Odia News Portal

ସୁନାଠୁ ବି ମହଙ୍ଗା ଏହି ଗଛର ତେଲ

କୌଣସି ତେଲ ସୁନାଠୁ ମହଙ୍ଗା ହୋଇପାରେ, ଏହା କେହି ଭାବି ନଥିବେ। ମାତ୍ର ଏହା ସତ। କୌଣସି ଅସାଧାରଣ ଗଛ ନୁହେଁ, ସାଧାରଣ ଅଗୁରୁ ଗଛର ତେଲ ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ୍‌। ଏଣୁ ଏହାକୁ ତରଳ ସୁନା ମଧ୍ୟ କୁହାଯାଏ। ଅଗୁରୁ ଏକ ସୁଗନ୍ଧ କାଠ ଯାହାର ବ୍ୟବହାର ଧୂପବତୀ, ଅତର ଆଦିରେ କରାଯାଏ। ଭାରତ ସମେତ ଚୀନ୍‌, ଜାପାନ, କୋରିଆ, ମିଶର ଆଦି ଦେଶରେ ପୂଜା ପର୍ବରେ ଏହାର ବହୁଳ ବ୍ୟବହାର କରାଯାଏ। ଔଷଧରେ ମଧ୍ୟ ଅଗୁରୁ ବ୍ୟବହାର ହୁଏ।

ଅଗୁରୁର ସୁଗନ୍ଧ ପ୍ରତି ଭଗବାନ ଆକର୍ଷିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁସାରେ, ଅଗୁରୁ ବାସ୍ନା ହେଉଥିବା ସ୍ଥାନରେ ଭଗବାନ ବାସ କରିଥାନ୍ତି, ଫଳରେ ନକାରାତ୍ମକ ଶକ୍ତି ଦୂର ହୁଏ। ଏଣୁ ଏହାକୁ ଇଂରାଜୀରେ wood of the gods ବା ଦୈବିକ କାଠ ମଧ୍ୟ କୁହାଯାଏ। ଦକ୍ଷିଣ-ପୂର୍ବ ଏସିଆର ଘନ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ଏହାକୁ ଅକିଲାରିଆ ବୃକ୍ଷ କୁହାଯାଏ। ସେହି ଗଛରୁ ଏହି କାଠ ମିଳିଥାଏ। ଦକ୍ଷିଣ-ପୂର୍ବ ଏସିଆର ୧୫ଟି ଦେଶରେ ପ୍ରାୟ ୨୬ ପ୍ରକାରର ଅଗୁରୁ ଗଛ ଦେଖିବାକୁ ମିଳେ।

ଇଣ୍ଡୋନେସିଆ, ଫିଲିପାଇନ୍ସ, ପାପୁଆ ନ୍ୟୁ ଗିନିଆ, ମାଲେସିଆ, ବ୍ରୁନଇ, ଭାରତ, କମ୍ବୋଡ଼ିଆ, ସିଙ୍ଗାପୁର, ଥାଇଲାଣ୍ଡ, ଚୀନ୍‌, ବାଙ୍ଗଲାଦେଶ, ଭୁଟାନ୍‌, ମିଆଁମାର, ଲାଓସ ଆଦି ଦେଶରେ ବହୁଳ ଭାବେ ଅଗୁରୁ ଗଛ ରହିଛି। ଭାରତରେ ଅଗୁରୁ ଅଧିକ ଉତ୍ପାଦିତ ହୋଇଥାଏ। ତେବେ ଆସାମକୁ ଭାରତର ଅଗୁରୁ କ୍ୟାପିଟାଲ ମଧ୍ୟ କୁହାଯାଏ। ଏହି ତେଲ ନ୍ୟୁରୋ ସମସ୍ୟା, ଚର୍ମରୋଗ, ସଂକ୍ରମଣ, ବଦହଜମି ଆଦି ଦୂର କରିବାରେ ସହାୟକ ହୋଇଥାଏ। ଏଣୁ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ଏହାର ଚୋରା କାରବାର ମଧ୍ୟ ହୋଇଥାଏ। ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ କିଛି ଦିନ ତଳେ ୫୧ ଲକ୍ଷ ଟଙ୍କା ମୂଲ୍ୟର ଅଗୁରୁ ତେଲ ଜବତ ହୋଇଥିଲା।