Odia News Portal

“ଆସ ଶିଖିବା” ର ଶୁଭାରମ୍ଭ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବସ୍ତି ଅଂଚଳରେ ରହୁଥିବା ଛୋଟ ପିଲାମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ସ୍ବେଛାସେବୀ ମାନଙ୍କ ସହାୟତାରେ ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରୀତିନନ୍ଦା ରାଉତରାୟ । ଏଇ କାର୍ଯ୍ୟକ୍ରମର ଅୟମାରମ୍ଭ ନେଇ ଆଜି ଚନ୍ଦ୍ରଶେଖରପୁରରେ ପ୍ରାଥମିକ ସଭା ଅନୁଷ୍ଠିତ ହୋଇଛି ।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଆଇନଜୀବୀ ମଧୁମାଧବ ଜେନା ଓ ଅନେକ ମାନ୍ୟଗଣ୍ୟ, ମୁରବୀ ସ୍ଥାନୀୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏଇ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ବସ୍ତିରେ ରହୁଥିବା ପିଲାମାନଙ୍କୁ ଯୋଗ, ନାଚ, ଗୀତ, ଚିତ୍ରାଙ୍କନ, କାହାଣୀକୁହା ପରି ଜୀବନଶୈଳୀ କଳାପ୍ରତି ଆକୃଷ୍ଟ କରି ଉଚିତ ଆଦର୍ଶ ମାର୍ଗକୁ ବାଟ କଢ଼ାଇନେଲେ, ଭବିଷ୍ୟତରେ ଅବାଟକୁ ଯିବାର ସମ୍ଭାବନାକୁ ଅନେକ ପରିମାଣରେ ଅଟକାଇ ଦେଇହେବ ବୋଲି ଅତିଥି ଓ ବକ୍ତାମାନେ ମତପୋଷଣ କରିଥିଲେ ।

ବିଭିନ୍ନ କଳାକାର ଓ ବିଶାରଦ ବିନା ପାରିଶ୍ରମିକରେ ସମୟ ଦେଇ ଏପରି ପିଲାମାନଙ୍କ ପାଇଁ ବଛା ବଛା ବସ୍ତିରେ କାମ ଆରମ୍ଭ କରିବେ । ସମୟାନୁକ୍ରମେ ସଫଳତାକୁ ଆଧାର କରି, ଅଧିକ ବସ୍ତି ଅଂଚଳରେ ଇଛୁକ ଥିବା ଗୋଷ୍ଠୀ ଗୁଡିକୁ ସ୍ବେଛାସେବୀ ମାନଙ୍କ ସହାୟତାରେ ଏ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବ ବୋଲି ପ୍ରୀତିନନ୍ଦା କହିଛନ୍ତି ।

ଏପରି କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ସ୍ତରରେ ସହଯୋଗ ଓ ସମୟ ଦେବାପାଇଁ ଭୁବନେଶ୍ୱରର ମାନ୍ୟବର ବିଧାୟକଗଣ ସମ୍ମତି ପ୍ରଦାନ କରିଛନ୍ତି ।

( ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ )