ଭୁବନେଶ୍ୱର : ଆଜି ଠାରୁ ରାଜଧାନୀରେ ଆରମ୍ଭ ହେଉଛି ଜାତୀୟ ସ୍ତରୀୟ ଖଦି ପ୍ରଦର୍ଶନୀ । ହେଲେ ଏହି ପ୍ରଦର୍ଶନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ନାହାନ୍ତି କି ରାଜଧାନୀର ଦୁଇ ବିଧାୟକ ସ୍ଥାନ ପାଇନାହାନ୍ତି । ଖଦିବୋର୍ଡ ପକ୍ଷରୁ ଛପାଯାଇଥିବା ନିମବଣପତ୍ରରେ ରହିଛି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ଓ ତାଙ୍କ ତଳକୁ ରହିଛି ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ନାମ ।
ଏହାକୁ ଦେଖିଲାପରେ ଏବେ ଖଦିବୋର୍ଡ ସଭାପତିଙ୍କ ଏଭଳି ଆନୁଗତ୍ୟ ନିମବଣ ଉପରେ ପ୍ରଶ୍ନ ଲାଗିଥିବାବେଳେ ବିଭାଗୀୟ ମନ୍ତ୍ରୀ କିମ୍ବା ସ୍ଥାନୀୟ ବିଧାୟକଙ୍କୁ ନଡାକି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ସେଠାକୁ କିଭଳି ଯିବେ ବୋଲି ପ୍ରଶ୍ନ ହେଲାଣି । ଆଜି ସଂଧ୍ୟାରେ ଉଦ୍ଘାଟନ ହେବାକୁ ଥିବା ଜାତୀୟ ସ୍ତରୀୟ ଖଦି ପ୍ରଦର୍ଶନୀ ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ସ୍ଥାନକୁ ନିମବଣପତ୍ର ପଠାଇବାରେ ଲାଗିଛନ୍ତି । ନିମବଣପତ୍ରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ।
ମୁଖ୍ୟ ଅତିଥି ହେଉଛନ୍ତି ମନ୍ତ୍ରୀ ଶ୍ରୀ ପଣ୍ଡା ଓ ମୁଖ୍ୟବକ୍ତାଙ୍କ ସ୍ଥାନରେ ରହିଛି ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ନାମ । ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏଥିରେ ସଭାପତିତ୍ୱ କରିବେ । ତେବେ ପ୍ରଶ୍ନ ଉଠୁଛି ଏତେ ବଡ ପ୍ରଦର୍ଶନୀ ଉଦ୍ଘାଟନରେ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗଲେ କୁଆଡେ ? ମନ୍ତ୍ରୀଙ୍କୁ କାହିଁକି ଡକାଗଲା ନାହିଁ ? ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଦର୍ଶନୀ ତାରିଖ ଚୂଡାନ୍ତ ହୋଇଛି ନା ନାହିଁ ? ଏଭଳି ପ୍ରଶ୍ନ ଉଠିବା ସହିତ ଅନ୍ୟ ବିଭାଗର ମନ୍ତ୍ରୀ ମୁଖ୍ୟ ଅତିଥି ହେବା ଏବେ ଅନେକଙ୍କୁ ଆଚର୍ଯ କରିଛି ।
ଖଦିବୋର୍ଡର କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ସଭାପତି ନିଜ ଅଞ୍ଚଳ ନେତାଙ୍କୁ ଖୁସି କରିବାପାଇଁ ଏଭଳି କରିଛନ୍ତି । ପୂର୍ବରୁ ସବୁ ପ୍ରଦର୍ଶନୀ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଆସୁଥିବାବେଳେ ଏବେ ତାଙ୍କୁ ଅଣଦେଖା କରାଯାଇଛି । ଏହା ଫଳରେ ଆଗାମୀ ଦିନରେ ବୋର୍ଡକୁ ଆଉ ସରକାରୀ ସହାୟତା ମିଳିବ ନାହିଁ ସନ୍ଦେହ ପ୍ରକାଶ କରିଛନ୍ତି ସେମାନେ । ତେବେ ସବୁଠାରୁ ଗୁରୁତର କଥା ହେଉଛି ନିମବଣ ପତ୍ରରେ ରାଜଧାନୀର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ନାମ ନାହିଁ । ଏହାକୁ ନେଇ ସେମାନଙ୍କ ସମର୍ଥକମାନେ ଏବେ ଖପ୍ପା ।
ବିଜେଡି ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଅଛି ଯେ ଯେଉଁଠାକୁ ମନ୍ତ୍ରୀମାନେ ଅତିଥିହୋଇ ଯିବେ ସେଠାରେ ସ୍ଥାନୀୟ ବିଧାୟକଙ୍କୁ ଡାକିବା ବାଧ୍ୟତାମୂଳକ । ହେଲେ ଏଠାରେ କାହା ବୁଦ୍ଧିରେ ପଡି ସଂଗ୍ରାମ ଦୁଇ ବିଧାୟକଙ୍କୁ ଅଣଦେଖା କଲେ ତାହା ପ୍ରଶ୍ନବାଚୀ । କିଛି ବିଜେଡି ନେତାଙ୍କ କହିବାକଥା ଯେ ମନ୍ତ୍ରୀ ଶ୍ରୀ ପଣ୍ଡା ଏବେ ସଂଗ୍ରାମଙ୍କ ପିଠିରେ ଲାଉ ହୋଇଛନ୍ତି । ବିଜେଡି ପତଯାତ୍ରା ସମୟରେ ଦଳୀୟ ଯୁବନେତା ଓ ସାଂସଦ ପ୍ରାର୍ଥୀଙ୍କୁ ଅଣଦେଖା କରିବାପରେ ଦଳ ଭିତରେ ଏକ ପ୍ରକାର ଏକଘରକିଆ ହୋଇପଡିଛନ୍ତି ।
ତେଣୁ କୁଳ କିନ୍ନାରା ନପାଇ ସଂଗ୍ରାମଙ୍କୁ ପଟେଇ ଏଭଳି କାର୍ଯ୍ୟ କରିଛନ୍ତି । ତେବେ ସଂଗ୍ରାମଙ୍କ ଭଳି ଜଣେ ଯୁବନେତା ଅଶୋକଙ୍କ ପ୍ରେମରେ ବାଇହୋଇ କିଭଳି ଦୁଇ ବିଧାୟକଙ୍କୁ ଭୁଲିଗଲେ ଓ ଆଗାମୀ ଦିନରେ କାହାକୁ ନେଇ ରାଜଧାନୀରେ ରାଜନୀତି କରିବେ ସେ ସଂକ୍ରାନ୍ତରେ ବିଜେଡିରେ ତର୍ଜମା ଆରମ୍ଭ ହୋଇଯାଇଛି ।
