ଭୁବନେଶ୍ୱର : ବିନା ଚାକିରିରେ ଓପିଜିସିରେ ଏମ୍ଡି ଦାୟିତ୍ୱ ଖବର ଆଜି ସ୍ୱାଧୀକାରରେ ପ୍ରକାଶ ପାଇବାପରେ ଏହାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି । ଦାୟିତ୍ୱରେ ଥିବା ଏମ୍ଡି ପ୍ରଭାକର ମହାନ୍ତିଙ୍କ ଚାକିରି ଅବଧିକୁ ପୁଣିଥରେ ବଢାଇବା ଉପରେ ତର୍ଜମା ଆରମ୍ଭ ହୋଇଥିବାବେଳେ ଖୋଦ୍ ଶ୍ରୀ ମହାନ୍ତି ଏବେ ଆଉ ଓପିଜିସି ଦାୟିତ୍ୱରେ ରହିବେନାହିଁ ବୋଲି ଅଫିସରେ ଶୁଣାଇ ଦେଇଛନ୍ତି । ଚଳିତମାସ ୪ ତାରିଖରୁ ଓପିଜିସିର ଏମ୍ଡି ଦାୟିତ୍ୱରେ ଥିବା ଶ୍ରୀ ମହାନ୍ତି ମୂଳ ଚାକିରିରୁ ମାର୍ଚ୍ଚ ୩୧ ତାରିଖରୁ ଅବସର ନେବାପରେ ୬ମାସ ପାଇଁ ଠିକାରେ ଥିଲେ ।
ଠିକା ଚାକିରି ସେପ୍ଟେମ୍ବର ୩୧ ତାରିଖରୁ ସରିଯିବାପରେ ପୁଣିଥରେ ଚାକିରି ମିଆଦ ବଢାଇବାପାଇଁ ସକରାରଙ୍କୁ ପ୍ରସ୍ତାବ ଦିଆଯାଇଛି । ତେବେ ଏଥର ୬ମାସ ବଦଳରେ ଏକାଥରକେ ଅଢେଇବର୍ଷ ବଢାଇବାକୁ ପ୍ରସ୍ତାବ ଯିବା ଫଳରେ ତାହାକୁ ନେଇ ଶକ୍ତି ବିଭାଗରେ ଟଣାଓଟରା ଚାଲିଛି । ତେବେ ଏହି ଅଧିକାରୀଙ୍କ ଚାକିରି ନଥିବାବେଳେ କିଭଳି ଏମ୍ଡି ପଦରେ ରହିଲେ ବୋଲି ଖବର ପ୍ରକାଶିତ ହୋଇଥିଲା ।
ଏଣେ ୪ ତାରିଖରୁ ଛୁଟିରେ ଥିବା ଓପିଜିସି ଏମ୍ଡି ପୁଣିଥରେ ଆମେରିକା ଗସ୍ତରେ ବାହାରିଥିବାରୁ ଶ୍ରୀ ମହାନ୍ତିଙ୍କୁ ଆଉଥରେ ଦାୟିତ୍ୱ ଦେଇ ଯିବାପାଇଁ କହିଥିଲେ । ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ମହାନ୍ତି ନିଜ ଆଡୁ ଆଉ ଦାୟିତ୍ୱରେ ରହିବେନାହିଁ ବୋଲି ଶୁଣାଇ ଦେଇଛନ୍ତି । ଗଣମାଧ୍ୟମରେ ତାଙ୍କ ନିଯୁକ୍ତି ସଂକ୍ରାନ୍ତରେ ଖବର ପ୍ରକାଶ ପାଇବାପରେ ଏ ନେଇ ଓପିଜିସି ଓ ଏଇଏସ୍ ଦପ୍ତରରେ ଘମାଘୋଟ ଆଲୋଚନା ଚାଲିଛି । ଶ୍ରୀ ମହାନ୍ତିଙ୍କ ସମେତ ତାଙ୍କ ପାଇଁ ଲବି କରୁଥିବା କିଛି ଅଧିକାରୀଙ୍କୁ କର୍ମଚାରୀମାନେ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରିଛନ୍ତି ।
ଉଲ୍ଲେଖନୀୟ ଯେ ଓପିଜିସିର ୫୧ ପ୍ରତିଶତ ଅଂଶଧନ ଆମେରେକୀୟ କମ୍ପାନୀ ଏଇଏସ୍ ହାତରେ ରହିଥିବାରୁ ଏହାର ଏମ୍ଡି ପଦରେ ଏଇଏସ୍ ଅଧିକାରୀ ଅଛନ୍ତି । ତେବେ ଜଣେ କଷ୍ଟ ଆକାଉଣ୍ଟାଣ୍ଟଙ୍କୁ ଠିକାରେ ଅର୍ଥ ନିର୍ଦ୍ଦେଶକ ପଦବରେ ରଖିବାପାଇଁ ଏଇଏସ୍ ଅଧିକାରୀ ଲବି କରିବାରୁ ଶ୍ରୀ ମହାନ୍ତିଙ୍କୁ ରାଜ୍ୟ ସରକାର ବାଧ୍ୟହୋଇ ତାଙ୍କୁ ଠିକା ନିଯୁକ୍ତି ଦେଇଥିବା ଜଣାଯାଇଛି । ଶ୍ରୀ ମହାନ୍ତି କେବଳ ଓପିଜିସିରେ ନାହାନ୍ତି, ତାହା ସହିତ ଓଏଚ୍ପିସିର ମଧ୍ୟ ଅର୍ଥ ନିର୍ଦ୍ଦେଶକ ଅଛନ୍ତି ।
ସ୍ୱାଧୀକାରରେ ଖବର ପ୍ରକାଶ ପାଇଲା ପରେ ଏବେ ତାଙ୍କର ଚାକିରି ମିଆଦ ବୃଦ୍ଧି ନେଇ ଖୋଦ୍ ଓପିଜିସିର କିଛି କର୍ମକର୍ତ୍ତା ବିରୋଧ ଆରମ୍ଭ କରିଦେଇଛନ୍ତି । ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାର ତାଙ୍କର ଠିକା ଚାକିରି ମିଆଦ ବୃଦ୍ଧି କରିବେ କି ନାହିଁ ।
