ପୁରୀ : ଟ୍ରେନ୍ରେ ହେଉଥିବା ଭିଡ଼ ପାଇଁ ପରୀକ୍ଷାର୍ଥୀମାନଙ୍କୁ ଯାତାୟତରେ ଅସୁବିଧା ହୋଇଥାଏ। ଏହି ସମସ୍ୟାକୁ ଆଖି ଆଗରେ ରଖି କିଛି ଦିନ ତଳେ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚାଲୁ କରାଯାଇଥିବା ବେଳେ କାଲି ପୁରୀରୁ ଟାଟାନଗର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିଥିଲା। ଶନିବାର ଦିନ ପୁଣି ଥରେ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ପୁରୀ-ରାୟପୁରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ରହିଛି। ସଂନ୍ଧ୍ୟା ୭ଟାରେ ଟ୍ରେନ୍ଟି ପୁରୀ ରେଳ ଷ୍ଟେସନ ଛାଡ଼ିବା ସହ ଭୁବନେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଓ ଟିଟିଲାଗଡ଼ ଦେଇ ଯାତ୍ରା କରିବ।
ଏଥିରେ ୧୨ଟି ଜେନେରାଲ କୋଚ୍ ଥିବା ବେଳେ ପରୀକ୍ଷାର୍ଥୀମାନେ ଜେନେରାଲ ବୁକିଂ କାଉଣ୍ଟର ବା ନିଜ ଫୋନ ଜରିଆରେ ଟିକେଟ ବୁକ୍ କରି ପାରିବେ। ପୁରୀ-ରାୟପୁର ସହ ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସରେ ମଧ୍ୟ ଦୁଇଟି ଜେନେରାଲ କୋଚ୍କୁ ସାମିଲ କରାଯାଇଥିବା ଜଣା ପଡ଼ିଛି। ଯାହା ଦ୍ୱାରା ପରୀକ୍ଷାର୍ଥୀମାନେ ଅଧିକ ଲାଭବାନ ହେବେ।
ସୂଚନା ମୁତାବକ, ବିଭିନ୍ନ ପରୀକ୍ଷା ସମୟରେ ରାଜ୍ୟ ବାହାରକୁ ପରୀକ୍ଷାର୍ଥୀମାନେ ଯିବା ସହ ବାହାରୁ ପରୀକ୍ଷାର୍ଥୀମାନେ ଓଡ଼ିଶା ଆସିଥାନ୍ତି। ଯେଉଁଥି ପାଇଁ ଟ୍ରେନରେ ପ୍ରବଳ ଭିଡ଼ ହେତୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟାର ସମାଧାନ କରିବାକୁ ଯାଇ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ପୂର୍ବରୁ ଚାଲିଥିବା ଦୁଇଟି ଟ୍ରେନ୍ରେ କେବଳ ଜେନେରାଲ କୋଚ ରହିଥିଲା।
