Odia News Portal

ସାଧାରଣ ଉଦ୍ୟୋଗ ମନ୍ତ୍ରୀଙ୍କ ପାଖରେ ବନ୍ଧା ପଡିଛି ତିନିଟି ଲାଭଜନକ ସଂସ୍ଥାର ଭାଗ୍ୟ

ଭୁବନେଶ୍ୱର : ରାଜ୍ୟ ସଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ହାତରେ ଏବେ ଲାଭ କରୁଥିବା ତିନି ସଂସ୍ଥାର ଭାଗ୍ୟ । ଠିକା ନିର୍ଦ୍ଦେଶକଙ୍କ ଚାକିରି ବୃଦ୍ଧି ଫାଇଲ୍‍ଟି ତାଙ୍କ ନିକଟରେ ଚାପିହୋଇ ରହିଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ନିର୍ଦ୍ଦେଶକ ଜଣଙ୍କର ମୂଳ ଚାକିରି ଓଡିଶା ଜଳ ବିଦ୍ୟୁତ୍‍ ନିଗମ (ଓଏଚ୍‍ପିସି)ରେ ହୋଇଥିବାବେଳେ ଏକା ସାଙ୍ଗରେ ସେ ଆଉ ଦୁଇଟି ଦୁହାଁଳିଆ ସଂସ୍ଥା ଓଡିଶା ତାପଜ ବିଦ୍ୟୁତ୍‍ ନିଗମ (ଓପିଜିସି) ଓ ଓଡିଶା କୋଲ୍‍ ଉତ୍ପାଦନ ନିଗମ (ଓସିପିଏଲ୍‍)ର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

ଏହି ସୂଚନା ଅନୁଯାୟୀ ଓଚ୍‍ପିସିର ଅର୍ଥ ନିର୍ଦ୍ଦେଶକ ଥିବା ପ୍ରଭାକର ମହାନ୍ତି ଏକ ସମୟରେ ଓପିଜିସି ଓ ଓପିସିଏଲ୍‍ର ଅତିରିକ୍ତ ଅର୍ଥ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ଗତ ମାର୍ଚ୍ଚ ମାସରେ ଅବସର ଗ୍ରହଣ କରିବାପରେ ସରକାର ତାଙ୍କର ଚାକିରିକାଳକୁ ୬ବର୍ଷ ବୃଦ୍ଧି ସହିତ ଅନ୍ୟ ଦୁଇ ସଂସ୍ଥାରେ ବି ଠିକା ନିର୍ଦ୍ଦେଶକ ପଦରେ ରଖିଥିଲେ । ଶ୍ରୀ ମହାନ୍ତିଙ୍କର କାର୍ଯ୍ୟକାଳ ସେପ୍ଟେମ୍ବର ମାସରେ ସରିଯାଇଛି । ହେଲେ ସରକାର ପୁଣିଥରେ ତାଙ୍କୁ ଠିକାରେ ରଖିବାପାଇଁ ଫାଇଲ୍‍ ଦେଇଛନ୍ତି ।

ଏଥର ଠିକା ଅବଧିକୁ ୬ମାସ ପରିବର୍ତ୍ତେ ଏକା ଥରକେ ଅଢେଇବର୍ଷ ପାଇଁ ସୁପାରିଶ୍‍ ହୋଇଛି । ଓଏଚ୍‍ପିସି ଦପ୍ତରଟି ସାଧାରଣ ଉଦ୍ୟୋଗ ବିଭାଗ ଅଧିନରେ ରହିଥିବାବେଳେ ଓପିଜିସିଟି ଶକ୍ତି ବିଭାଗ ଅଧିନରେ ରହିଛି । ତେବେ ସାଧରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଶ୍ରୀ ପଣ୍ଡା ହେଉଛନ୍ତି ସେହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଯିଏ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ଚାକରି ଅବଧି ବୃଦ୍ଧି ନିଷ୍ପତ୍ତି ନେଇଥାନ୍ତି । ତେବେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ କାହିଁକି ତିନି ତିନିଟି ଲାଭ ଦାୟକ ସଂସ୍ଥାରେ ଏକ ସଂଙ୍ଗରେ ରଖାଯିବାକୁ ଚେଷ୍ଟା ଚାଲିଛି ତାହାକୁ କେହି ଜାଣିପାରୁ ନାହାନ୍ତି ।

