Odia News Portal

ଗଣମାଧ୍ୟମକୁ ଲୁଚୁଛନ୍ତି କିଛି ଆର୍ନ୍ତଜାତିକ ସଂସ୍ଥା

ଭୁବନେଶ୍ୱର : ଓଡିଶାରେ କାମ କରିବାପାଇଁ ବିଦେଶରୁ ସହାୟତା ଆଣିବେ । ରାଜ୍ୟ ସରକାରଙ୍କ ଅପାଗତା ଦେଖାଇ ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ । କି କି କାର୍ଯ୍ୟ କରିବେ ତାହାର ବି ରଙ୍ଗୀନ ମ୍ୟାପ ପ୍ରସ୍ତୁତ କରିବେ । ସରକାରୀ ଅଧିକାରୀଙ୍କୁ ଡାକି ରାଜଧାନୀର ତାରକା ହୋଟେଲରେ ଏହି ମ୍ୟାପ ଦେଖାଉଥିବା ଏନ୍‍ଜିଓମାନେ କିନ୍ତୁ ଗଣମାଧ୍ୟମକୁ ଏକ ପ୍ରକାର ଲୁଚୁଥିବା ଲକ୍ଷ୍ୟ କରାଯାଉଛି । ଗତ ଦୁଇ ତିନିଦିନ ଧରି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଆର୍ନ୍ତଜାତିକ ସଂସ୍ଥାମାନେ ରାଜଧାନୀରେ କରୁଥିବା କବାଟକିଳା ଆଲୋଚନାରୁ ଏହା ଲକ୍ଷ୍ୟ କରାଯାଉଛି ।

ବିଶ୍ୱର ସବୁଠାରୁ ବଡ ଏନ୍‍ଜିଓ ସହାୟତାରେ ରାଜ୍ୟର ସହରାଞ୍ଚଳରେ ଜନ୍ମ ନିୟବଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚଳାଇବାପାଇଁ ଅଣ୍ଟା ଭିଡିଥିବା କିଛି ସଂସ୍ଥା ଏବେ ବଡ ଧୂମଧାମ୍‍ରେ ବୈଠକ କରୁଛନ୍ତି । ତାରକା ହୋଟେଲରେ ବୈଠକ ବସୁଛି । ଯୋଜନାର ରଙ୍ଗୀନ ଚିତ୍ର ସରକାରୀ ବାବୁମାନଙ୍କୁ ଦେଖାଯାଉଛି । କିଭଳି କାର୍ଯ୍ୟ ହେବ, କେଉଁମାନେ ଏଥିରେ ସାମିଲ ହେବେ, କି ପ୍ରକାର ଲକ୍ଷ୍ୟ ରଖାଯାଇଛି ତାହା ଲାପ୍‍ଟପ୍‍ ଓ ପ୍ରୋଜେକ୍ଟରରେ ଦେଖାଯାଉଛି । ହେଲେ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଗଣମାଧ୍ୟମ ଠାରୁ ଦୂରେଇ ରଖାଯାଉଛି । ଏହାର କାରଣ ଏବେ କେହି ଜାଣିପାରୁ ନାହାନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ସହିତ ଜଡିତ କିଛି ଆର୍ନ୍ତଜାତୀୟ ସଂସ୍ଥାର ପ୍ରତିନିଧି ଏବେ ଏଭଳି କାରବାରର କାର୍ପଟଦାର ସାଜିଛନ୍ତି ।

କୌଣସି ପ୍ରକାରେ ଗଣମାଧ୍ୟମ ଠାରୁ କାର୍ଯ୍ୟକ୍ରମକୁ ଦୂରେଇ ରଖିବାକୁ ଉଦ୍ୟମ କରୁଛନ୍ତି । କାରଣ ସେମାନେ ଯେଉଁ କାର୍ଯ୍ୟକ୍ରମ କରିବେ ବୋଲି କବାଟକିଳା ଆଲୋଚନା କରୁଛନ୍ତି ସେହିସବୁ କାର୍ଯ୍ୟ ମଧ୍ୟରୁ ଅନେକକୁ ରାଜ୍ୟ ସରକାର ନିଜସ୍ୱ କିମ୍ବା କେନ୍ଦ୍ର ସରକାରଙ୍କ ଅର୍ଥରେ କାର୍ଯ୍ୟକାରୀ କରୁଛନ୍ତି । ଯଦି ଗଣମାଧ୍ୟମ ଏଭଳି ବୈଠକକୁ ଯିବ ତେବେ ସେଠାରେ ପ୍ରଶ୍ନ କରିବା ସ୍ୱାଭାବିକ । ସରକାର କରୁଥିବା କାର୍ଯ୍ୟର ତଥ୍ୟକୁ ନେଇ ତାହାକୁ କେବଳ ନାଲି ନେଳି ରଙ୍ଗ ବୋଳି କମ୍ପ୍ୟୁଟରରେ ଦେଖାଇବା ସହିତ ବିଦେଶୀ ସଂସ୍ଥାଙ୍କୁ ଦେଇ କୋଟି କୋଟି ଟଙ୍କା ହାତେଇବା ପାଇଁ ଏଭଳି ଷଡଯବ ଚାଲିଛି । ସବୁଠାରୁ ବଡ କଥା ହେଉଛି ଓଡିଶାରେ କାର୍ଯ୍ୟ କରୁଥିବା ଆର୍ନ୍ତଜାତୀୟ ସଂସ୍ଥା ଗୁଡିକରେ କେଉଁମାନେ କେବେ ଠାରୁ କି ପ୍ରକାର କାର୍ଯ୍ୟ କରୁଛନ୍ତି ତାହାର ହିସାବ ସରକାର ରଖୁନାହାନ୍ତି । ଯଦିଓ ଏହି କର୍ମଚାରୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହିତ ଯୋଡିହୋଇ ରହିଛନ୍ତି ତଥାପି ସେମାନଙ୍କ ସଂକ୍ରାନ୍ତରେ ଖୋଜ ଖବର ନିଆଯାଉନାହିଁ ।

ଫଳରେ ଏମାନେ କାମ କମ୍‍ କରିବା ସହିତ କିଛି ସରକାରୀ କର୍ମଚାରୀଙ୍କୁ ହାତକରି ସରକାରଙ୍କ କଷ୍ଟାର୍ଜିତ ଡାଟା ହଡପ କରିବାରେ ଲାଗିଛନ୍ତି । ରାଜ୍ୟର ବିକାଶ ହେଉ କି ନହେଉ ସରକାରଙ୍କ ଡାଟାକୁ ନିଜ ନିଜର ଉପର କର୍ମକର୍ତ୍ତାଙ୍କ ନିକଟରେ ଉପସ୍ଥାପନ କରି ସାବାସୀ ପାଉଛନ୍ତି । ତେଣୁ ଆର୍ନ୍ତଜାତିକ ସଂସ୍ଥା ଗୁଡିକ ରାଜ୍ୟର ଗଣମାଧ୍ୟମକୁ ଖୋଦ ରାଜଧାନୀରେ ଏଭଳି ଅଣଦେଖା କରୁଥିବାରୁ ସେମାନଙ୍କ ବୈଠକକୁ ସରକାରୀ ବାବୁମାନେ ବର୍ଜନ କରିବାପାଇଁ ମତପ୍ରକାଶ ପାଉଛି ।

( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )