Odia News Portal

ଜରି କୁଡିଆରେ ବିତୁଛି ଅସାହୟା ମହିଳାଙ୍କ ଜୀବନ

ସାଲେପୁର : ଦୀନଦୁଃଖୀ, ନିରାଶ୍ରୟ ବ୍ୟକ୍ତିମାନଙ୍କ ପାଇଁ ସରକାର ମାଳମାଳ ଯୋଜନା କରୁଥିବାବେଳେ ଏହି ଯୋଜନା ମାମିନା ପାଇଁ ସାତ ସପନ ପାଲଟିଛି । ଏଭଳି ଠୋସ୍ ଚିତ୍ର ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ର ପଦ୍ମପୁର ଗ୍ରାମରେ । ମା’ଙ୍କୁ ହରାଇଲାପରେ ପଲିଥିନ୍ ଘେରା କୁଡ଼ିଆରେ ଜୀବନ କାଟୁଛି ମାମିନା ସାହୁ(୩୦) । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ମୁତାରିଫା ପଞ୍ଚାୟତ ପଦ୍ମପୁର ଗ୍ରାମର ମାମିନା ସାହୁଙ୍କ ଜୀବନ ଯେପରି ଅଭିଶାପ ହୋଇପଡିଛି । ବାପା ଶଙ୍କର୍ଷଣ ସାହୁ ଘର ଛାଡି କେଉଁଆଡେ ଯିବାପରେ ବହୁ ଦୁଃଖ କଷ୍ଟରେ ଚଳି ଆସୁଥିଲେ । କିନ୍ତୁ ୫ବର୍ଷ ତଳେ ମାମିନାଙ୍କ ମା’ ବେଙ୍ଗୁଲି ସାହୁ ସାପ କାମୁଡ଼ାରେ ମୃତ୍ୟୁବରଣ କରିବାପରେ ମାମିନାର ଦୁଃଖ ଯେପରି ଦ୍ୱିଗୁଣିତ ହୋଇପଡିଥିଲା । ନିଜର ଦୁଃଖ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତାମାନଙ୍କୁ ଜଣାଇଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଲେନି କି କର୍ଣ୍ଣପାତ କଲେନି । ଶେଷରେ ମାମିନା ଗାଁ ଗାଁ ବୁଲି ମାଗିଯାଚି ପେଟକୁ ଦୁଇଓଳି ଦୁଇମୁଠା ଖାଦ୍ୟ ବହୁ କଷ୍ଟରେ ଯୋଗାଡ଼ କରୁଥିବାବେଳେ ତାହାର ଆଶ୍ରୟ ସ୍ଥଳୀ ପାଲଟିଛି  ଏବେ ଜରି କୁଡ଼ିଆ । ବହୁ କଷ୍ଟରେ ଏହି କୁଡ଼ିଆ ଘରେ ମଶା ଡାଆଁସରେ ଦିନ କାଟୁଛି ମାମିନା । ମାମିନା ପାଇଁ ଏବେ ଜୀବନ ପାଲଟିଛି ଅଭିଶାପ । ବଡ଼ ବାବୁଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ କୁଜି ନେତାଙ୍କ ନିକଟରେ ନିଜର ସମସ୍ୟା ସଂପର୍କରେ ଗୁହାଳି କଲେ ମଧ୍ୟ ମାମିନା ପାଇଁ ଏମାନେ ପାଷାଣ ପାଲଟିଯାଇଛନ୍ତି । ସରକାରଙ୍କ ଯୋଜନା ତାଙ୍କ ନିକଟରେ ଫିକା ଭଳି ମନେ ହେଉଛି । ସରକାର ଭୂମିହୀନ ପାଇଁ ଭୂମି ଯୋଗାଇ ଦେବାସହ ବାସଗୃହ ନିର୍ମାଣ କରି ସେମାନଙ୍କୁ ଥଇଥାନ କରୁଥିବାବେଳେ ମାମିନାପାଇଁ ଏହା ସ୍ୱପ୍ନ ପାଲଟିଛି । ଫଳରେ ମାମିନା ଏକ ଜରି କୁଡ଼ିଆ ଘରେ ନିଜ ଭାଗ୍ୟକୁ ଆଦରି ପଡିରହିଛି । ରାଜ୍ୟ ସରକାର ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏ ଦିଗରେ ଦୃଷ୍ଟି ଦେଇ ମାମିନାକୁ ସହାୟତାର ହାତ ବଢ଼ାଇବାପାଇଁ ଏହି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।