ମାଲକାନଗିରି : ପଛୁଆ ଅଞ୍ଚଳର ଆଗୁଆ ଝିଅ । ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ । ଓଡ଼ିଶା ପୋଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ମାରିନିୟସ୍ ଲାକ୍ରାଙ୍କ ଝିଅ ଅନୁପ୍ରିୟା ଲାକ୍ରା । ମାଲକାନଗିରି ଦୀପ୍ତି କନ୍ଭେଣ୍ଟରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ସେମିଳିଗୁଡ଼ା ଜୀବନ ଜ୍ୟୋତି ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢିଥିଲେ ।
ପରେ ଭୁବନେଶ୍ୱରରେ କିଛି ଦିନ ଇଞ୍ଜିନିୟରିଂ କରିବା ବେଳେ ପାଇଲଟ ହେବାର ଆଶା ରଖିଥିଲେ । ଇଞ୍ଜିନିୟରିଂ ପାଠ ଅଧାରୁ ଛାଡି ଭୁବେନଶ୍ୱରରେ ପାଇଲଟ ତାଲିମ ପାଇଁ ଆବେଦନ କରିଥିଲେ । ପରେ ଦିଲ୍ଲୀ, ବାଙ୍ଗାଲୁର ଓ ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପାଇଲଟ ପାଇଁ ପ୍ରବେଶିକା ପରୀକ୍ଷା ଦେବା ପରେ ଯୋଗ୍ୟ ବିବେଚିତ ହୋଇଥିଲେ । ୨୦୧୨ ମସିହାରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ ।
ଏଥିପାଇଁ ତାଙ୍କୁ ଷ୍ଟାଇପେଣ୍ଡ ମିଳିଥିଲା । ତେବେ ଚଳିତ ମାସ ସେ ଦକ୍ଷତାର ସହ ତାଲିମପ୍ରାପ୍ତ ପାଇଲଟ ଭାବେ ଏକ ଘରୋଇ କମ୍ପାନୀର କୋ-ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି । କିଛି ଦିନ ମଧ୍ୟରେ ସେ ଘରୋଇ ବିମାନ ସଂସ୍ଥାରେ ଦେଶ ବିଦେଶକୁ ଯାତ୍ରା କରିବେ ।
