ନର୍ଥ ସାଉଣ୍ଡ : ଘରୋଇ ୱେଷ୍ଟ ଇଣ୍ଡିଜ୍ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୩୧୮ ରନ୍ରେ ବିଜୟ ହାସଲ କରିଛି । ଅଜିଙ୍କ୍ୟ ରାହାଣେଙ୍କ ଦଶମ ଟେଷ୍ଟ ଶତକ ସହ ବିରାଟ କୋହଲି ଓ ହନୁମା ବିହାରୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୭/୩୪୩ ରନ୍ କରି ପାଳି ଘୋଷଣା କରିଥିଲା । ଜବାବରେ ୪୧୯ ରନ୍ର ଲକ୍ଷ୍ୟର ପିଛା କରି ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ମାତ୍ର ୧୦୦ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଦଳ ପକ୍ଷରୁ କିମାର ରୋଚ ସର୍ବାଧିକ ୩୮ ରନ୍ କରିଥିଲେ । ଭାରତ ପକ୍ଷରୁ ଜଶପ୍ରୀତ ୭ ରନ୍ ପ୍ରଦାନ କରି ୫ଟି ୱିକେଟ୍ ନେଇଥିଲେ ।
ଚତୁର୍ଥ ଦିବସରେ ଭାରତ ଅସମାପ୍ତ ଦ୍ୱିତୀୟ ଇନିଂସ ୩/୧୮୫ ରନ୍ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା କୋହଲି ଓ ରାହାଣେ ଦଳୀୟ ସ୍କୋରରେ ମାତ୍ର ୨ ରନ୍ ଯୋଗ କରିଥିଲେ । କୋହଲି ୫୧ ରନ୍ କରି ରଷ୍ଟନ ଚେଜ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିହାରୀ ରାହାଣେଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୱେଷ୍ଟ ଇଣ୍ଡିଜ୍ ବୋଲରମାନେ ବହୁ ପ୍ରୟାସ କରିଥିଲେ ହେଁ ଯୋଡି ଭାଙ୍ଗି ପାରି ନଥିଲେ । ବିହାରୀ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପଞ୍ଚମ ୱିକେଟ୍ରେ ୧୨୯ ସଂଗୃହୀତ ହୋଇଥିଲା । ଦୀର୍ଘ ୨ ବର୍ଷ ପରେ ଟେଷ୍ଟ କ୍ରିକେଟ୍ରେ ରାହାଣେ ଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୩୨୨ ବେଳେ ବ୍ୟକ୍ତିଗତ ୧୦୨ ରନ୍ କରି ସେ ଆଉଟ୍ ହୋଇଥିଲେ । ବିହାରୀ ଆକର୍ଷଣୀୟ ବ୍ୟାଟିଂ ଜାରି ରଖି ଶତକ ନିକଟତର ହୋଉଥିବାବେଳେ ଧୈର୍ଯ୍ୟ ହରାଇ ବସିଥିଲେ । ଦଳୀୟ ସ୍କୋର ୩୪୩ ବେଳେ ସେ ବ୍ୟକ୍ତିଗତ ୯୩ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ସଙ୍ଗେ ସଙ୍ଗେ ପାଳି ଘୋଷଣା କରିଥିଲା ।
ଅନ୍ୟମାନଙ୍କ ମଧ୍ୟରେ ରିଶଭ ପନ୍ତ ୭ ରନ୍ କରିଥିଲେ । ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ରଷ୍ଟନ ଚେଜ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । କିମାର ରୋଚ, ସାନନ ଗାବ୍ରିଏଲ୍ ଓ ଜାସନ ହୋଲ୍ଡର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୪୧୯ ରନ୍ର ବିଜୟ ଲକ୍ଷ୍ୟ ନେଇ ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଜଶପ୍ରୀତ ବୁମରାଙ୍କ ଘାତକ ସୁଇଂ ବୋଲିଂର ମୁକାବିଲା କରିବା ଘରୋଇ ଦଳର ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା । ୧ ରନ୍ କରି କ୍ରେଗ୍ ବ୍ରାଥ୍ୱେଟ୍ ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ବିପର୍ଯ୍ୟୟ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ତାସ୍ ଘର ପରି ୱେଷ୍ଟ ଇଣ୍ଡିଜ୍ର ବ୍ୟାଟିଂ ବିଭାଗ ଭୁଷୁଡ଼ି ପଡ଼ିଥିଲା । ଜନ କ୍ୟାମ୍ପବେଲ୍ ୭, ସାମରା ବ୍ରୁକ୍ସ ୨, ଡାରେନ ବ୍ରାଭୋ ୨, ସିମରନ ହେତମେୟାର ୧, ସାଇ ହୋପ୍ ୨, ଜାସନ ହୋଲ୍ଡର ୮ ରନ୍ କରି ପାଭିଲିୟନ ଫେରିଥିଲେ । ରଷ୍ଟନ ଚେଜ(୧୨) ଦୁଇ ଅଙ୍କ ଛୁଇଁ ଥିଲେ । ଏକଦା ୫୦ ରନ୍ରେ ଘରୋଇ ଦଳ ୯ଟି ୱିକେଟ୍ ହରାଇ ସାରିଥିବା ବେଳେ କିମାର ରୋଚ ଓ ମିଗ୍ୱେଲ କମିନ୍ସ ଦଶମ ୱିକେଟ୍ରେ ୫୦ ରନ୍ ଯୋଗ କରିଥିଲେ । ୩୧ଟି ବଲ୍ରୁ ଗୋଟିଏ ଚୌକା ଓ ୫ଟି ବିଶାଳ ଛକା ବଳରେ ୩୮ ରନ୍ କରି ରୋଚ ଅନ୍ତିମ ଖେଳାଳି ଭାବେ ଆଉଟ୍ ହୋଇଥିଲେ । କମିନ୍ସ ୧୯ ରନ୍ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଈଶାନ୍ତ ୩ଟି ଓ ସାମି ୨ଟି ୱିକେଟ୍ ନେଇଥିଲେ ।