Odia News Portal

ଏନଏଚ-୪୯ ମରାମତି ଦାବି କଲା ବିଜେପି

ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଦେବଗଡ ସହର ଟ୍ରାଫିକ ଛକଠାରେ ବିଜେପି କର୍ମୀମାନେ ରାସ୍ତାରୋକ କରିଛନ୍ତି । ଦେବଗଡ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଏହାର ମରାମତି କରାଯାଉନଥିବାରୁ ବ୍ୟାପକ ଦୁର୍ଘଟଣା ଘଟୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି  ।

ଜାତୀୟ ରାଜପଥର ଅଧିକାଂଶ ସ୍ଥାନ ଗାଡଖାଲରେ ଭର୍ତ୍ତି ହୋଇଥିବା ବେଳେ ଏହାର ମରାମତି  ନହେବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ପଥର ଗୁଣ୍ଡ ପକାଇବା ଯୋଗୁଁ ରାସ୍ତାରେ ବ୍ୟାପକ ଧୂଳି ଉଡୁଥିବା ଯୋଗୁଁ ଯାତାୟାତ କରି ହେଉନଥିବା ଅଭିଯୋଗ କରିଛନ୍ତି। ଏପରି ସ୍ଥଳେ ଶୀଘ୍ର ୪୯ ନମ୍ବର ଜାତୀୟ ରାଜପଥର ମରାମତି କରାନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।

ଜିଲ୍ଲାର ବାରକୋଟ, କଣ୍ଢଳ, ତିଲେଇବଣି ଆଦି ସ୍ଥାନରେ ରାସ୍ତାରୋକ ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାସ୍ତାରୋକ ଯୋଗୁଁ କୋଲକାତା-ମୁମ୍ବାଇ ମଧ୍ୟରେ ଗାଡି ଚଳାଚଳ ବ୍ୟାହତହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଗାଡି ଅଟକି ରହିଛି ।