ଭୁବନେଶ୍ୱର : ବାବୁଙ୍କର ମନ ହେଲା କର୍ମଚାରୀଙ୍କୁ ଖୁସି କରିବା । କର୍ମଚାରୀ ବି ମଉକା ଅପେକ୍ଷାରେ ଥିଲେ । ପ୍ରସ୍ତୁତ ହେଲା ଭିତରକନିକା ବୁଲା ଯୋଜନା । ହେଲେ ପିକ୍ନିକ୍ରେ ଗଲେ ହାତରୁ ପଇସା ଦେବାକୁ ପଡିବ । ତେଣୁ ଖୋଜା ଗଲା କେଉଁ ଯୋଜନାରେ ଗଲେ ସରକାରୀ ପଇସାରେ ଭିତରକନିକାରେ ଭୋଜିଭାତ ହୋଇପାରିବ । ଏତିକି ବେଳେ ମନେ ପଡିଲା ସ୍ୱଚ୍ଛ ଭାରତ କଥା । ନିଷ୍ପତ୍ତି ହେଲା ଭିତରକନିକାରେ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ରାଜଧାନୀରୁ କର୍ମଚାରୀ ଯିବେ । ସେଇଆ ବି ହେଲା । ଖାତାରେ ସ୍ୱଚ୍ଛ ଭାରତ- କ୍ଷେତ୍ରରେ ମଉଜ ମସ୍ତି ।
ଏଭଳି ଘଟଣା ଘଟିଛି ରାଜଧାନୀରେ ଥିବା ସମନ୍ୱିତ ଉପକୂଳ ବିକାଶ (ଆଇସିଜେଡ୍) । ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଥିବା ଏହି ସଂସ୍ଥାର ଅଧ୍ୟକ୍ଷ ଅଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପାଧ୍ୟକ୍ଷ ଜଣେ ବରିଷ୍ଠ ପ୍ରଶାସକ । ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଲାଗୁ ପାଇଁ ସମସ୍ତେ ଲାଗି ପଡିଥିବାବେଳେ ପ୍ରଶାସକ ଜଣଙ୍କ କିଭଳି ଏହାକୁ ଫୁ କରିଦେଲେ ତାହାକୁ ନେଇ ରାଜଧାନୀରେ ଚର୍ଚ୍ଚା । ସ୍ୱଚ୍ଛ ଭାରତ ନାଁରେ ଦପ୍ତରର ସମସ୍ତ କର୍ମକାରୀଙ୍କୁ ଶୀତତାପ ନିୟନ୍ତ୍ରିତ ବସ୍ରେ ବାବୁ ପଠାଇଲେ ଭିତର କନିକା । ସେଠାରେ ପୂର୍ବରୁ ସୁସ୍ୱାଦୁ ଭୋଜନର ବରାଦ ହୋଇଥିଲା । ସମସ୍ତେ ପହଞ୍ଚି ଟିଫିନ ପରେ ଲଞ୍ଚ ଖାଇଲେ । ଭଲରେ ବୁଲାବୁଲି କରି ପୁଣି ଶୀତତାପ ନିୟନ୍ତ୍ରିତ ବସ୍ରେ ରାଜଧାନୀ ଫେରିଲେ । ବାବୁ ଖୁସ୍ କର୍ମଚାରୀ ବି ଖୁସ୍ । ସ୍ୱଚ୍ଛ ଭାରତ କେଉଁଠି ହେଲା ତାହାର ଖବର ନାହିଁ ଆଇସିଜେଡ୍ ଦପ୍ତରର କର୍ମଚାରୀମାନଙ୍କୁ ଏଭଳି ଆପ୍ୟାୟିତ କରିବାପରେ ବାବୁଙ୍କ ଅଧିନରେ ଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର କର୍ମଚାରୀମାନଙ୍କ ପାଳି ପଡିଲା । ସେମାନଙ୍କୁ ସେଇ ସମାନ ଫର୍ମୁଲାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ କାଳିଜାଇ ବୁଲାଇ ନେବାପାଇଁ ସ୍ଥିର ହେଲା ।
ରବିବାର ଦିନ କର୍ମଚାରୀମାନେ ଯିବେ ବୋଲି ଠିକ୍ ହୋଇଥିଲା । ରାଜଧାନୀରୁ ବସ୍ରେ ବରକୁଳ ଓ ସେଠାରୁ ସିଡିଏ ଲଞ୍ଚରେ ଯାଇଥାନ୍ତେ । ଏଥିପାଇଁ କାଳିଜାଇ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ଆଲର୍ଟ କରାଯାଇଥିଲା । ଖାନା ପିନାର ସବୁ ବ୍ୟବସ୍ଥା ହୋଇଥିଲା । ହେଲେ ଏଥିରେ ଇନ୍ଦ୍ରଦେବତା ପାଣି ପୂରାଇ ଦେଲେ । ଲଘୁଚାପ ଜନିତ ବର୍ଷାର ସୂଚନା ଆସିବାପରେ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି । କର୍ମଚାରୀମାନଙ୍କୁ ପରବର୍ତ୍ତୀ ରବିବାରରେ ଯିବାକୁ କୁହାଯାଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ରାଜ୍ୟ ସରକାରଙ୍କ ସଂସ୍ଥାରେ ଯଦି ସ୍ୱଚ୍ଛ ଭାରତ ନାଁରେ ଏଭଳି ମଉଜ ମସ୍ତି ଚାଲିବ ତେବେ ୫-ଟି କିଭଳି କାର୍ଯ୍ୟକାରୀ ହେବବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି । ଉଲ୍ଲେଖନୀୟ ଯେ ଉଭୟ ସିଡିଏ ଓ ଆଇସିଜେଡ୍ ଦାୟିତ୍ୱରେ ଜଣେ ବରିଷ୍ଠ ଅଧିକାରୀ ଥିବାବେଳେ ଦୁଇ ସଂସ୍ଥାର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ଅଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ର ଟ୍ରାନ୍ସପରାନ୍ସି ବା ସ୍ୱଚ୍ଛତା ଓ ଟାଇମ୍ ବା ସମୟ ଏଠାରେ କାମକରୁଥିବା ଭଳି ଲକ୍ଷ୍ୟ କରାଯାଉ ନାହିଁ । ବାବୁଙ୍କର ଏଭଳି ଉଦ୍ୟମରେ ରାଜ୍ୟର କିମ୍ବା ରାଜ୍ୟବାସୀଙ୍କର କିଛି ଲାଭ ହେଉ କି ନହେଉ ଭୋଜିଭାତରେ ଆପ୍ୟାୟିତ ହୋଇଥିବା କର୍ମଚାରୀମାନେ କିନ୍ତୁ କିଛିଦିନ ପାଇଁ ଅନେକ କିଛି କାର୍ଯ୍ୟପ୍ରତି ଆଖିବୁଜି ଦେବେ ବୋଲି ଚର୍ଚ୍ଚା ହେଉଛି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )