Odia News Portal

ଫାଇନ୍‍ ପଛରେ ପୁଲିସ୍‍ ! ନିଶାବେପାରୀ ଓ ଚୋରଙ୍କ ପୁଷମାସ

ଭୁବନେଶ୍ୱର : କମିଶନରରେଟ ପୁଲିସ୍‍ ଏବେ ଗାଡି ମୋଟର ପଛରେ ପଡିଥିବାବେଳ ରାଜଧାନୀର ଚୋର ଓ ନିଶାଡିମାନେ କୁରୁଳୁଛନ୍ତି । ଯଦି ପୁଲିସ୍‍ ବାବୁମାନେ ଆଉ କିଛିଦିନ ଏଭଳି ମାତିବେ ତେବେ ପାର୍ବଣଋତୁଟି ଏଥର ସେମାନଙ୍କ ପାଇଁ ପୁଷମାସ ହେବବୋଲି କହି ବୁଲିଲେଣି । ରାଜଧାନୀ ପୁଲିସ୍‍ର ସବୁବେଳେ ଗୋଟିଏ ଅଭିଯୋଗ ହେଉଛି କାମର ଚାପା ଅଧିକ । ଏତେ କାମକୁ ପୁଲିସ୍‍ ନାହାନ୍ତି । ସେହି ଆଳରେ ଅନେକ ତଦନ୍ତକୁ ପଛକୁ ଠେଲି ଦିଅନ୍ତି ।

ହେଲେ ଏବେ ଗାଡିମୋଟର ଯାଞ୍ଚକଥା ଆସିଲା ବେଳକୁ ସବୁ କାମ ଛାଡି ରାସ୍ତାକୁ ଆସିଯାଇଛନ୍ତି । ରାସ୍ତାଘାଟରେ ଦେଖାଦର୍ଶନ ନଥିବା ଖାକି ବାବୁମାନେ ଏବେ ଗୋଟିଏ ଛକରେ ତିନି ଚାରିଜଣ କରି ଛିଡା ହେଉଛନ୍ତି । ଯେଉଁଠି ଫାଇନ୍‍ ଆଦାୟ ହେଉଛି ସେଠାରେ ମାଳ ମାଳ ପୁଲିସ୍‍ । ସତେ ଯେମିତି ମାଛ ଗାଡି ଓଲଟିଛି । ରାଜଧାନୀର ପୁଲିସ୍‍ ଏବେ ରାସ୍ତାକୁ ଆସିଯାଇଥିବାରୁ ସବୁଠାରୁ ଅଧିକ ଖୁସି ନିଶା ବେପାରୀ ଓ ସେବନକାରୀ । କାରଣ ସୋମାନଙ୍କ ଆଡେ ପୁଲିସ୍‍ର ଏବେ ନଜର ନାହିଁ । ପେଟ୍ରୋଲିଂ ପାଇଁ କର୍ମଚାରୀ ନିଅଣ୍ଟ ।

ସମସ୍ତେ ଗାଡି ପଛରେ ଧାଇଁଛନ୍ତି । ରାଜଧାନୀର ନିଶା ଅଞ୍ଚଳ ଭାବେ ପରିଚିତ ଛଅ ନମ୍ବର, ଏକ ନମ୍ବର ଓ ଦୁଇ ନମ୍ବର ଅଞ୍ଚଳର ଏହି ଆଳରେ ଗଞ୍ଜେଇ କାରବାର ବଢିଯାଇଛି । ପୁଲିସ୍‍ ପଇଁତରା କମିଯାଇଥିବାରୁ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା ବେପାର ବେଧଡକ ଚାଲିଛି । ମଦ ବେପାରୀଙ୍କର ବି ସମାନ ଖୁସି ।

କାରଣ ଦୋକାନ ଗହଳି ସମୟରେ ପଇଁତରା ମାରିବାପାଇଁ ପୁଲିସ୍‍ ବାବୁମାନେ ସମୟ ପାଉନାହାନ୍ତି । ତେଣୁ ତାଙ୍କର ଗରାଖ ଭାଙ୍ଗିବାର ନାହିଁ । ପୁଲିସ୍‍ ବାବୁଙ୍କର ଫାଇନ୍‍ ଆଦାୟ ଦେଖି ନିଶା ବେପାରୀମାନେ କୁରୁଳୁଥିବାବେଳେ ସେମାନଙ୍କ ସହିତ ଛୋଟ ମୋଟ ଚୋର ବି ଖୁସି ହେଉଛନ୍ତି । କାରଣ ସେମାନଙ୍କ ଉପରେ ଆଉ ପୁଲିସ୍‍ର ନଜର ନାହିଁ ।

ଖାକି ବାବୁଙ୍କ ମୁହଁରୁ ଏବେ ଖାଲି ହେଲମେଟ୍‍, ଲାଇସେନ୍ସ, ମଦ୍ୟପାନ ଭଳି ଶବ୍ଦ ବାହାରୁଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେମାନେ ସହଜରେ ହାତସଫେଇ କରିପାରିବେ ବୋଲି ଭାବିଲେଣି । ତେବେ ପୁଲିସ୍‍ କଟକଣାରେ ଅତିଷ୍ଠ ରାଜଧାନୀବାସୀ ଧିରେ ଧିରେ କମିଶନରେଟ ପୁଲିସ୍‍ ଉପରେ ଅଙ୍ଗୁଳି ଉଠାଇବା ଆରମ୍ଭ କଲେଣି । ବିଶେଷକରି ପାର୍କିଂ ସ୍ଥାନର ଅଭାବ, ରାସ୍ତା ଉପରେ ବିଏମ୍‍ସିର ଗାଡିଷ୍ଟାଣ୍ଡ, କେତେ ବେଗରେ ଗାଡି ଯିବ ତାହାର ସୂଚନା ନମିଳିବା ନେଇ ପ୍ରଶ୍ନ ଉଠିଲାଣି ।

ଯଦି ଗାଡିମୋଟର ରଖିବାପାଇଁ ସ୍ଥାନ ଟିକେ କରିନପାରୁଛ ତେବେ ରାସ୍ତା ଉପରେ କଣ ପାଇଁ ଫାଇନ୍‍ ଆଦାୟ କରୁଛ ବୋଲି କିଛି ବରିଷ୍ଠ ନାଗରିକ ଖୋଲାଖୋଲି ଭାବେ କହିଲେଣି । ତେବେ ଲୋକଙ୍କ କଥାକୁ ଖାକିବାବୁମାନେ ଧ୍ୟାନ ନଦେଇ ଗାଡିମୋଟର ପଛରେ ଧାଇଁଥିବାବେଳେ ନିଶା ବେପାରୀ ଓ ଚୋରମାନେ କିନ୍ତୁ ମଉକାର ଫାଇଦା ଉଠାଇବା ଚକ୍କରରେ ଥିବା ଲକ୍ଷ୍ୟ କରାଯାଉଛି ।

 ( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )