ଗୋଆ ଓ ବେଙ୍ଗାଲୁରୁ ମଧ୍ୟରେ ବୈରତାର ନବୀକରଣ ଆଜି
ଗୋଆ : ଗତ ବର୍ଷର ହିରୋ ଇଣ୍ଡିଆନ ସୁପର ଲିଗ ଚାମ୍ପିଅନ ବେଙ୍ଗାଲୁରୁ ଏଫସି ଆସନ୍ତା କାଲି ଏଫସି ଗୋଆ ସହିତ ତାର ଶତ୍ରୁତା ନବୀକରଣ କରିବା ବେଳେ ସବୁ ନଜର ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଲାଖି ରହିବ । ଗତ ବର୍ଷ ଏହି ଦୁଇ ଦଳ ଲିଗ ପର୍ଯ୍ୟାୟରେ ଶ୍ରେଷ୍ଠ ବିବେଚିତ ହୋଇ ଫାଇନାଲରେ ପହଞ୍ଚିବା ପରେ ସେଠାରେ ଉଭୟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା ଏବଂ ଅତିରିକ୍ତ ସମୟ ଖେଳ ଶେଷ ହେବାର କେଇ ମିନିଟ ପୂର୍ବରୁ ରାହୁଲ ଭେକେଙ୍କ ବିଜୟ ସୂଚକ ହେଡର ବଳରେ ବେଙ୍ଗାଲୁରୁ ଏଫସି ତାର ସର୍ବପ୍ରଥମ ଆଇଏସଏଲ ଟାଇଟଲ ଅର୍ଜନ କରିଥିଲା ଅନ୍ୟ ପକ୍ଷରେ କ୍ରମାଗତ ଦ୍ଵିତୀୟ ଥର ଆଇଏସଏଲ ଫାଇନାଲରେ ହାରିବା ଘଟଣା ଏଫସି ଗୋଆ ପାଇଁ ଖୁବ ଦୁଃଖଦାୟକ ହୋଇଥିଲା ।
ତେବେ ଏଫସି ଗୋଆର ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା କହନ୍ତି, “ଫାଇନାଲରେ ପରାଜୟ ଘଟଣା ଅତୀତ ହେଲାଣି । ଫାଇନାଲ ପହଂଚି ଭଲ ଖେଳିଥିବାରୁ ମୁଁ ମୋ ଖେଳାଳିଙ୍କ ପାଇଁ ଗର୍ବିତ । ଆସନ୍ତା କାଲି ମ୍ୟାଚରେ ଆମେ ଫାଇନାଲ ଭଳି ଭଲ ଖେଳ ପ୍ରଦର୍ଶନ କରିବୁ ବୋଲି ମୁଁ ଆଶାୟୀ ଅଛି । ବିଶେଷ କରି ସେଟ-ପିସ ଆକ୍ରମଣକୁ ପ୍ରତିହତ କରିବାରେ ଆମକୁ ଉନ୍ନତ ହେବାକୁ ପଡିବ ।‘
ଉଭୟ ବେଙ୍ଗାଲୁରୁ ଓ ଗୋଆ ନିଜ ନିଜର ମୂଳ ଦଳ ଅପରିବର୍ତ୍ତିତ ରଖିଥିବାରୁ ନୂଆ ସିଜନରେ ଏହି ଦୁଇ ଦଳ ପ୍ରାଧାନ୍ୟ ଜାହିର କରିବା ପ୍ରାୟ ନିଶ୍ଚିତ । ଆଇଏସଏଲ ଇତିହାସରେ ଏହି ଦୁଇ ଦଳ ଅନ୍ୟମାନଙ୍କ ପାଇଁ ଖେଳର ମାନଦଣ୍ଡ ଉଚ୍ଚ କରିଛନ୍ତି ।
