ଭୁବନେଶ୍ୱର : ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ନୂଆ ପରିବହନ ଆଇନ୍ ଅନୁଯାୟୀ ହେଉଥିବା ଯାଞ୍ଚ ଲୋକଙ୍କୁ ପ୍ରଥମେ ପ୍ରଥମେ ଟିକେ କାଟିବ-କଷ୍ଟହେବ, ପରେ କିନ୍ତୁ ଲୋକେ ଵୁଜିଯିବେ । ହେଲେ ଦୁଇ ତିନି ଦିନ ଯାଞ୍ଚରେ କଷ୍ଟ ଏତେ ବଢିଗଲା ଯେ ଲୋକଙ୍କ ଅସନ୍ତୁଷ୍ଟକୁ ଦେଖି ସରକାର ପ୍ରଦୂଷଣ ଯାଞ୍ଚକୁ ମାସେପାଇଁ କୋହଳ କରିଛନ୍ତି । ଅନ୍ୟ ପକ୍ଷରେ ପଇସା ଆଦାୟରେ ପୁଲିସ୍ ଓ ଟ୍ରାଫିକ ପୁଲିସ୍ ବାବୁମାନେ ମାତିଥିବାରୁ ରାଜଧାନୀର ଆଇନ୍ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ବି ବେହାଲ ହେବାରେ ଲାଗିଲାଣି ।
ରାତି ପାହିଲା ମାତ୍ରେ କମିଶନରେଟ ପୁଲିସ୍ର ବାବୁମାନେ ରାସ୍ତାକୁ ଓହ୍ଲାଉଛନ୍ତି । ହେଲେ ଅଧିକାଂଶ ଫାଇନ୍ ଆଦାୟ ପାଇଁ । ଛକ ସ୍ଥାନ ଦେଖି ଗାଡିମୋଟର ଯାଞ୍ଚ କରୁଛନ୍ତି । କାହା ଉପରେ ୪୭ହଜାର ତ ଆଉ ଆଉ କାହା ଉପରେ ୨୭ହଜାର ଫାଇନ୍ ଲଗାଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ରାସ୍ତାକୁ ଗାଡିମୋଟର ଉଭାନ ହୋଇଗଲାଣି । ଯାଞ୍ଚ ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ସାଧାରଣରେ ଏବେ ଏତେ ଅସନ୍ତୋଷ ପ୍ରକାଶ ପାଇଲାଣି ଯେ ଲୋକେ କମିଶନରେଟ ପୁଲିସ୍ର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଲେଣି । ସାଧାରଣ ଚୋରିଟିଏ ହେଲେ ଏତାଲା ନରଖିବାପାଇଁ ପୁଲିସ୍ ବାବୁମାନେ ବାହାନା ମାରୁଥିବାବେଳେ ପଇସା ଆଦାୟପାଇଁ କିଭଳି ଦିନ ରାତି ଏକ କରିଦେଉଛନ୍ତି ବୋଲି ଏବେ ପ୍ରଶ୍ନ ହେଲାଣି ।
ଥାନାରେ ଷ୍ଟାଫ ନାହାନ୍ତି କହି ଲୋକଙ୍କ ଠାରୁ କିଛିଦିନ ତଳେ ଅନୁକମ୍ପା ହାସଲ କରୁଥିବା ପୁଲିସ୍ ଏବେ ଲୋକଙ୍କ ରୋଷର ଶିକାର ହେବାରେ ଲାଗିଛି । ସାଧାରଣ ଲୋକେ କହୁଛନ୍ତି ଯେ କମିଶନରେଟ ପୁଲିସ୍ର ବାବୁମାନେ ଏବେ ଫାଇନ୍ ଆଦାୟପାଇଁ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି ତାହାର ଯଦି କାଣିଚାଏ ଆଇନ୍ ଶୃଙ୍ଖଳା ରକ୍ଷା ଦିଗରେ ଦେଖାନ୍ତେ ତେବେ ରାଜଧାନୀବାସୀ ନିଜକୁ ସୁରକ୍ଷିତ ମଣନ୍ତେ । ରାଜଦାନୀରେ ମଦଦୋକାନ ଓ ମଦୁଆମାନଙ୍କୁ ସାବାଡ କରିପାରୁନଥିବା ପୁଲିସ୍ ବାବୁମାନେ କେଉଁ ମୁହଁରେ ମଦୁଆ ଗାଡିଚାଳକଙ୍କୁ ଯାଞ୍ଚ କରୁଛନ୍ତି ବୋଲି ପ୍ରଶ୍ନ ବି ହେଲାଣି ।
ଅନ୍ୟ ପକ୍ଷରେ ଥାନା ଓ ଟ୍ରାଫିକ ଥାନାର ଅଧିକାଂଶ ବାବୁମାନେ ସକାଳ ହେଲେ ଫାଇନ୍ ବହି ଧରି ବାହାରି ଯାଉଥିବାବେଳେ ଥାନାରେ ଥିବା ଅନ୍ୟ କର୍ମଚାରୀମାନେ କାମ ଚାପରେ ତ୍ରାହି ତ୍ରାହି ଡାକିଲେଣି । ସେମାନଙ୍କୁ ଖାଇବା ପିଇବାକୁ ସମୟ ହେଉନଥିବା କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି । ତେଣୁ ଏବେ ଥାନାରେ ରହିବା ଅପେକ୍ଷା ଫାଇନ୍ କାଟିବା କାମରେ ଯିବାକୁ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତଦ୍ୱନ୍ଦିତା ଆରମ୍ଭ ହୋଇଗଲାଣି । ଏହାକୁ ନେଇ ଅନେକ ଥାନାରେ ଅସନ୍ତୋଷ ବଢିବାରେ ଲାଗିଛି ।
ହେଲେ ଉପର ସ୍ତରର ପୁଲିସ୍ ବାବୁମାନେ ଏବେ ଫାଇନ୍ ଆଦାୟ ନିଶାରେ ଏଭଳି ମସ୍ଗୁଲ ହୋଇଛନ୍ତି ଯେ ସେମାନଙ୍କ ଆଖିକୁ ରାଜଧାନୀର ଆଇନ୍ଶୃଙ୍ଖଳା କିମ୍ବା ନିଶା ବେପାର କିଛି ଦିଶୁନାହିଁ । ଅବସ୍ଥା ଏଭଳି ହେଲାଣି ଯେ ପୁଲିସ୍ ବାବୁମାନଙ୍କ ଫାଇନ୍ ଆଦାୟ ଉପରେ ନଜର ରଖିବାପାଇଁ ଭିଜିଲାନ୍ସ ବିଭାଗ ଏବେ ରାସ୍ତାକୁ ଓହ୍ଲାଇବ ବୋଲି ଘୋଷଣା କଲାଣି ।
( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )
