ବେଙ୍ଗାଲୁରୁ ଏଫସିରେ ଉଦାହରଣ ଯୋଗେ ନେତୃତ୍ୱ ନେବା ମୋର ଦାୟିତ୍ୱ ହେବ : ସୁନୀଲ ଛେତ୍ରୀ
ଭୁବନେଶ୍ବର : ବେଙ୍ଗାଲୁରୁ ଏଫସି ଏବଂ ସାଫଲ୍ୟ ଯାତ୍ରାକରନ୍ତି ଗୋଟିଏ କମ୍ପାର୍ଟମେଣ୍ଟରେ ଯାତ୍ରାକରନ୍ତି । ୨୦୧୩ ରେ ଜନ୍ମନେବା ପରଠାରୁ ବେଙ୍ଗାଲୁରୁ ପ୍ରତ୍ୟେକ ସିଜନରେ ଅନ୍ୟୁନ ଗୋଟିଏ ଟ୍ରଫି ଜିତିଥିବାବେଳେ ଖେଳିଥିବା ସବୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି ।
ଦୁଇବର୍ଷ ପୂର୍ବେ ହିରୋ ଇଣ୍ଡିଆନ ସୁପର ଲିଗରେ ଯୋଗଦେବା ପରଠାରୁ ଏହି ଦଳ ମଧ୍ୟ ସୃଷ୍ଟି କରିଆସିଛି ଉଚ୍ଚ ମାନଦଣ୍ଡ । ଲିଗ ଟେବୁଲରେ ଶୀର୍ଷ ସ୍ଥାନ ଦାଖଲ ସହିତ ଫାଇନାଲ ଜିତିବାରେ ଏହା ହେଉଛି ପ୍ରଥମ ଏବଂ ଏକମାତ୍ର ଦଳ । ଏହି କୃତିତ୍ୱ ସେମାନେ ଗତ ସିଜନରେ ଏଫସି ଗୋଆ ବିପକ୍ଷ ଫାଇନାଲ ମ୍ୟାଚରେ ଶେଷ ମିନିଟ ଗୋଲ ବଳରେ ହାସଲ କରିଥିଲେ I
ଆଇଏସଏଲ ଇତିହାସରେ ବେଙ୍ଗାଲୁରୁ ଏଫସି ବ୍ୟତୀତ ଅନ୍ୟ କୌଣସି ଦଳ ଟାଇଟଲ ବଜାୟ ରଖିବାରେ ସଫଳ ହୋଇପାରିନାହିଁ । ଏଟିକେ ଏବଂ ଚେନ୍ନାୟିନ ପୂର୍ବରୁ ଦୁଇଥର ବିଫଳ ହୋଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଯାହା ଅସାଧ୍ୟ ମନେହୁଏ ତାହା କରିପାରିବେ ବୋଲି ବେଙ୍ଗାଲୁରୁ ମୁଖ୍ୟ ପ୍ରଶିକ୍ଷକ କାର୍ଲସ କ୍ଵାଡ୍ରାଟ ଏବଂ ତାଙ୍କ ଖେଳାଳୀମାନଙ୍କ ସହିତ କେହି ବାଜି ଲଗାଇପାରିବେନାହିଁ ।
ଆମେ ଖେଳୁଥିବା ପ୍ରତ୍ୟେକ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବ ଆମର ଲକ୍ଷ୍ୟ । ଆମକୁ ଆଇଏସଏଲ ଟାଇଟଲ ବଜାୟ ରଖିବାର ଅଛି ଏବଂ ଚଳିତ ସିଜନରେ ଏହା କଷ୍ଟକର ହେବ ବୋଲି ଆମେ ଜାଣୁ । ଆହୁରି ଗୁରୁତ୍ୱପୂର୍ଣ ହେଲା ଆମେ ଏସୀୟ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତନ ସହ ଏକାଧିକ ଥର ପ୍ରମାଣିତ କରିଛୁ ଯେ ଆମେ ପ୍ରତିଦ୍ବନ୍ଦ୍ବିତା କରିପାରିବୁ ଏବଂ ଭଲ ଖେଳିପାରିବୁ । ଭଲ ଖେଳ ପ୍ରଦର୍ଶନ କରି ଟାଇଟଲ ପାଇଁ ଦାବିଦାର ହେବାକୁ ଆମେ ଲକ୍ଷ୍ୟ ରଖିବୁ,” କହନ୍ତି ଅଧିନାୟକ ସୁନୀଲ ଛେତ୍ରୀ ।
