଦ୍ଦେଷ୍ଟା ମୁଆଁ ପାଇଲାପରେ ବିଜେଡିର କିଛି ନେତା ଏବେ ବାଉଳା ଚାଉଳା ହେଉଛନ୍ତି । କିଏ ସୋସିଆଲ ମିଡିଆରେ ଫଟୋ ଛାଡୁଛି ତ ଆଉ କିଏ ଗେଣ୍ଡୁମାଳ ଯୋଗାଡରେ ଅଛି । ହେଲେ ସମସ୍ତଙ୍କୁ ଟପିଯାଇଛନ୍ତି ମୁଆଁ ପାଇଥିବା ରାଜଧାନୀ ଉପକଣ୍ଠର ଜଣେ ଯୁବନେତା । ନେତା ଜଣଙ୍କ ଇତି ମଧ୍ୟରେ ଗେଣ୍ଡୁମାଳ ପାଇଁ ୩୫ହଜାର ଟଙ୍କା ଉଡାଇ ଦେଇଥିବାର ଚର୍ଚ୍ଚା ଜୋର ଧରିଛି ।
ନେତା ଜଣଙ୍କ ପ୍ରଥମେ ବିଜେଡିରେ ଥିଲେ । ହେଲେ ଟିକଟ ପାଇବାର ଆଶା ନଦେଖିବାରୁ ବିଜେପିକୁ ଡେଇଁଲେ । କିନ୍ତୁ
ସେଠାରେ ବି ସମଦଶା ଭୋଗିବାପରେ କୌଣସି ପ୍ରକାରେ ପୂର୍ବଦଳ ବିଜେଡିକୁ ଫେରିଲେ । ନବୀନଙ୍କ ଆର୍ଶୀବାଦରୁ ମୁଆଁ ମିଳିଲା । ହେଲେ ନବୀନଙ୍କ ସରଳ ଜୀବନ ମନକୁ ଭୁଲିଗଲେ । ମୁଆଁ ପାଇଲା ପରେ ନିଯୁକ୍ତ ହୋଇଥିବା ସଂସ୍ଥାରେ ମାଳ ପିନ୍ଧିବାକୁ ବାବୁ ଇତି ମଧ୍ୟରେ ୩୫ହଜାର ଟଙ୍କା ଉଡାଇ ଦେଇଛନ୍ତି । ତେବେ ସବୁଠାରୁ ମଜାର କଥା ହେଉଛି ମାଳ ପିନ୍ଧିବାପରେ ତାଙ୍କ ପୂର୍ବ ବାବୁଙ୍କ କଥା ଶୁଣି ମୁଣ୍ଡ ଘୂରାଇ ଦେଇଛି । ପୂର୍ବରୁ ଥିବା ବାବୁ ଜଣଙ୍କ ବି ଏଭଳି ଗେଣ୍ଡୁ କାରବାର କରିଥିଲେ । ମୁୁଖ୍ୟମନ୍ତ୍ରୀଙ୍କର ବିଶ୍ୱସ୍ତ ଥିଲେ । ହେଲେ ଟିକେ ଏପଟ ସେପଟ ହେବାକୁ ଏବେ କେଉଁ କୂଳର ନୁହନ୍ତି । ସେ ଏବେ ନେତା ହୋଇପାରୁନାହାନ୍ତି କି ଜନତାଙ୍କୁ
ମୁହଁ ଦେଖାଇ ପାରୁ ନାହାନ୍ତି । ତେଣୁ ୩୫ହଜାର ଉଡାଇଥିବା ବାବୁଙ୍କର କି ଅବସ୍ଥା ହେବ ସେହିକଥା ଏବେ ସିଏ ନିଯୁକ୍ତ ହୋଇଥିବା ସଂସ୍ଥା ଠାରୁ ଆରମ୍ଭକରି ସାରା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।
     ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )