Odia News Portal

ମୋ ଖେଳ ଚାପଦ୍ୱାରା ପ୍ରଭାବିତ ନହେବା ନିଶ୍ଚିତ କରୁଛି : ସହଲ

ଭୁବନେଶ୍ବର : ନବାଗତରୁ ଷ୍ଟାର ବନିଥିବା ସହଲ ଅବଦୁଲ ସମଦଙ୍କ ଯାତ୍ରା ବେଶ ଗୁରୁତ୍ୱପୂର୍ଣ ଏବଂ ପ୍ରେରଣାଦାୟକ । କେରଳ ବ୍ଳାଷ୍ଟର୍ସ ଏଫସିର ଜଣେ ରିଜର୍ଭ ସ୍କ୍ୱାଡ଼ ଖେଳାଳିଭାବେ ଯାତ୍ରା ଆରମ୍ଭ କରିଥିବା ସଂଯୁକ୍ତ ଆରବ ଏମିରେଟସରେ ଜନ୍ମିତ ଏହି ମିଡ଼ଫିଲଡର ଭଲ ଖେଳ ପ୍ରଦର୍ଶନକରି ନାମ କମାଇବା ଯୋଗୁ ପୁରସ୍କାର ସ୍ୱରୂପ ତାଙ୍କୁ ପ୍ରଥମ ଦଳକୁ ପଦୋନ୍ନତି ମିଳିଥିଲା । ୨୦୧୭-୧୮ ସିଜନରେ ସହଲଙ୍କ ଛୋଟଛୋଟ ଆଖିଦୃଶିଆ ପ୍ରଦର୍ଶନ ଯୋଗୁ ତାଙ୍କୁ ହିରୋ ଇଣ୍ଡିଆନ ସୁପର ଲିଗର ୨୦୧୮-୧୯ ସିଜନ ପାଇଁ ପ୍ରଥମ ଦଳରେ ସ୍ଥାନଦେବାକୁ ନିଷ୍ପତ୍ତି ନେଇଥିଲେ ତତ୍କାଳୀନ ମୁଖ୍ୟ ପ୍ରଶିକ୍ଷକ ଡେଭିଡ ଜେମ୍ସ । ତା ପରଠାରୁ ଏହି ମିଡ଼ଫିଲଡର ଆଉ ପଛକୁ ଫେରିଚାହିଁ ନାହାନ୍ତି ।

ଏହି ୨୨ ବର୍ଷୀୟ ଯୁବକ ୨୦୧୮-୧୯ ସିଜନରେ କେରଳ ବ୍ଳାଷ୍ଟର୍ସ ପାଇଁ ଗୋଟିଏକୁ ଛାଡି ଅନ୍ୟସବୁ ମ୍ୟାଚ ଖେଳିଥିଲେ । ତେବେ ଏହି ସିଜନ ଦଳପାଇଁ ମୋଟାମୋଟି ଭାବେ ନୈରାଶ୍ୟଜନକ ରହିଥିଲା । କିନ୍ତୁ କେରଳ ଦଳର ମୁଖ୍ୟ ମିଡିଫିଲଡ ଖେଳାଳିଭାବେ ସହଲଙ୍କ ଆବିର୍ଭାବ ତାଙ୍କୁ ସାରା ରାଜ୍ୟରେ ଚର୍ଚ୍ଚିତ କରିଥିଲା । ଏବେ ସବୁଆଡେ ତାଙ୍କର ଖ୍ୟାତି । କିନ୍ତୁ ଖ୍ୟାତିର ଆକାଶରେ ଉଡିନଯାଇ ମାଟିରେ ନିଜ ପାଦ ସୁଦୃଢ ରଖିବାକୁ ଉଦ୍ୟମ କରୁଛନ୍ତି ସହଲ ।

ଖ୍ୟାତି ଏବଂ ଏଥିସହ ଜଡିତ ଚାପ ସମ୍ପର୍କରେ ସେ କହନ୍ତି, ଖେଳୁଥିବା ପ୍ରତ୍ୟେକ ମ୍ୟାଚରୁ ମୁଁ ଆନନ୍ଦ ନେବାକୁ ଚେଷ୍ଟାକରୁଛି । ସବୁଖେଳାଳୀ ଖ୍ୟାତିର ଚାପ ଭିତରଦେଇ ଗତିକରନ୍ତି । କିନ୍ତୁ ମୁଁ ନିଶ୍ଚିତ କରିବାକୁ ଚେଷ୍ଟା କରୁଛି ଯେ ମୋ ଖେଳ ଚାପଯୋଗୁଁ ପ୍ରଭାବିତ ନହେଉ ।

ବଲଉପରେ ସହଲଙ୍କ ଷ୍ଟାଇଲ ଓ ଟେକନିକ ଜାତୀୟ ଦଳର ପ୍ରଶିକ୍ଷକ ଇଗର ଷ୍ଟିମାକଙ୍କ ନଜରକୁ ଆସିବାପରେ ତାଙ୍କୁ ଖୁବ ଶୀଘ୍ର ଦଳରେ ସାମିଲ କରାଯାଇଥିଲା । ଏହାପରେ ସେ ଭାରତପାଇଁ ଥାଇଲାଣ୍ଡରେ କିଙ୍ଗସ କପ ଏବଂ ଓମାନ ଓ କାତାର ବିପକ୍ଷରେ ୨୦୧୨ ଫିଫା ବିଶ୍ୱକପ କ୍ୱାଲିଫାଇଂ ମ୍ୟାଚ ଖେଳିଥିଲେ ।

