ୟୁରୋପ ନୁହେଁ, ମୋ ଦୃଷ୍ଟି ଏବେ ଚେନ୍ନାୟିନ ଏଫସିରେ କେନ୍ଦ୍ରୀଭୂତ : ଛାଙ୍ଗଟେ
ୟୁରୋପରେ ନିଜର ଭାଗ୍ୟ ପରୀକ୍ଷା ପରେ ଭାରତ ଫେରିଛନ୍ତି ଲାଲିଆନଜୁଆଲା ଛାଙ୍ଗଟେ । ସେ ହେଉଛନ୍ତି ଦେଶର ଶ୍ରେଷ୍ଠ ପ୍ରତିଭାସମ୍ପନ୍ନ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ I ଚେନ୍ନାୟିନ ଏଫସିକୁ ହିରୋ ଇଣ୍ଡିଆନ ସୁପର ଲିଗର ଶୀର୍ଷ ସ୍ଥାନକୁ ଫେରାଇ ଆଣିବା ବର୍ତମାନ ତାଙ୍କର ମୁଖ୍ୟ ଲକ୍ଷ୍ୟ । ଷଷ୍ଠ ସିଜନ ଆରମ୍ଭ ପୂର୍ବରୁ ଆଇଏସଏଲ ଗଣମାଧ୍ୟମ ସହିତ କଥା ହୋଇଥିଲେ ଏହି ଯୁବ ଖେଳାଳି ।
ତୁମକୁ ଚୁକ୍ତିବଦ୍ଧ କରିବାଲାଗି ସବୁ କ୍ଲବ ତମ ପଛରେ ଗୋଡ଼ାଇଥିବା ବେଳେ ତୁମେ କାହିଁକି ଚେନ୍ନାୟିନ ଏଫସିକୁ ପସନ୍ଦ କଲ?
ମୁଁ ଅନୁଭବ କଲି ମୋ ପାଇଁ ଏହା ହେବ ସବୁଠାରୁ ଭଲ ପଦକ୍ଷେପ । ଅନ୍ୟ କ୍ଳବମାନଙ୍କ ଅପେକ୍ଷ୍ୟା ସେମାନେ ମୋପ୍ରତି ଅଧିକ ଆଗ୍ରହ ଦେଖାଇଲେ ଏବଂ ସମ୍ମାନ ଦେଲେ । ତାଙ୍କ କୋଚ ମତେ ମଧ୍ୟ ଫୋନ କଲେ ଏବଂ ତାଙ୍କର ଭବିଷ୍ୟତ ଯୋଜନା ବାବଦରେ କହିଲେ । ମୋର ବିକାଶ ପାଇଁ ସାହାଯ୍ୟ କରିବାକୁ ସେ ଉଚ୍ଛୁକ ଏବଂ ମୁଁ ମଧ୍ୟ କ୍ଲବ ନିକଟରେ କୃତଜ୍ଞ ।
ନରୱେ କ୍ଲବ ଭାଇକିଙ୍ଗ ଏଫସି ପାଇଁ ତୁମେ ଦୁଇଥର ଟ୍ରାଏଲ ଦେଇସାରିଛ । ତୁମର ପରବର୍ତ୍ତି ୟୁରୋପୀୟ ସ୍ୱପ୍ନ କଣ ?
ନରୱେରେ ଭାଇକିଙ୍ଗ କ୍ଲବ ସହିତ ମୋର ଅନୁଭୂତି ଖୁବ ଭଲ ଥିଲା । ଏବେ କିନ୍ତୁ ମୋ ଧ୍ୟାନ ସମ୍ପୁର୍ଣ୍ଣ ଚେନ୍ନାୟିନ ଏଫସିରେ ନିବଦ୍ଧ ଏବଂ ମୁଁ ତାଙ୍କୁ ଇଣ୍ଡିଆନ ସୁପର ଲିଗ ଟାଇଟଲ ଫେରିପାଇବା ଲାଗି ସାହାଯ୍ୟ କରିବାକୁ ଚାହୁଁଛି । ଜଣେ ଖେଳାଳିଭାବେ ୟୁରୋପରେ ଖେଲିବାଲାଗି ମୁଁ ଏବେବି ଆଶା ରଖିଛି । କିନ୍ତୁ ବର୍ତମାନ ମୁଁ କଠିନ ପରିଶ୍ରମ କରି କ୍ଲବ ଓ ଦେଶ ପାଇଁ ଭଲ ପ୍ରଦର୍ଶନ କରିବାକୁ ଅଧିକ ଗୁରୁତ୍ୱ ଦେଉଛି ।
ଚେନ୍ନାୟିନ ଏଫସି ଶେଷ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବବୋଲି ତୁମେ କେମିତି ଆଶା କରିପାରୁଛ ?
ଗତବର୍ଷ ସେମାନେ ଭଲ କରିନଥିଲେ, କିନ୍ତୁ ତାହା ଅତୀତର କଥା । ନୂଆ ଖେଳାଳିଙ୍କ ଯୋଗଦାନ ଫଳରେ ଦଳ ସୁଦୃଢ ହୋଇଛି । ଆମର ସହାୟକ ଷ୍ଟାଫ ଖୁବ ବିନୟୀ । ସେମାନଙ୍କ ସହିତ କାମକରିବାକୁ ଭଲ ଲାଗୁଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ଯେ ଆମ ପାଖରେ ଟାଇଟଲ ଜିତି ସାରିଥିବା ଜଣେ ପ୍ରଶିକ୍ଷକ ଅଛନ୍ତି ଏବଂ ସେ କ୍ଳବକୁ ତାର ଯୋଗ୍ୟ ସ୍ଥାନ ଶୀର୍ଷକୁ ଫେରାଇଆଣିବା ଲାଗି ଦୃଢ ପ୍ରୟାସ କରୁଛନ୍ତି । ଲକ୍ଷ୍ୟ ପୂରଣ ଲାଗି ଆମର ଯେ ସାମର୍ଥ୍ୟ ଅଛି ସେଥିରେ କୌଣସି ସନ୍ଦେହ ନାହିଁ ।
ଦିଲ୍ଲୀ ଡାଇନାମୋଜରେ ନିଜ ଅଭିଜ୍ଞତାକୁ କେମିତି ବର୍ଣନା କରିବେ ?