ଚଳିତ ସିଜନରେ ଭାରତର ଆନ୍ତର୍ଜାତିକ ଖେଳାଳି ଆଶିକ କୁରୁନିୟାନ, ପୂର୍ବତନ ଚେନ୍ନାୟିନ ଏଫସି ମିଡଫିଲଡର ରାଫେଲ ଅଗସ୍ତୋ ଏବଂ ସ୍ପାନିଶ ଷ୍ଟ୍ରାଇକର ମାନୁଏଲ ଓନଉଙ୍କ ଯୋଗଦାନ ଫଳରେ ବେଙ୍ଗାଲୁରୁ ଏଫସି ଏକ ଦୁର୍ଦ୍ଧର୍ଷ ଦଳରେ ପରିଣତ ହୋଇପାରିଛି । ଅବଶ୍ୟ ଛେତ୍ରୀ ଏବେବି ତାଙ୍କର ସବୁଠାରୁ ବଡ ଷ୍ଟାର ଏବଂ କ୍ଲବ ଓ ଦେଶ ପାଇଁ ସେ ଯେଭଳି ଫର୍ମ ପ୍ରଦର୍ଶନ କରିଆସିଛନ୍ତି ସେଥିରୁ ବେଙ୍ଗାଲୁରୁ ଦଳର ସାଫଲ୍ୟ ଧାରା ଜାରିରହିବା ସମ୍ଭାବନା ଉଜ୍ଜ୍ୱଳ ମନେହୁଏ ।
୨୦୧୩ରେ କ୍ଲବରେ ଯୋଗଦେବା ପରେ ମୋର ଦାୟିତ୍ୱ ଥିଲା ସମସ୍ତ ସାମର୍ଥ୍ୟ ଖଟାଇବା ଏବଂ ଉଦାହରଣ ଯୋଗେ ନେତୃତ୍ୱ ନେଇ ଦଳକୁ ଟ୍ରଫି ଜିତିବାରେ ସାହାଯ୍ୟ କରିବା । ଛଅ ବର୍ଷ ମଧ୍ୟରେ ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ । ଅନ୍ୟପକ୍ଷରେ ସେହି ଭୂମିକାର ଗୁରୁତ୍ୱ ଆହୁରି ବୃଦ୍ଧିପାଇଛି ବୋଲି କହନ୍ତି ନିଜର ଗୋଲ ସ୍କୋରିଂ ଦକ୍ଷତା, ମନୋବୃତ୍ତି ଏବଂ ନେତୃତ୍ୱ ନେବାର କ୍ଷମତା ଯୋଗୁ ଉଭୟ କ୍ଲବ ଏବଂ ଦେଶ ପାଇଁ ଗେମଚେଞ୍ଜର ସାଜିଥିବା ଛେତ୍ରୀ ।
ତେବେ କହିବା ଏବଂ କରିବା ଭିତରେ ବହୁତ ଫରକ ଅଛି ବୋଲି କେହି ଭୁଲିଯିବା ଉଚିତ ନୁହେଁ । ବେଙ୍ଗାଲୁରୁ ଏଫସିର ମନେଥିବ ଯେ ସେମାନେ ୨୦୧୭-୧୮ ସିଜନରେ ନିଜ ଦୁର୍ଗ ଶ୍ରୀ କାନ୍ତିରବ ଷ୍ଟାଡିଅମରେ ଅନୁଷ୍ଠିତ ଫାଇନାଲରେ ଚେନ୍ନାୟିନ ଏଫସି ଠାରୁ ପରାସ୍ତ ହୋଇଥିଲେ । ତେଣୁ ଏଟିକେ ଏବଂ ଚେନ୍ନାୟିନ ଏଫସି ଭଳି ଦଳ ଅତୀତରେ ଯାହା କରିବାରେ ସଫଳ ହୋଇନାହାନ୍ତି ତାହା କରିବାକୁ ହେଲେ ଛେତ୍ରୀ ଏବଂ ତାଙ୍କର ସାଥି ଖେଳାଳୀମାନଙ୍କୁ ସିଜନ ତମାମ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିବାକୁ ହେବ ।