ଆସନ୍ତା କାଲି ମ୍ୟାଚ ସମ୍ପର୍କରେ ବେଙ୍ଗାଲୁରୁ ମୁଖ୍ୟ ପ୍ରଶିକ୍ଷକ କାର୍ଲସ କ୍ଵାଡ୍ରାଟ କହନ୍ତି, “ଗୋଆ ଆମ ପାଇଁ ବଡ ଚାଲେଞ୍ଜ ବୋଲି ଆମେ ଜାଣୁ । ଏହାର କାରଣ ସେମାନଙ୍କ ପାଖରେ ଏକ ଚମତ୍କାର ଦଳ ରହିଛି l ସିଜନ ଏବେ ପ୍ରାଥମିକ ପର୍ଯାୟରେ ରହିଛି ଏବଂ ଏପରି ସମୟରେ ପଏଣ୍ଟ ଅର୍ଜନ କରିବା ଗୁରୁତ୍ୱପୂର୍ଣ ।
ବେଙ୍ଗାଲୁରୁ ଓ ଗୋଆ ମଧ୍ୟରେ ମୁକାବିଲା ଆଇଏସଏଲରେ ସବୁବେଳେ ଗୁରୁତ୍ୱ ବହନ କରିଆସିବା କିଛି ବଡ କଥା ନୁହେଁ ଏହାର କାରଣ ଉଭୟ ଦଳ ସବୁବେଳ ଉଚ୍ଚ ମାନର ଫୁଟବଲ ଖେଳ ପ୍ରଦର୍ଶନ କରିଆସିଛନ୍ତି । ଚେନ୍ନାଇୟିନ ଏଫସି ବିପକ୍ଷରେ ୩-୦ ବିଜୟ ସହିତ ଷଷ୍ଟ ସିଜନ ଆରମ୍ଭ କରି ଗୋଆ ଦଳ ତାହା ପ୍ରମାଣିତ କରିସାରିଛି ।
ଅନ୍ୟପକ୍ଷରେ ବେଙ୍ଗାଲୁରୁ ତାର ପ୍ରଥମ ମ୍ୟାଚ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ସହିତ ଗୋଲଶୂନ୍ୟ ଭାବେ ଡ୍ର କରିଥିଲେହେଁ ଉକ୍ତ ମ୍ୟାଚରେ ଦଳ ଯେତେ ସଂଖ୍ୟାରେ ସୁଯୋଗ ସୃଷ୍ଟି କରିଥିଲା ତାହା ଯଦି ବିଚାରକୁ ନିଆଯାଏ ତେବେ ସେମାନଙ୍କୁ ନିଜର ଅସଲ ଫର୍ମକୁ ଆସିବା ପାଇଁ ବେଶୀ ସମୟ ଲାଗିବ ନାହିଁ ।
ତେବେ ଆସନ୍ତା କାଲି ମ୍ୟାଚରେ ଗୋଆର ଆକ୍ରମଣ ଓ ବେଙ୍ଗାଲୁରୁର ପ୍ରତିରକ୍ଷା ବିଭାଗ ମଧ୍ୟରେ ଲଢେଇ ମୁଖ୍ୟ ଆକର୍ଷଣ ହେବ । ଆଇଏସଏଲର ସର୍ବକାଳୀନ ଟପ ସ୍କୋରର ଫେରାନ କରୋମିଆନ୍ସ, ଏଡୁ ବେଡ଼ିଆ, ହୁଗୋ ବୌମସ ଓ ମାନବୀର ସିଂଙ୍କୁ ନେଇ ଗଠିତ ଗୋଆର ଶକ୍ତିଶାଳୀ ପୁରୋଭାଗ ପାଖରେ ଇଚ୍ଛା ମୁତାବକ ଗୋଲ ଦେବାର କ୍ଷମତା ରହିଛି ।
ପ୍ରଶିକ୍ଷକ ଲୋବେରା କହନ୍ତି, “ଦୁଇ ତିନି ବର୍ଷ ପୂର୍ବେ ଗୋଆ ଓ ବେଙ୍ଗାଲୁରୁ ଦଳ ମଧ୍ୟରେ ଥିବା ବ୍ୟବଧାନ ହ୍ରାସ ପାଇଛି ଏବଂ ଏହା ଭିତରେ ଆମେ ଉନ୍ନତି ହାସଲ କରିଛୁ । ମୁଁ ସେହି ଉନ୍ନତି ବଜାୟ ରଖିବାକୁ ଚାହେଁ । ମୁଁ ଭାବୁଛି ଲିଗରେ ବେଙ୍ଗାଲୁରୁ ହେଉଛି ଶ୍ରେଷ୍ଠ ଦଳ ଏବଂ ସେମାନଙ୍କ ବିପକ୍ଷରେ ଖେଳିବା ଆମ ପାଇଁ ଏକ ବଡ ଚାଲେଞ୍ଜ ।