Odia News Portal

ମିଶ୍ରଣକୁ ବିରୋଧ କରି ସେବା ସଂଘ ଦୁଇ ଫାଳ

ଭୁବନେଶ୍ବର : ବିଭାଗ ସହିତ ନିର୍ଦ୍ଦେଶାଳୟର ମିଶ୍ରଣକୁ ବିରୋଧ କରି ସଚିବାଳୟ ସେବା ସଂଘ ଏବେ ଦୁଇ ଫାଳ । ଗୋଟିଏ ପଟରେ ସାଧାରଣ ସମ୍ପାଦକ ଓ ଆର ପଟେ ସଭାପତି ଏବଂ ତାଙ୍କ ଅନୁଗତ । ଦୁଇ ନେତାଙ୍କର ଭିନ୍ନ ମତ ଯୋଗୁଁ ବିରୋଧ ଏବେ ଏକ ପ୍ରକାର ବାଟବଣା । ସରକାର ତାଙ୍କ ନିଷ୍ପତ୍ତି ଶୁଣାଇବାପରେ ସାଧାରଣ ସମ୍ପାଦକ ତୁରନ୍ତ ଟିଭିରେ ତାଙ୍କ ପ୍ରତିକ୍ରିୟା ଦେଇ ଏହାକୁ ସ୍ୱାଗତ କରିଥିଲେ । ଏହାର ଦିନକ ପରେ ସଭାପତି ଏହାକୁ ବିରୋଧ କଲେ । ଲୋକସେବା ଭବନ ପରିସରରେ କର୍ମଚାରୀଙ୍କୁ ଠୁଳ କରି ଜୋରଦାର ବିରୋଧ କରାଯିବ ବୋଲି ଘୋଷଣା ବି କଲେ । ହେଲେ ଏହାର ସୁରାକ ତୃତୀୟ ମହଲା ପାଇଲାପରେ ସଭାପତିଙ୍କୁ ପୁଲିସ୍‍ ଡାକି ପଚରା ଉଚୁରା କଲା ।

ଏହାପରେ ଅଢେଇ ହଜାର କର୍ମଚାରୀଙ୍କୁ ନେଇ ବିରୋଧ କରିବାର ଖୋଲା ଡାକରା ଏକ ପ୍ରକାର ପାଣିରେ ମିଳେଇ ଗଲା । ଏବେ ସଭାପତି କହୁଛନ୍ତି ମିଶ୍ରଣ ବିରୁଦ୍ଧରେ ମୁଖ୍ୟମବୀଙ୍କୁ ଦାବିପତ୍ର ଦିଆଯିବ । ହେଲେ ଏଥିରେ ସାଧାରଣ ସମ୍ପଦକ ଦସ୍ତଖତ କରିବା ଆବଶ୍ୟକ । ହେଲେ ସାଧାରଣ ସମ୍ପାଦକ ଦସ୍ତଖତ ଦେବା ତ ଦୂରରକଥା ସଂଘ ବୈଠକକୁ ଆଉ ଯାଉ ନାହାନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଭାପତି ଓ ତାଙ୍କ ଆଠ ଜଣିଆ ଅନୁଗତ ଗୋଷ୍ଠିଙ୍କ ଦ୍ୱାରା ଅପମାନିତ ହେବାପରେ ସମ୍ପାଦକ ତାଙ୍କ ଠାରୁ ଦୂରେଇ ରହୁଛନ୍ତି । ତେଣୁ ଏଭଳି ସ୍ଥିତିରେ ସମ୍ପାଦକ ଦସ୍ତଖତ ଦେବା ଅବସ୍ଥାରେ ନଥିବାରୁ ସଭାପତି ଏବେ ସଂଘ ନିର୍ବାଚନ ଉପରେ ଜୋର ଦେଉଛନ୍ତି । ନିର୍ବାଚନ ପରେ ଯିଏ ନେଦା ହେବ ସିଏ ମିଶ୍ରଣ ଉପରେ ପଦକ୍ଷେପ ନେବ ବୋଲି ମତ ଦେଉଛନ୍ତି ।

ହେଲେ କର୍ମଚାରାୀଙ୍କ କହିବାକଥା ଯେ ବିରୋଧରୁ ଖସିବାକୁ ସଭାପତିଙ୍କ ଗୋଷ୍ଠି ଏଭଳି ଚାଲ୍‍ ଚଳାଉଛନ୍ତି । କାରଣ ନିର୍ବାଚନ ସାରିବାକୁ ଅତି କମ୍‍ରେ ମାସେ ଦେଢମାସ ସମୟ ଲାଗିଯିବ । ଏଣେ ଅକ୍ଟୋବର ମଧ୍ୟରେ ମିଶ୍ରଣ ସାରିବାକୁ ସରକାର ତତ୍ପର । ଆସନ୍ତା ୪ ତାରିଖରେ ମୁଖ୍ୟ ସଚିବ ଏ ନେଇ ବୈଠକ ଡାକିଛନ୍ତି । ଯେତେଶୀଘ୍ର ମିଶ୍ରଣ ହେବ ସେ ଦିଗରେ ପଦକ୍ଷେପ ନିଆଯାଉଛି । ତେଣୁ ବିରୋଧରୁ ଦୂରେଇବାପାଇଁ ନିର୍ବାଚନକୁ ଅସ୍ତ୍ର କରାଯାଉଛି । ସେହିଭଳି ଷ୍ଟିୟରିଂ କମିଟି ଗଠନ ପାଇଁ ମତ ଦିଆଯାଉଥିବାବେଳେ ଏହାକୁ କିଛି କର୍ମଚାରୀ ବିରୋଧ କରୁଛନ୍ତି । ସେମାନଙ୍କର କହିବାକଥା ଯେ ସଂଘର ଏକ୍‍ଜିକ୍ୟୁଟିଭ କମିଟି ଥାଉ ଥାଉ ଆଉ ଗୋଟିଏ କମିଟି କାହିଁକି ଗଠନ ହେବ । ଅଧିକ କମିଟି ହେଲେ ସଂଘର ବିରୋଧ ଦାବି ବାଟବଣା ହୋଇଯିବ । ସଂଘ ନେତାଙ୍କର ଏଭଳି ସ୍ଥିତିରେ ଏବେ ନୂଆ କର୍ମଚାରୀ ବିଶେଷକରି ଯୁବ ଏଏସ୍‍ଓମାନେ ଏବେ ଏକ ପ୍ରକାର ଦ୍ୱନ୍ଦରେ ପଡିଛନ୍ତି । ସେମାନଙ୍କ ପାଇଁ କେଉଁ ନେତା କି କାର୍ଯ୍ୟ କରୁଛନ୍ତି ତାହା ବୁଝିପାରୁ ନାହାନ୍ତି । ତେବେ ନେତାଙ୍କ ଆଚରଣରୁ ମିଶ୍ରଣକୁ ବିରୋଧ ଯେ କେବଳ ଲୋକ ଦେଖାଣିଆ ତାହା ପ୍ରମାଣିତ ହେବାରେ ଲାଗିଛି ।

        ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )