ବମ୍ବେ : ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଓନାମ୍ ପର୍ବ ପାଇଁ ନିଜ ଫ୍ୟାନ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ସଚିନ୍ ଓନାମ୍ ପାଇଁ ଶୁଭକାମନା ଜଣାଇଛନ୍ତି। ତେନ୍ଦୁଲକର ଦୁଇଟି ଫଟୋ ସେୟାର କରି ଖୁବ୍ ସୁନ୍ଦର ମେସେଜ୍ ଲେଖିଛନ୍ତି। ସଚିନ୍ଙ୍କ ସହ ଫଟୋରେ ଜଣେ ଦିବ୍ୟାଙ୍ଗ ଫ୍ୟାନ୍ ଅଛନ୍ତି, ଯିଏ ପାଦରେ ସଚିନ୍ଙ୍କର ଏକ ସୁନ୍ଦର ଫଟୋ ତିଆରି କରି ଉପହାର ଦେଉଛନ୍ତି। 
କାହିଁକି ପାଳନ ହୁଏ ଓନାମ୍
ଅସୁର ରାଜା ମହାବଳିଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପାଳିତ ହୁଏ ଓନାମ୍ ଉତ୍ସବ। ଦକ୍ଷିଣ ଭାରତରେ ପାଳିତ ହେଉଥିବା ଏହା ଏକ ପ୍ରମୁଖ କୃଷି ଭିତ୍ତିକ ପର୍ବ। ବିଶ୍ୱାସ ରହିଛି ଯେ, ଏହି ଦିନ ମହାବଳି ପାତାଳ ଲୋକରୁ ପୃଥିବୀକୁ ପ୍ରଜାଙ୍କୁ ଦେଖିବାକୁ ଆସିଥାନ୍ତି। ଶାସ୍ତ୍ର ଅନୁସାରେ, ରାଜା ମହାବଳି ହେଉଛନ୍ତି କଶ୍ୟପ ଋଷିଙ୍କ ପଣନାତି, ହିରଣ୍ୟକଶ୍ୟପଙ୍କ ଅଣନାତି ଏବଂ ମହାନ୍ବିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କ ନାତି।
ବାମନ ପୁରାଣ ଅନୁସାରେ,ମହାରାଜା ବଳି ନିଜ ପରାକ୍ରମ ବଳରେ ତିନି ଲୋକକୁ ଜୟ କରିଥିଲେ। ଏହା ଦେଖି ଇନ୍ଦ୍ର ଭୟରେ ବିଷ୍ଣୁଙ୍କ ଶରଣରେ ପଶି ବଳିଙ୍କ କବଳରୁ ଦେବତାଙ୍କୁ ରକ୍ଷା କରିବାକୁ ଅନୁରୋଧ କରିଥିଲେ। ଭଗବାନ ବିଷ୍ଣୁ ଦେବତାଙ୍କୁ ରକ୍ଷା କରିବାକୁ ବାମନ ରୂପ ଧାରଣ କରି ବଳି ରାଜାଙ୍କ ଠାରୁ ତିନି ପାଦ ଜାଗା ମାଗିଥିଲେ। ପ୍ରଥମ ଓ ଦ୍ୱିତୀୟ ପାଦରେ ଭଗବାନ୍ ପୃଥିବୀ ଓ ଆକାଶ ଲୋକ ନେଇଯାଇଥିଲେ। ତୃତୀୟ ପାଦ ରଖିବାକୁ ଜାଗା ନଥିବାରୁ ବଳିରାଜା ନିଜ ବଚନ ରକ୍ଷା କରିବାକୁ ଯାଇ ତୃତୀୟ ପାଦକୁ ନିଜ ମୁଣ୍ଡ ଉପରେ ରଖିବାକୁ କହିଥିଲେ।
ଏହିପରି ଭାବେ ବଳି ରାଜା ପାତାଳକୁ ଗମନ କରିଥିଲେ। ବିଷ୍ଣୁ ଏ ଅବସରରେ ବର୍ଷକୁ ଗୋଟିଏ ଦିନ ବଳିରାଜାଙ୍କୁ ପୃଥିବୀକୁ ଆସି ପ୍ରଜାଙ୍କୁ ଦେଖିଯିବାକୁ ବର ଦେଇଥିଲେ। ତେଣୁ ବର୍ଷକରେ ଥରେ ଓନାମ ପର୍ବରେ ବଳିରାଜା ପୃଥିବୀଲୋକକୁ ଆଗମନ କରିଥାନ୍ତି।
