ନୂଆଦିଲ୍ଲୀ : ଆସନ୍ତା ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୨୪ ତାରିଖରୁ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବ । ସମସ୍ତ ମ୍ୟାଚ୍ ସୁରତର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯିବ । ସିରିଜର ପ୍ରଥମ ୩ଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା
ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଶେଷ ୨ଟି ମ୍ୟାଚ୍ ପାଇଁ ଦଳ ଘୋଷଣା କରାଯିବ । ଅକ୍ଟୋବର ୯ରୁ ୧୪ ତାରିଖ ପର୍ଯ୍ୟନ୍ତ (ଭଦୋଦରାର ରିଲାଏନ୍ସ ଷ୍ଟାଡିୟମରେ) ୩ଟି ଦିନିକିଆ ଖେଳାଯିବ । ଟି-ଟ୍ୱେଣ୍ଟି ଦଳରେ ଭେଟେରାନ ମିଥାଲି ରାଜଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ଶାଫଳି ବର୍ମାଙ୍କୁ ସୁଯୋଗ ମିଳିଛି । ନିକଟରେ ମିଥାଲି ଅବସର ଗ୍ରହଣ କରିଥିଲେ । ଶାଫଳି ଘରୋଇ କ୍ରିକେଟ୍ (ସିନିୟର ମହିଳା ଅନ୍ତଃରାଜ୍ୟ ଟି-ଟ୍ୱେଣ୍ଟି) ଏବଂ ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜରେ ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଅଲରାଉଣ୍ଡର ପୂଜା ଭଷ୍ଟ୍ରାକର ଦଳକୁ ଫେରିଛନ୍ତି । ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ହରମନପ୍ରୀତ କୌର ଦଳର ନେତୃତ୍ୱ ନେବେ । ସେହିପରି ମିଥାଲି ଦିନିକିଆ ଦଳର ନେତୃତ୍ୱ ନେବେ ।
ପ୍ରଥମ ୩ଟି ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ:
ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଜେମିମା ରୋଡ୍ରିଗୁଏଜ୍, ଦୀପ୍ତି ଶର୍ମା, ତାନିୟା ଭାଟିଆ, ପୁନମ ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତି ରେଡ୍ଡୀ, ପୂଜା ଭଷ୍ଟ୍ରାକର, ରାଧା ଯାଦବ, ବେଦା କ୍ରିଷ୍ଣମୂର୍ତ୍ତୀ, ହର୍ଲିନ ଦେଓଲ, ଅନୁଜା ପାଟିଲ, ଶାଫଳି ବର୍ମା, ମାନସି ଜୋଶି ।
ଦିନିକିଆ ଦଳ:
ମିଥାଲି ରାଜ (ଅଧିନାୟିକା), ହରମନପ୍ରୀତ୍ କୌର (ଉପଅଧିନାୟିକା), ଜେମିମା ରୋଡ୍ରିଗୁଏଜ, ପୁନମ ରାଉତ, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା, ତାନିୟା ଭାଟିଆ, ଝୁଲଣ ଗୋସ୍ୱାମୀ, ଶିଖା ପାଣ୍ଡେ, ମାନସି ଜୋଶି, ଏକତା ବିଷ୍ଟ, ପୁନମ ଯାଦବ, ଡି. ହେମଲତା, ରାଜେଶ୍ୱରୀ ଗାଏକୱାର୍ଡ଼, ପ୍ରିୟା ପୁନିଆ ।