ବାସ୍ତବତଃ `ବ୍ଲୁ ଟାଇଗର୍ସ’ ନାମରେ ପରିଚିତ ଭାରତୀୟ ଦଳ ଗତମାସରେ ଏସୀୟ କପ ଚାମ୍ପିଅନ୍ସ କାତାର ବିପକ୍ଷରେ ଅନୁଷ୍ଠିତ ମ୍ୟାଚ ଗୋଲଶୁନ୍ୟ ଭାବେ ଡ୍ର ରଖିବା ବେଳେ ମିଡିଫିଲଡରେ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ କରିଥିଲେ ସହଲ ।

“ଭାରତ ପାଇଁ ଖେଳିବା ବାସ୍ତବିକ ବିସ୍ମୟକର । ଦେଶର ପ୍ରତିନିଧିତ୍ୱ କରିବାକୁ ସବୁ ଖେଳାଳି ସ୍ବପ୍ନ ଦେଖନ୍ତି । ମୋ ପାଇଁ ଏହା କିଛି ଅଲଗା ନଥିଲା ଏବଂ ଏହି ସ୍ବପ୍ନ ସତ ହୋଇଛି,” କହନ୍ତି ସହଲ ।

ଅକ୍ଟୋବର ୨୦ ତାରିଖ ଦିନ କୋଚିଠାରେ ହିରୋ ଆଇଏସଏଲ ଷଷ୍ଠ ସିଜନର ଏଟିକେ ବନାମ କେରଳ ବ୍ଳାଷ୍ଟର୍ସ ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଥିବାବେଳେ ସହଲ ଜାଣନ୍ତି ଯେ ମୁଖ୍ୟ କୋଚ ଏଲକୋ ଶାଟୋରୀଙ୍କ ଦଳର ଜଣେ ମୂଲ୍ୟବାନ ସଦସ୍ୟରୂପେ ସେ ଏହି ସିଜନ ଖେଳିବାକୁ ଯାଉଛନ୍ତି ।

ଅତ୍ୟଧିକ ଚାପରେ ଦବିନଗଲେ ମଧ୍ୟ ଟ୍ରଫି ଜିତିବାପାଇଁ ଲକ୍ଷ୍ୟ ରଖିବାର ଆବଶ୍ୟକତା ଉପଲବ୍ଧି କରିପାରୁଛନ୍ତି ଏହି ମିଡିଫିଲଡ ଖେଳାଳି । କାରଣ ସେ ଜାଣନ୍ତି ଯେ ଏହି ପ୍ରତିଯୋଗିତାର ପ୍ରଥମ ପାଞ୍ଚ ବର୍ଷରେ ଟ୍ରଫି ଜିତିବାର ସୁଯୋଗ ଦୁଇଥର ହାତଛଡା କରିଛି କେରଳ ବ୍ଳାଷ୍ଟର୍ସ ।

କେରଳ ବ୍ଳାଷ୍ଟର୍ସ ଏଫସି ମୋର ଦ୍ଵିତୀୟ ଘର । ଏବେ ମୁଁ ଯେଉଁ ସ୍ଥାନରେ ପହଂଚିଛି ସେଥିପାଇଁ କେରଳ ବ୍ଳାଷ୍ଟର୍ସ ଏବଂ ପ୍ରଶିକ୍ଷଣ ଦଳ ନିକଟରେ ୠଣୀ । ମୋର ବିକାଶ ଏବଂ ମୁଖ୍ୟ ଦଳରେ ସ୍ଥାନ ପାଇବାରେ ସେମାନେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଛନ୍ତି,’’ ବୋଲି କହନ୍ତି ସହଲ ।

ସେ ଆହୁରି କହନ୍ତି ଯେ ଫୁଟବଲ ଏକ ଦଳଗତ ଖେଳ ହୋଇଥିବାରୁ ଦଳର ପ୍ରତ୍ୟେକ ଖେଳାଳି ଗୁରୁତ୍ୱପୂର୍ଣ । ବ୍ୟକ୍ତିଗତଭାବେ ମୋ ପାଇଁ ଏହାକିଛି ଅଲଗା ନୁହେଁ । ଦଳର ବ୍ୟାଜ ପାଇଁ ଖେଳିବାବେଳ ଆମେ ସମସ୍ତେ ଚାପର ସମ୍ମୁଖୀନ ହେଉ । କେରଳ ବ୍ଳାଷ୍ଟର୍ସର ଲକ୍ଷ୍ୟ ଲକ୍ଷ୍ୟ ଫ୍ୟାନଙ୍କ ପାଇଁ ଖେଳୁଥିବାରୁ ମୁଁ ଭାଗ୍ୟବାନ । ମୂଲ୍ୟବାନ ପରିଗଣିତ ହେବା ଆହୁରି ବଡ କଥା । ସବୁ ଫୁଟବଲ ଦଳ ସବୁଠାରୁ ଗୁରୁତ୍ୱପୂର୍ଣ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖନ୍ତି । ତାହା ମଧ୍ୟ ଆମର ଲକ୍ଷ୍ୟ । ଆମେ ଚାହୁଁ ଆମେ ଆଇଏସଏଲ ଚାମ୍ପିଅନ ହେବୁ ।