Odia News Portal

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ବାସୀଙ୍କୁ ନବୀନଙ୍କ ଦୀପାବଳି ଭେଟି

ଭୁବନେଶ୍ବର : ବରିଷ୍ଠ ଅଧିକାରୀ ଓ ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅତିରିକ୍ତ ଭିତ୍ତିଭୂମୀ ବିକାଶ ପାଇଁ ୪୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ରକଳ୍ପ ଘୋଷଣା କରିଛନ୍ତି । ସେସବୁ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ମେଡିକାଲ କଲେଜ ।

ପ୍ରାୟ ୧୦ ଦିନ ପୂର୍ବେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରାଜ୍ୟ ସରକାର ମୋ ସରକାର ଯୋଜନା ଆରମ୍ଭ କରିଥିଲେ । ଏଥିରେ ମୁଖ୍ୟତଃ ପୋଲିସ ଓ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦିଆଯାଇଥିଲା । ଏହି ଯୋଜନା ଲାଗୁ ହେବା ଦିନରୁ ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୧୨୦ ଜଣ ଲୋକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ସେମାନଙ୍କ ଠାରୁ ମିଳୁଥିବା ପ୍ରତିକ୍ରିୟା ଉତ୍ସାହଜନକ ଥିଲା ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ଏହି ଯୋଜନାରେ ଏକ ଷ୍ଟ୍ରାଟେଜି ଭାବେ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତରେ ପଠାଯାଇଥିଲା । ସେମାନଙ୍କୁ ଅନ୍ୟୁନ ୧୫ଟି ଜିଲ୍ଲା ଗସ୍ତ କରିବାକୁ କୁହାଯାଇଥିଲା । ଅଫିସରମାନଙ୍କ ଜିଲ୍ଲା ଗସ୍ତ ସମୟରେ ଲୋକଙ୍କ ପ୍ରତିକ୍ରିୟା ଏବଂ ପୋଲିସ ଓ ଡାକ୍ତରଖାନାରେ ଅଧିକାରୀଙ୍କ କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ ଥିଲା । ମୋ ସରକାର ଟିମର ପ୍ରଥମ ଦିନର ଗସ୍ତ ରିପୋର୍ଟ ଅନୁଯାୟୀ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ମେଡିକାଲ କଲେଜ ଏହି ଚାରୋଟି ଅନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଏକ ପ୍ୟାକେଜ ଘୋଷଣା କରିଛନ୍ତି ।

ତଦନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ରୋଗୀଙ୍କ ପାଇଁ ୪ଟି ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଥିସହିତ ଏହି ଚାରି ଜିଲ୍ଲାର ଏସପିଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ରହଣୀ ପାଇଁ ଟ୍ରାନଜିଟ ହୋମ ସହ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ, ଡାକ୍ତରଖାନାରେ ବେଡ ସଂଖ୍ୟାକୁ ୨୦୦କୁ ବୃଦ୍ଧି ସହ ମୋଟରୁ ମାଲକାନଗିରିକୁ ଦୈନିକ ବସ ସେବା ପ୍ରଦାନ କରାଯିବ । ସେହିପରି କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ବେଡ ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ ସହ ବର୍ତ୍ତମାନ ଡାକ୍ତରଖାନା ବ୍ଲିଡିଂ ଉପରେ ଏକ ନୂଆ ୱାର୍ଡ ନିର୍ମାଣ କରାଯିବ । ଏଠାରେ ଷ୍ଟାଫ କ୍ବାଟର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ସାଙ୍ଗକୁ ଦୁଇଟି ନୂଆ ଆମ୍ବୁଲାନ୍ସ ପ୍ରଦାନ କରାଯିବ ।

କୋରାପୁଟ ମେଡିକାଲ କଲେଜ ସେହିଭଳି ୫୦୦ ଶଯ୍ୟା ବିଶିଷ୍ଟ କରିବାକୁ ଯୋଜନା ହୋଇଥିଲା ବେଳେ ଏହାକୁ ୨୪ ମାସ ଅର୍ଥାତ ୨ ବର୍ଷ ମଧ୍ୟରେ ୭୫୦ ଶଯ୍ୟା ବିଶିଷ୍ଟ ହେବ । ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟସ୍ଥଳୀ ଏବଂ ଷ୍ଟାଫ କ୍ବାଟର ଓ ଟ୍ରାନଜିଟ ହୋମ ନିର୍ମାଣ କରାଯିବ । ମେଡିକାଲ କଲେଜକୁ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡି ମଧ୍ୟ ଯୋଗାଇ ଦିଆଯିବ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ବେଡ ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବା ସହ ନୂଆ ଡାକ୍ତରଖାନା ବିଲଡିଂ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟସ୍ଥଳୀ ତିଆରି ହେବ । ଏହି ଡାକ୍ତରଖାନାକୁ ମଧ୍ୟ ୩ଟି ନୂଆ ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡି ଯୋଗାଇଦିଆଯିବ ।