ସେମାନେ ମୋ ଉପରେ ଆସ୍ଥା ରଖିଲେ ଏବଂ ତାହା ମୋପାଇଁ ପ୍ରକୃତରେ ଏକ ବଡ ସୁଯୋଗ ଥିଲା । ମୁଁ ସେମାନଙ୍କ ନିକଟରେ ୠଣୀ । ସମସ୍ତ ଵ୍ୟାକରୁମ କର୍ମଚାରୀ ମୋତେ ଭଲ ସହଯୋଗ କରିଥିଲେ । ସେମାନଙ୍କ ସାହାଯ୍ୟ ବିନା ମୁଁ ଆଜିଭଳି ଖେଳାଳି ହୋଇପାରିନଥାନ୍ତି ।
ଭାରତ ପାଇଁ ପ୍ରଥମ ଥର ଖେଳିବା ବେଳେ ତୁମକୁ ବେଶୀ ବୟସ ହୋଇନଥିଲା । ସହଳ ଡେ଼ବୁ କରିଥିବାରୁ ଫିକା ପଡିଯିବାର ଡର ଥିଲାକି ?
ଦେଶପାଇଁ ପ୍ରଥମ ମ୍ୟାଚରେ ଗୋଲ ଦେବା ଏବଂ ଏହାପରେ ୨୦୧୫ରେ ସାଫ ଚାମ୍ପିଅନସିପ ଜିତିବା ଥିଲା ମହାନ ଅଭିଜ୍ଞତା । ସେହିଦିନ ଠାରୁ ଉତ୍ଥାନ ପତ୍ତନ ଲାଗିରହିଛି ଏବଂ ଏହାଭିତରେ ମୁଁ ସକାରାତ୍ମକ ରହିବା ଓ କଠିନ ପରିଶ୍ରମ କରିଚାଲିବା ଶିଖିଯାଇଛି ।
ଏବେ ଇଗର ଷ୍ଟିମାକଙ୍କ ସହିତ କାମକରିବା ସମ୍ପର୍କରେ କଣ କହିବେ ?
ସେ ଜଣେ ମହାନ ପ୍ରଶିକ୍ଷକ ଏବଂ ଖେଳାଳୀମାନଙ୍କୁ ଭଲଭାବେ ବୁଝନ୍ତି । ଖେଳାଳୀମାନଙ୍କ ଭିତରେ ପ୍ରତିଯୋଗିତାକୁ ସେ ଜୋରଦାର କରିଛନ୍ତି । ତାଙ୍କର ଉଦ୍ଦେଶ୍ୟ ପ୍ରତ୍ୟେକ ଖେଳାଳି ଲକ୍ଷ୍ୟ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରନ୍ତୁ ଏବଂ କେହି ମାଗଣାରେ ଦଳରେ ସ୍ଥାନ ନପାଆନ୍ତୁ । ଟ୍ରେନିଂ ପଡିଆରେ ତୁମେ ଯଦି ଭଲ ପ୍ରଦର୍ଶନ କଲ, ତୁମର ବୟସ କମ ହେଉ କିମ୍ବା ଅଧିକ, ତୁମକୁ ଦଳରେ ସ୍ଥାନ ମିଳିବ । ସେ ଆମ ସମସ୍ତଙ୍କ ପାଖରୁ ଶ୍ରେଷ୍ଠ ଖେଳ ବାହାର କରିପାରୁଛନ୍ତି ।
କାତାର ବିପକ୍ଷରେ ପଏଣ୍ଟ ହାସଲ କରିବା କେତେ ସ୍ମରଣୀୟ ?
ଦଳପାଇଁ ଏହା ଏକ ଚମତ୍କାର ଫଳାଫଳ ଏବଂ ଦେଶପାଇଁ ବିପୁଳ ଆନନ୍ଦ ଆଣିଛି । ମୁଁ ଜଣେ ଦଳୀୟ ଭାବନା ରଖୁଥିବା ଖେଳାଳି । ତେଣୁ ମୋର ଧାରଣା ଦଳପାଇଁ ଯିଏବି ଖେଳୁନା କାହିଁକି, ଆଶାନୁରୂପକ ଫଳ ପାଇବା ଗୁରୁତ୍ୱପୂର୍ଣ । ବ୍ୟକ୍ତିଗତଭାବେ ମୁଁ କଠିନ ପରିଶ୍ରମ କରି ପ୍ରତିଦିନ ମୋ ଖେଳରେ ଉନ୍ନତି ଆଣିବାକୁ ଚାହୁଁଛି । କାତାର ବିପକ୍ଷରେ ଆମର ପ୍ରଦର୍ଶନ ଓ ଫଳାଫଳ ଆମ ସମସ୍ତଙ୍କ ମନୋବଳ ବୃଦ୍ଧି କରିଛି । କିନ୍ତୁ ଆମେ ଖୁସିରେ ଆତ୍ମହରା ନହୋଇ ବାଂଲାଦେଶ ବିପକ୍ଷରେ ଭଲ ଖେଳି ବିଜୟୀ ହେବା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରୁଛୁ ।
