ଭୁବନେଶ୍ୱର : ରାଜ୍ୟର ସବୁଠାରୁ ଶକ୍ତିଶାଳୀ କର୍ମଚାରୀ ସଂଗଠନ କୁହାଯାଉଥିବା ଓଡିଶା ସଚିବାଳୟ ସେବା ସଂଘ (ଓସା)ର ଭବନ ଏବେ ଭୂତକୋଠି । ମୁଖ୍ୟ ଫାଟକରେ ତାଲା ପଡିଥିବାବେଳେ ଭିତରେ ଘାସ ବଣ । ପୁରୁଣା କି ନୂଆ କର୍ମଚାରୀ କେହି ଏଠାରେ ପାଦ ପକାଉ ନାହାନ୍ତି । ସଂଘ ନେତାଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବାବେଳେ କର୍ମଚାରୀଙ୍କ ବିଭିନ୍ନ ଦାବି କଥା ନେତାମାନେ ପ୍ରାୟ ଭୁଲିଗଲେଣି । ସଂଘର କର୍ମଚାରୀଙ୍କ ପାଇଁ ଖାରବେଳନଗରରେ ରହିଛି ଓସା ହାଉସ୍ ।
ପୂର୍ବରୁ ଏଠାକୁ କର୍ମଚାରୀମାନେ ଆସି ବସା ଉଠା କରୁଥିବାବେଳେ ବିବାହ ବ୍ରତ ଲାଗି ଭଡା ଲାଗୁଥିଲା । ହେଲେ ଦୁଇବର୍ଷ ତଳେ ସଂଘ ନିର୍ବାଚନ ପରେ ଓସା ହାଉସର ଆୟକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ସଂଘ ସଭାପତି ଓ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ଆଦାୟ ହୋଇଥିବା ଲକ୍ଷାଧିକ ଟଙ୍କାକୁ ନେଇ ବିବାଦ ଦେଖାଦେବା ପରେ ଏଠାରେ ଏବେ ତାଲା ପଡିଛି । ଫାଟକରେ ଧଳା କପଡା ବାନ୍ଧି ଦିଆଯାଇଛି । ଭିତରେ ଅନାବନା ଗଛର ବଣ ହେଲାଣି । ସଂଘର ସଦସ୍ୟମାନେ ଏଠାରେ କରୁଥିବା ବିବାହ ବ୍ରତ ଆଦି ବି ବନ୍ଦ ହୋଇଯାଇଛି ।
ବଡ କଥା ହେଲା ସଂଘ ବିବାଦ ଯୋଗୁଁ ଓସା ହାଉସ୍ରେ ତାଲା ପଡିଥିବାରୁ ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଯୁବ କର୍ମଚାରୀମାନେ ଏଠାକୁ ଆସିପାରୁ ନାହାନ୍ତି । ସେମାନେ ଚାହିଁଲେ ବି ସଭାପତି ଓ ସାଧାରଣ ସମ୍ପାଦକଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିପାରୁ ନାହାନ୍ତି । କିଛି ଯୁବ କର୍ମଚାରୀ ଏଥିପାଇଁ ଧିରେ ଧିରେ ମୁହଁ ବି ଖୋଲୁଛନ୍ତି । ନେତାଙ୍କ ଏଭଳି ବିବାଦ ଯୋଗୁଁ କେବଳ ସଂଘ ଘର ବଣ ହୋଇନାହିଁ କର୍ମଚାରୀମାନଙ୍କ ବିଭିନ୍ନ ଦାବି ବି ଏକ ପ୍ରକାର ଚୂଲିକୁ ଗଲାଣି ।
ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ନେତା ଭୁଲିଯାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ଦାବି ମଧ୍ୟରେ ସପ୍ତମ ବେତନ କମିଶନ ହାରରେ ଯୁବ କର୍ମଚାରୀମାନଙ୍କୁ ଦରମା ଦେବା ଥିଲା ମୁଖ୍ୟ । ସେମାନଙ୍କ ବେସିକ୍ ପେ ୪୬୦୦ ପାଇଁ ପ୍ରସ୍ତାବ ଥିଲା । ହେଲେ ଏହାକୁ ନେତା ପାଶୋରୀ ଦେଲେଣି । ଏହାବାଦ୍ ସଚିବାଳୟ କର୍ମଚାରୀଙ୍କ ଲାଗି ସ୍ୱତବ କଲୋନୀ, ଘରଭଡା ବୃଦ୍ଧି, ଅଫିସର ସ୍ତରୀୟ ପ୍ରଶାସନ କଥା ଆଉ କେହି ଉଠାଉ ନାହାନ୍ତି ।
ଏହାଦ୍ୱାରା ନୂଆଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଯୁବ କର୍ମଚାରୀମାନେ ବିଶେଷ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ନିକଟରେ ନିର୍ଦ୍ଦେଶ।।ଳୟ ଓ ବିଭାଗର ମିଶ୍ରଣକୁ ନେଇ ସଭାପତି ଓ ସାଧାରଣ ସମ୍ପାଦକ ଭିନ୍ନ ଭିନ୍ନ ଦିଗରେ ଯିବାରୁ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯିବ କି ସମର୍ଥନ କରାଯିବ ତାହା ଯୁବ କର୍ମଚାରୀମାନେ ଜାଣି ପାରିଲେ ନାହିଁ ।
ସବୁଆଡୁ ନିରାଶ ହେବାପରେ ଏବେ ଲୋକସେବାଭବନର କର୍ମଚାରୀମାନେ ନେତାଙ୍କ ଉପରୁ ଭରସା ହରାଇ ଦେଲେଣି । ସଂଘର ଜେନେରାଲ କାଉନ୍ସିଲ ବୈଠକ ବି ନିୟମିତ ବସୁନାହିଁ । ଆଠଥର ବୈଠକ ସ୍ଥାନରେ ବସିଛି ମାତ୍ର ଦୁଇଥର । ଏଥିରେ ଦାବି କିଭଳି ପୂରଣ ହେବବୋଲି ଏବେ କର୍ମଚାରୀମାନେ ପ୍ରଶ୍ନ କରୁଛନ୍ତି ।
