Odia News Portal

ମଦୁଆଙ୍କ ପ୍ରତି ପୁଲିସ୍‍ ନରମ କାହିଁକି ?

ଭୁବନେଶ୍ୱର : ନୂଆ ମୋଟର ଯାନ କଟକଣା ଲାଗୁ ପରେ ରାଜ୍ୟରେ ମଦୁଆଙ୍କ ଉତ୍ପାତ କମିଥିଲା । ମଦ ପିଇ ଗାଡି ଚଳାଇ ଧରାପଡୁଥିବା ଲୋକଙ୍କୁ ପୁଲିସ୍‍ ସିଧା ଜେଲ୍‍ ପଠାଇବାରୁ ମଦୁଆମାନେ ଆଉ ରାସ୍ତାଘାଟରେ ଉତ୍ପାତ କରିବାକୁ ସାହସ କରିନଥିଲେ । ମଦ ଦୋକାନ ଖାଁ ଖାଁ ହୋଇଥିଲା ଓ ରାଜ୍ୟର ପ୍ରାୟ ସମସ୍ତ ସହରରେ ଆଇନ୍‍ ଶୃଙ୍ଖଳାରେ ସୁଧାର ଆସିଥିଲା । ହେଲେ ରାଜ୍ୟ ସରକାର ମୋଟରଯାଇ ଆଇନ୍‍ ଲାଗୁରେ ତିନି ମାସ କୋହଳ କରିବାପରେ ମଦୁଆମାନେ ଏବେ ତାହାର ଫାଇଦା ଉଠାଇବାରେ ଲାଗିଛନ୍ତି ।

ପୁଲିସ୍‍ ବି ଟିକେ ମଦୁଆଙ୍କ ପ୍ରତି ନରମ ହୋଇଥିବା ଲକ୍ଷ୍ୟ କରାଯାଉଛି । ଧିରେ ଧିରେ ମଦୁଆମାନେ ପୁଣି ମାତିଲେଣି । ପାର୍ବଣ ସମୟରେ ପୁଲିସ୍‍ ଆଇନ୍‍ ଶୃଙ୍ଖଳା କାର୍ଯ୍ୟରେ ବ୍ୟସ୍ତ ରହିବା ସହିତ ମଦୁଆଙ୍କୁ ଢିଲା ଦେବାରୁ ଏବେ ମଦଦୋକାନ ଆଗରେ ନାହିଁ ନଥିବା ଭିଡ ସାଙ୍ଗକୁ ରାସ୍ତାଘାଟରେ ଲୋକେ ମଦ ପିଇ ପୂର୍ବଭଳି ଉତ୍ପାତ ଆରମ୍ଭ କରିଦେଲେଣି । ଅବଶ୍ୟକ ପୁଲିସ୍‍ ଭୟରେ କିଛି ମଦୁଆ ଏବେ ବି ଗଳି ରାସ୍ତାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ନିଶାଡିମାନେ ରାସ୍ତାଘାଟରେ ଉତ୍ପାତ କରିବା ଧିରେ ଧିରେ ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି । ବିମାନବନ୍ଦର ପ୍ରବେଶ ପଥ ରାସ୍ତାରେ ସଞ୍ଜହେଲେ ମଦୁଆଙ୍କ ଆଡ୍ଡାରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି ।

ମୋଟରଯାନ ଆଇନ୍‍ କଡାକଡି ଲାଗୁ ହେବାପରେ ମଦ ଦୋକାନ ଗୁଡିକରେ ଆଗରେ ମାଛି ଉଡିଲେ । ଏହାକୁ ସବୁ ମହଲରୁ ସ୍ୱାଗତ କରାଗଲା । ଅପରାଧିମାନେ ଆଉ ଘରୁ ବାହାରିବାକୁ ସାହସ କଲେନାହିଁ । କାରଣ ଘରୁ ବାହାରିଲେ ମୋଟରଯାନ ଯାଞ୍ଚ ନହେଲେ ମଦ ପିଇ ପୁଲିସ୍‍ ହାବୁଡରେ ପଡିବାର ଢେର ସମ୍ଭାବନା ଥିଲା । ମୋଟା ଅଙ୍କର ଫାଇନ୍‍ ଭୟ ସାଙ୍ଗକୁ ଜେଲ୍‍ଯିବାକୁ ପଡୁଥିବାରୁ ଅଧିକାଂଶ ମଦୁଆ ଓ ଅପରାଧି ଏକ ପ୍ରକାର ସାଇଜ୍‍ ହୋଇଯାଇଥିଲେ । ତେବେ ରାଜ୍ୟ ସରକାର ମୋଟରଯାନ ଯାଞ୍ଚକୁ ୩ମାସ ଢିଲା ଦେବାପରେ ପୁଲିସ୍‍ ମହାନିାର୍ଦ୍ଦେଶକ ବିଜୟ କୁମାର ଶର୍ମା କିନ୍ତୁ ମଦୁଆ ଗାଡିଚାଳକଙ୍କୁ କୌଣସି ପରିସ୍ଥିତିରେ ଛଡାଯିବା ନାହିଁ ବୋଲି ଶୁଣାଇ ଦେଇଥିଲେ ।

ଫଳରେ ପୁଲିସ୍‍ ପକ୍ଷରୁ ପ୍ରତି ଟୋଲ୍‍ ଗେଟ୍‍ ସମେତ ରାସ୍ତାଘାଟରେ ମଦୁଆ ଚାଳକଙ୍କୁ ବ୍ରିଥ ଆନାଲାଇଜର ଯବ ଧରି ଯାଞ୍ଚ କରାଯାଉଥିଲା । ହେଲେ ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ । ପୁଲିସ୍‍ ବାବୁମାନେ ଆଉ ଯାଞ୍ଚ କରୁ ନାହାନ୍ତି । ମଦୁଆଙ୍କ ପ୍ରତି ପୁଲିସ୍‍ ହଠାତ୍‍ କାହିଁକି ଏତେ ନରମ ହେଲା ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଏଥିରେ କେବଳ ମଦ ଦୋକାନୀମାନେ ଖୁସି ହେଉଥିବାବେଳେ ସାଧାରଣ ଲୋକେ ପୁଲିସ୍‍ ମଦୁଆଙ୍କ ଉତ୍ପାତରେ ଅତିଷ୍ଠ ହେବାରେ ଲାଗିଛନ୍ତି । ରାଜ୍ୟର ଅନ୍ୟ ଅଞ୍ଚଳ ତ ଦୂରରକଥା ଖୋଦ୍‍ ରାଜଧାନୀରେ ଏବେ ମଦୁଆମାନେ ଖୋଲାଖୋଲି ଭାବେ ମଦ ପିଇ ରାସ୍ତାରେ ଦ୍ରୁତ ବେଗରେ ଗାଡି ଚଳାଇଲେଣି ।

ତେଣୁ ପୂର୍ବଭଳି ମଦୁଆମାନଙ୍କ ବିରୁଦ୍ଧରେ ତୁରନ୍ତ ଧରପଗଡ ଅଭିଯାନ ଆରମ୍ଭ ପାଇଁ ଏବେ ସାଧାରଣରେ ମତପ୍ରକାଶ ପାଇଲାଣି । କେବଳ ମଦୁଆ ନୁହନ୍ତି ଗଞ୍ଜେଇ, ଚରସ ଭଳି ଅନ୍ୟ ନିଶା ସେବନକାରୀଙ୍କ ଆଡ୍ଡା ଉପରେ ଚଢଉ କରିବାପାଇଁ ବି ଦାବି ହେଉଛି । ପୁଣି ଥରେ ଗାଡିମୋଟର କଡା ଯାଞ୍ଚ ପର୍ଯ୍ୟନ୍ତ ଅପେକ୍ଷା ନକରି ପୁଲିସ୍‍ ସକ୍ରିୟ ବେହାକୁ ସହରର ବହୁ ବୁଦ୍ଧିଜୀବୀ ମତ ଦେଉଛନ୍ତି ।