ଭୁବନେଶ୍ୱର : ମୋ ସରକାର ଓ ୫-ଟି ପଞ୍ଝାରେ ପଡି ଜଣକ ପରେ ଜଣେ ଦୁର୍ନୀତି ଗ୍ରସ୍ତ ଅଫିସର ବିଦା ହେବା ଓ ବାଧ୍ୟତାମୂଳକ ଭାବେ ଚାକିରୀରୁ ଅବସର ନେଉଥିବା ଯୋଗୁଁ ଆଗାମୀ ଦିନରେ କାର୍ଯ୍ୟାାନୁଷ୍ଠାନକୁ ଦୃଷ୍ଟିରେ ରଖି ଅନେକ ବିଭାଗର କର୍ମଚାରୀମାନେ ଛାନିଆ ହେବାରେ ଲାଗିଛନ୍ତି ।
ବିଶେଷକରି ଯେଉଁସବୁ ବିଭାଗରେ ମୋ ସରକାର କାର୍ଯ୍ୟକାରୀ ହେବାକୁ ଯାଉଛି ସେଠାରେ ଏଭଳି ଅବସ୍ଥା ଉପୁଜିଛି । ରାଜ୍ୟ ସରକାର ଗାନ୍ଧୀଜୟନ୍ତୀରୁ ମୋ ସରକାର ଯୋଜନା କାର୍ଯ୍ୟକାରୀ କରିବାପରେ ପ୍ରଥମେ ଏହାକୁ ଡାକ୍ତରଖାନା ଓ ଥାନାରେ କାର୍ଯ୍ୟକାରୀ କରିଛନ୍ତି । କେବଳ କାର୍ଯ୍ୟକାରୀ କରିନାହାନ୍ତି ଏହାଦ୍ୱାରା ଲୋକେ କିଭଳି ସୁଫଳ ପାଉଛି ସେଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଲୋକଙ୍କ ଠାରୁ ଫୋନ୍ କରି ବୁଝୁଥିବାବେଳେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ତୋଫାନୀ ଗସ୍ତ କରୁଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ତୃତୀୟ ମହଲାର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରୁଛନ୍ତି । ଯେଉଁଠି ଖଇଚା ଦେଖାଯାଉଛି ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ । ସୁନ୍ଦରଗଡ ସିଡିଏମଓଙ୍କୁ ସସ୍ପେଣ୍ଡ ପରେ ଜିଲ୍ଲାପାଳଙ୍କୁ କୈଫତ ତଲବ ହୋଇଛି । ବିରି ମାଡ ଦେଖ କୋଳଥ ଚେପା ନ୍ୟାୟରେ ଏବେ ଅନେକ ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା ସୁଧୁରିବାରେ ଲାଗିଛି ।
ଡାକ୍ତରମାନେ ଠିକ୍ ସମୟରେ ରୋଗୀ ଦେଖୁଥିବାବେଳେ ସରକାରୀ ଔଷଧ ଲୋକଙ୍କୁ ଲେଖୁଛନ୍ତି । ସେହିଭଳି ଅବସ୍ଥା ଥାନା କ୍ଷେତ୍ରରେ । ଥାନାକୁ ଆସୁଥିବା ଲୋକମାନଙ୍କ ନିକଟକୁ ସିଧାସଳଖ ପୁଲିସ୍ ମହାନିର୍ଦ୍ଦେଶକ ଓ ପୁଲିସ୍ କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଫୋନ୍ କରୁଥିବାରୁ ଥାନାରେ ଥିବା ବାବୁମାନେ ବି ଛାନିଆ । ଲୋକଙ୍କୁ ପୂର୍ବଭଳି ନଘଉଡାଇ ସେମାନଙ୍କୁ ଉତ୍ତମ ବ୍ୟବହାର ଦେଖାଉଛନ୍ତି । ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶକରେ ଆରଟିଓ ଓ ଡାକ୍ତରଖାନା ଗୁହିକ ଦଲାଲମୁକ୍ତ ହେବାପରେ ଏବେ ଦାଦନ ଦଲାଙ୍କ ଉପରେ ହାମ୍ଲା ହେଉଛି । ଇତି ମଧ୍ୟରେ ୯୧ଜଣ ଦାଦନ ସର୍ଦ୍ଦାର ବନ୍ଧା ହେଲେଣି ।
ଦୁର୍ନୀତି ଅଭିଯୁକ୍ତ ପୁଲିସ୍ ବାବୁ ମାନଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେବାପରେ ଏବେ ବିଭାଗରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଡାକ୍ତରଖାନା ଓ ଥାନା ଗୁଡିକ ଉପରେ ସରକାର କମର କଷିଥିବାବେଳେ ଅନ୍ୟ ବିଭାଗ ଗୁଡିକ ଏହାକୁ ଦେଖି ଛାନିଆ ହେବାରେ ଲାଗିଛନ୍ତି । ସେମାନଙ୍କ ବିଭାଗରେ ମୋ ସରକାର ଓ ୫-ଟି କାର୍ଯ୍ୟକାରୀ ହେଲେ ବିଭାଗୀୟ ଅଧିକାରୀ ଘନ ଘନ ଚଢଉ କରିବେ ଏବଂ ସେଭଳି ସ୍ଥିତିରେ ଲୋକଙ୍କୁ କିଭଳି ସେବା ଯୋଗାଇବେ ଏ ନେଇ ଏକ ପ୍ରକାର ନିଦ ହଜି ଗଲାଣି ।
ତେବେ ଯାହା ହେଉନା କାହିଁକି ବହୁ ଆଲୋଚନା ଓ ସମାଲୋଚନା ମଧ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ମୋସରକାର ଯୋଜନା ଆଗକୁ ବଢିବାରେ ଲାଗିଛି । ଯେକୌଣସି ପରିସ୍ଥିତିରେ ଲୋକଙ୍କ ହାତ ପାଆନ୍ତାରେ ଉତ୍ତମ ସେବା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଅଡି ବସିଥିବାବେଳେ କୌଣସି ସ୍ଥିତିରେ ଏଥିରେ ଢିଲା ଦିଆଯିବ ନାହିଁ ବୋଲି କର୍ତ୍ତୃପକ୍ଷ ଜଣାଇ ଦେଇଛନ୍ତି । ତେଣୁ ଏହାକୁ ନେଇ ଏବେ ବହୁ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କ ଚିନ୍ତା ବଢିବାରେ ଲାଗିଛି ।
