Odia News Portal

ଦ୍ବିତୀୟ ଟେଷ୍ଟ : ଵିହାରୀଙ୍କ ଶତକ, ବୁମରାଙ୍କ ହ୍ୟାଟ୍ରିକ୍

କିଙ୍ଗଷ୍ଟନ : ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଆଧିପତ୍ୟ ଜାରି ରଖିଛି । ହନୁମା ବିହାରୀଙ୍କ ପ୍ରଥମ ଟେଷ୍ଟ ଶତକ ପରେ ଜଶପ୍ରୀମ ବୁମରା ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି । ଭାରତର ପ୍ରଥମ ଇନିଂସ ୪୧୬ ରନ୍‌ ଜବାବରେ ଘରୋଇ ଦଳ ପ୍ରଥମ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୨ରନ୍‌ରେ ୫ଟି ୱିକେଟ୍‌ ହରାଇଛି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୭ ରନ୍‌ ପ୍ରଦାନ କରି ୫ଟି ୱିକେଟ୍‌ ଅକ୍ତିଆର କରିଥିବା ବୁମରା ଆଜି କିଙ୍ଗଷ୍ଟନ୍‌ରେ ମଧ୍ୟ ନିଜ ଘାତକ ବୋଲିଂର କମାଲ ଦେଖାଇଛନ୍ତି । ଭାରତର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ସେ ୱେଷ୍ଟ ଇଣ୍ଡିଜ୍‌ର ପ୍ରଥମ ୫ଟି ଯାକ ୱିକେଟ୍‌ ଅକ୍ତିଆର କରିଛନ୍ତି ।

ଭାରତୀୟ ବୋଲିଂର ସପ୍ତମ ଓଭର(ବ୍ୟକ୍ତିଗତ ତୃତୀୟ)ରେ ସେ ଓପନର ଜନ କ୍ୟାମ୍ପବେଲ୍‌ଙ୍କୁ ଆଉଟ୍‌ କରିଥିଲେ । ଅଷ୍ଟମ ଓଭର(ବ୍ୟକ୍ତିଗତ ଚତୁର୍ଥ ଓଭର)ରେ ସେ ହ୍ୟାଟ୍ରିକ୍‌ ୱିକେଟ୍‌ ଅକ୍ତିଅ।।ର କରିଥିଲେ । ଏହି ଓଭରର ଦ୍ୱିତୀୟ ବଲ୍‌ରେ ସେ ଡାରେନ ବ୍ରାଭୋଙ୍କୁ ଆଉଟ୍‌ କରିଥିଲେ । ପରବଲ୍‌ରେ ସାମରା ବ୍ରୁକ୍ସ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ଅମ୍ପାୟାର ପ୍ରଥମେ ଆଉଟ୍‌ ଦେଇନଥିଲେ । ଡିଆରଏସ୍‌ ନେଇ ଭାରତ ସଫଳ ହୋଇଥିଲା । ପରବଲ୍‌ରେ ରଷ୍ଟନ ଚେଜ ମଧ୍ୟ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ । ଏଥର ବୁରାମ ଅପିଲ୍‌ କରି ନଥିଲେ । ଅମ୍ପାୟାର ମଧ୍ୟ ଚୁପ୍‌ ରହିଥିଲେ । ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା କୋହଲି ଡିଆରଏସ୍‌ ନେଇଥିଲେ ଓ ଅମ୍ପାୟାରଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା । ବୁମରାଙ୍କ ପୂର୍ବରୁ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ହରଭଜନ ସିଂହ ଓ ୨୦୦୬ରେ ପାକିସ୍ତାନ ବିପକ୍ଷରେ ଇରଫାନ୍‌ ପଠାନ୍‌ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିଲେ ।

ସବିନା ପାର୍କ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ଦିବସରେ ଭାରତ ଅସମାପ୍ତ ପ୍ରଥମ ଇନିଂସ ୫/୨୬୪ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ବିହାରୀ ଓ ରିଶଭ ପନ୍ତ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଦ୍ୱିତୀୟ ଦିବସର ପ୍ରଥମ ବଲ୍‌ରେ ଭାରତ ୱିକେଟ୍‌ ହରାଇଥିଲା । ପନ୍ତ ୨୭ ରନ୍‌ କରି (୨ଚୌକା, ୧ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରବିନ୍ଦ୍ର ଜାଡେଜା ଅପରାଜିତ ବିହାରୀଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ବିହାରୀଙ୍କ ସହ ମିଶି ସେ ଷଷ୍ଠ ୱିକେଟ୍‌ରେ ସେ ୩୮ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୩୦୨ ବେଳେ ଜାଡେଜା ବ୍ୟକ୍ତିଗତ ୧୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ୍ତ ଶର୍ମା ଓ ବିହାରୀଙ୍କ ମଧ୍ୟରେ ଆଉ ଏକ ସଫଳ ଭାଗିଦାରୀ ଗଠନ ହୋଇଥିଲା । ଉଭୟଙ୍କୁ ଆଉଟ୍‌ କରିବାରେ ବିଫଳ ହୋଇଥିଲେ ଘରୋଇ ବୋଲର । ୬ଜଣ ବୋଲରଙ୍କୁ ନିୟୋଜିତ କରାଯାଇଥିଲା । ତଥାପି ଯୋଡି ଭାଙ୍ଗି ନଥିଲା । ପ୍ରଥମ ଟେଷ୍ଟରେ ମାତ୍ର ୮ ରନ୍‌ ପାଇଁ ଶତକ ଅର୍ଜନ କରିପାରି ନଥିବା ବିହାରୀ ଏଥର ସୁଯୋଗ ହାତଛଡ଼ା କରି ନଥିଲେ । ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖି ସେ କ୍ୟାରିୟର୍‌ର ପ୍ରଥମ ଟେଷ୍ଟ ଶତକ ଅର୍ଜନ କରିଥିଲେ । ଈଶାନ୍ତ ତାଙ୍କ ସହ ତାଳ ଦେଇ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଅଷ୍ଟମ ୱିକେଟ୍‌ରେ ଉଭୟ ୧୧୨ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୪୧୪ ବେଳେ ଈଶାନ୍ତ ବ୍ୟକ୍ତିଗତ ୫୭ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ତାଙ୍କ କ୍ୟାରିୟର୍‌ର ସର୍ବାଧିକ ସ୍କୋର ରହିଥିଲା । ବିହାରୀ ୧୧୧(୧୬ଚୌକା) ରନ୍‌ କରି ଆଉଟ୍‌ ହେବା ସହ ଭାରତର ସ୍କୋର ୪୧୬ରେ ଅଟକି ଯାଇଥିଲା । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ ଜାସନ ହୋଲ୍ଡର ୫ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ପ୍ରଥମ ଟେଷ୍ଟ ଖେଳୁଥିବା ରଖିମ କର୍ଣ୍ଣୱାଲ୍‌ ୩ଟି ୱିକେଟ୍‌ ନେଇଥିଲେ ।