ଭୁବନେଶ୍ୱର : ଓଡିଶା ସରକାରଙ୍କ ଲାଭକାରୀ ସଂସ୍ଥା ଓଡିଶା ତାପଜ ବିଦ୍ୟୁତ୍ ନିଗମ (ଓପିଜିସି) ଏବେ ଏକ ପ୍ରକାର ମୁରବୀ ବିହୀନ । ଚଳିତ ମାସ ପହିଲାରୁ ଏହି ସଂସ୍ଥାରେ ଅର୍ଥ ନିର୍ଦ୍ଦେଶକ ନଥିବାବେଳେ କାହାକୁ ଦାୟିତ୍ୱ ନଦେଇ ପରିଚାଳନା ନିର୍ଦ୍ଦେଶକ ଏବେ ଆମେରିକା ଗସ୍ତରେ । ଫଳରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟୋଗ ଏବେ ବିନା ମୁରବୀରେ ଚାଲୁଥିବା ନେଇ ଚର୍ଚ୍ଚା ହେଉଛି । ଓପିଜିସିର ବଡ ଅଂଶ ରହିଛି ରାଜ୍ୟ ସରକାରଙ୍କ ହାତରେ । ଓଡିଶା ସରକାରଙ୍କ ହାତରେ ୫୧ ପ୍ରତିଶତ ଅଂଶଧନ ଥିବାବେଳେ ଆମେରିକୀୟ ସଂସ୍ଥା ଏଇଏସ୍ ହାତରେ ରହିଛି ୪୯ପ୍ରତିଶତ ।
ହେଲେ ନିୟମ ଅନୁଯାୟୀ ସଂସ୍ଥାର ଏମ୍ଡି ନିଯୁକ୍ତ ହେଉଛନ୍ତି ଏଇଏସ୍ର ମର୍ଜିରେ । ଏବେ ସଂସ୍ଥାରେ ଠିକା ଅର୍ଥ ନିର୍ଦ୍ଦେଶକ ଥିବା ପ୍ରଭାକର ମହାନ୍ତିଙ୍କ ଠିକା ଚାକିରି ଅବଧି ଅକ୍ଟୋବର ପହିଲାରୁ ଶେଷ ହୋଇଥିବାରୁ ତାଙ୍କର ଚାକିରି ମିଆଦ ବୃଦ୍ଧିର ଫାଇଲିଟ୍ ସରକାରଙ୍କ ନିକଟରେ ପଡିଛି । ତେଣୁ ଓପିଜିସିରେ ଚଳିତ ମାସ ପହଲାରୁ ଅର୍ଥ ନିର୍ଦ୍ଦେଶକ ପଦବୀ ଶୂନ୍ୟ । ସବୁଠାରୁ ବଡ କଥା ହେଲା ଏତେବଡ ପଦବୀକୁ ସରକାର ଠିକାରେ ଚଳାଉଥିବାବେଳେ ଏବେ ଏକାଥରେ ଅଢେଇ ବର୍ଷ ପାଇଁ ଠିକା ନିଯୁକ୍ତି ଦେବାକୁ ଫାଇଲ୍ ଛାଡିଛନ୍ତି ।
କାହା ସ୍ୱାର୍ଥରେ ଜଣେ କଷ୍ଟ ଆକାଉଣ୍ଟାଣ୍ଟଙ୍କୁ ଏଭଳି ପଦବୀରେ ଏକା ଥରେ ଅଢେଇବର୍ଷ ପାଇଁ ଠିକା ନିଯୁକ୍ତି ଦିଆଯିବ ତାହାକୁ ନେଇ ଓପିଜିସିରେ ଚର୍ଚ୍ଚା ହେଉଛି । ତେବେ ଚଳିତମାସ ୪ ତାରିଖରୁ ଚାକିରି ନଥିବା ଏହି ଠିକା ଅଧିକାରୀଙ୍କୁ ଓପିଜିସି ଏମ୍ଡି ଇନ୍ଦ୍ରନିଲ୍ ଦତ୍ତ ଦାୟିତ୍ୱ ଦେଇ ଛୁଟିରେ ପଳାଇଥିଲେ । କିନ୍ତୁ ସ୍ୱାଧୀକାରରେ ଚାକିରି ନଥାଇ ଏମ୍ଡି ଦାୟିତ୍ୱ ଶୀର୍ଷକ ଖବର ପ୍ରକାଶ ପାଇଲାପରେ ଶ୍ରୀ ମହାନ୍ତି ଆଉ ଦାୟିତ୍ୱ ନେବାକୁ ଇଚ୍ଛା ପ୍ରକଟ କଲେନାହିଁ । ଫଳରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଦତ୍ତ ଏବେ ଆମେରିକା ଗସ୍ତରେ ଥିବାବେଳେ କାହାକୁ ଦାୟିତ୍ୱ ଦେଇ ଯାଇ ନାହାନ୍ତି । ସବୁକିଛି ଫୋନ୍ରେ ଚାଲିଛି ।
ଶ୍ରୀ ମହାନ୍ତି ଦାୟିତ୍ୱ ନେବାକୁ ରାଜି ନହେବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ସବୁଠାରୁ ବଡ କଥା ହେଲା ଗତବର୍ଷ ଅଗଷ୍ଟ ୨୯ ତାରିଖରେ ଖୋଦ୍ ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଠିକାରେ ନରଖିବାପାଇଁ ଓପିଜିସି ସମେତ ସମସ୍ତ ସରକାରୀ ଉଦ୍ୟୋଗକୁ ପତ୍ର ଲେଖିଥିଲେ । କିନ୍ତୁ ୫-ଟି କାର୍ଯ୍ୟକାରୀ କରୁଥିବା ରାଜ୍ୟ ସରକାର ଏହାକୁ ଫୁ କରିଦେଇଛନ୍ତି ।
ପୂର୍ବରୁ ଆଇଆରଏସ୍ ଅଫିସର ବସୁଥିବା ପଦବୀରେ ଜଣେ କଷ୍ଟ ଆକାଉଣ୍ଟାଣ୍ଟଙ୍କୁ ଠିକାରେ ରଖିବା ଓ ଛଅମାସ ଠିକା ଚାକିରି ଅବଧି ସରିବାପରେ ତାଙ୍କ ଚାକିରିକୁ ଆଉଥରେ ଅଢେଇବର୍ଷ ପାଇଁ ବଢାଇବାକୁ ସାଧାରଣ ଉଦ୍ୟୋଗ ବିଭାଗ ମବୀ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଥିବା ଉଚ୍ଚସ୍ତରୀୟ କମିଟି କିଭଳି ସୁପାରିଶ୍ କଲା ତାହାକୁ ନେଇ ଏବେ ପ୍ରଶ୍ନବାସୀ ସୃଷ୍ଟି ହୋଇଛି ।