ସବୁଠାରୁ ବଡ କଥା ହେଲା ଓପିଜିସି ଭଳି ସଂସ୍ଥାରେ ପୂର୍ବରୁ ଅର୍ଥ ନିର୍ଦ୍ଦେଶକ ପଦରେ ସର୍ବଭାରତୀୟ ରାଜସ୍ୱ ସେବାର ଅଧିକାରୀଙ୍କୁ ନିଯୁକ୍ତି ମିଳୁଥିବାବେଳେ ଶ୍ରୀ ମହାନ୍ତି ହେଉଛନ୍ତି ରାଜ୍ୟ ସରକାରଙ୍କ ଅଧିନରେ କଷ୍ଟ ଆକାଉଣ୍ଟାଣ୍ଟ । ଅବସରପରେ ତାଙ୍କ ପ୍ରତି କାହିଁକି ଏଇଏସ୍‍ ଓ ଓପିଜିସି କର୍ତ୍ତୃପକ୍ଷ ଏତେ ଆଗ୍ରହ ପ୍ରକାଶ କରୁଛନ୍ତି ତାହାକୁ ନେଇ କର୍ମଚାରୀ ମହଲରେ ଆଲୋଚନା ଚାଲିଛି । ସେପ୍ଟେମ୍ବର ମାସରୁ ଚାକିରି ସରିଥିଲେ ମଧ୍ୟ ଶ୍ରୀ ମହାନ୍ତି ଅକ୍ଟୋବର ମାସରେ ସପ୍ତାହେ ପାଇଁ ଓପିଜିସିର ଏମ୍‍ଡି ଦାୟିତ୍ୱ ସମ୍ଭାଳି ଥିଲେ । ଏହାକୁ ନେଇ ଏହି ସଂସା୍ଥରେ ହଇଚଇ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କ ଚାକରି ଅବଧି ବୃଦ୍ଧି ପାଇନଥିବାବେଳେ ପୁଣିଥରେ ଆସନ୍ତା ୨୪ ତାରିଖରେ ବସିବାକୁ ଥିବା ଓପିଜିସିର ବୋର୍ଡ ବୈଠକ ଏଜେଣ୍ଡାରେ ଅର୍ଥ ନିର୍ଦ୍ଦେଶକ ଭାବେ ତାଙ୍କ ନାଁ ସ୍ଥାନ ପାଇଛି । ଏହାକୁ ନେଇ ଏବେ ଓପିଜିସି ଠାରୁ ଲୋକସେବାଭବନ ପର୍ଯ୍ୟନ୍ତ ସବୁଆଡେ ଆଲୋଚନା ।

ତେବେ ରାଜ୍ୟର ତିନି ତିନିଟି ଲାଭଜନକ ସଂସ୍ଥାରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ବାରମ୍ବାର ଚାକିରି ମିଆଦ ବଢାଇବା ପଛରେ ସାଧାରଣ ଉଦ୍ୟୋଗ ବିଭାଗର କି ସ୍ୱାର୍ଥ ରହିଛି ତାହାକୁ ନେଇ ଚର୍ଚ୍ଚା । ୨୦୧୮ ଅଗଷ୍ଟ ମାସରେ ଖୋଦ ରାଜ୍ୟ ସରକାର ପତ୍ରଲେଖି କୌଣସି ସଂସ୍ଥାରେ ଆଉ ଅବସରପ୍ରାପ୍ତ କର୍ମଚାରୀମାନେ ନିଯୁକ୍ତି ପାଇବେନାହିଁ ବୋଲି କହିଥିବାବେଳେ କାହା ସ୍ୱାର୍ଥରେ ଜଣେ ଅବସରପ୍ରାପ୍ତ କଷ୍ଟ ଆକାଉଣ୍ଟାଣ୍ଟଙ୍କୁ ଏକକାଳୀନ ଅଢେଇବର୍ଷ ସକାଶେ ଠିକା ନିଯୁକ୍ତି ଦେବାକୁ ବିଭାଗ ଫାଇଲ୍‍ ଦେଇଛି ତାହା ସମସ୍ତଙ୍କୁ ଆଚର୍ଯ କରିଛି ।