ଚେନ୍ନାଇ : ଚେନ୍ନାଇୟିନ ଏଫସି ଏବଂ ମୁମ୍ବାଇ ସିଟି ଏଫସି ମଧ୍ୟରେ ଆଜି ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଅନୁଷ୍ଠିତ ହିରୋ ଇଣ୍ଡିଆନ ସୁପର ଲିଗର ଅଷ୍ଟମ ମ୍ୟାଚ ଗୋଲଶୁନ୍ୟ ଭାବେ ଶେଷ ହେବା ଯୋଗୁ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ଦୀପାବଳି ଅବସରରେ ଅନୁଷ୍ଠିତ ଏହି ମ୍ୟାଚରେ କୌଣସି ଗୋଲ ହୋଇନଥିଲେ ମଧ୍ୟ ଉଭୟ ଦଳ ପର୍ଯ୍ୟାପ୍ତ ସଂଖ୍ୟାରେ ସୁଯୋଗ ସୃଷ୍ଟି କରି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲେ ।
ମ୍ୟାଚର ପ୍ରଥମ ମିନିଟରେ ଚେନ୍ନାଇୟିନ ଏଫସି ଅଗ୍ରଣୀ ହେବାର ଏକ ସୁନ୍ଦର ସୁଯୋଗ ପାଇଥିଲା । କିନ୍ତୁ ରାଫେଲ କ୍ରିଭେଲାରୋ ଏହାକୁ କାର୍ଯ୍ୟକାରୀ କରିପାରି ନଥିଲେ । ମୁମ୍ବାଇ ସିଟି ଏଫସି ଗୋଲରକ୍ଷକ ତଥା ଅଧିନାୟକ ଅମରିନ୍ଦର ସିଂ ନିଜ ବାମ ପଟକୁ ଡାଇଭ ମାରି କ୍ରିଭେଲାରୋଙ୍କ ସଟକୁ ନିଷ୍ଫଳ କରିଦେଇଥିଲେ ।
ଏକାଦଶ ମିନିଟରେ କ୍ରିଭେଲାରୋ ମଧ୍ୟ ଆଉ ଗୋଟିଏ ସୁଯୋଟା ହାତଛଡା କରିଥିଲେ । ସେ ବକ୍ସ ଉପରୁ ମାରିଥିବା ଏକ ଶକ୍ତିଶାଳୀ ସଟ ବାର ଉପରେ ଚାଲିଯାଇଥିଲା । ଏହାର ପାଞ୍ଚ ମିନିଟ ପୂର୍ବରୁ ଚେନ୍ନାଇୟିନ ଗୋଲରକ୍ଷକ ବିଶାଳ କାଇଥ ଉପରକୁ ଡେଇଁ ପ୍ରତିପକ୍ଷର ସୁଭାଶିଷ ବୋଷ ମାରିଥିବା ଏକ ସଟକୁ ଦକ୍ଷତାର ଧରି ନେଇଥିଲେ ।
ଘରୋଇ ଦଳକୁ ଆଜି ଭାଗ୍ୟ ସାଥ ନଦେବା ପରି ମନେ ହୋଇଥିଲା । ଏହାର କାରଣ ପ୍ରଥମ ୧୩ ମିନିଟରେ ମିଳିଥିବା ତିନିଟି ସୁଯୋଗ ମଧ୍ୟରୁ ଦଳ ଗୋଟିଏ ବି କାର୍ଯ୍ୟକାରୀ କରିପାରି ନଥିଲା । ତ୍ରୟୋଦଶ ମିନିଟରେ ଲାଲିଆନଜୁଆଲା ଛାଙ୍ଗଟେ ଓ କ୍ରିଭେଲାରୋ ବକ୍ସ ଭିତରେ ବଲ ପାଇ ଗୋଲ ଦେବାରେ ବିଫଳ ହୋଇଥିଲେ ।
ମ୍ୟାଚର ୨୪ତମ ମିନିଟରେ ମୁମ୍ବାଇ ସିଟିର ଏକ ବଡ ସୁଯୋଗ ବେକାର ହୋଇଥିଲା । ଅମିନ ଚେର୍ମିଟି ଆଗକୁ ମାଡି ଆସିଥିବା ପ୍ରତିପକ୍ଷ ଗୋଲରକ୍ଷକ କାଇଥଙ୍କ ମୁଣ୍ଡ ଉପରେ ବଲ ଚିପ କରିବା ପରିବର୍ତ୍ତେ ଜୋରଦାର ସଟ ମାରି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ । ଏହାପରେ ଉଭୟ ଦଳ ଆହୁରି କିଛି ସୁଯୋଗ ନଷ୍ଟ କରିବା ଯୋଗୁ ପ୍ରଥମାର୍ଦ୍ଧ ଖେଳ ଗୋଲଶୁନ୍ୟ ଭାବେ ଶେଷ ହୋଇଥିଲା ।
ଦ୍ଵିତୀୟାର୍ଦ୍ଧରେ ଉଭୟ ଦଳ ପ୍ରଥମାର୍ଦ୍ଧ ଭଳି ସୁଯୋଗ ପାଇବା ଏବଂ ନଷ୍ଟ କରିବା ଧାରା ଜାରି ରଖିଥିଲେ । ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ସତ୍ତ୍ୱେ ଗୋଲଟିଏ ଦେଖିବା ସମ୍ଭବପର ହୋଇନଥିଲା । ଦ୍ଵିତୀୟାର୍ଦ୍ଧରେ ଏକ ଗୁରୁତ୍ୱପୂର୍ଣ ଘଟଣା ଥିଲା ମୁମ୍ବାଇ ସିଟିର ସୌଭିକଙ୍କୁ ନାଲି କାର୍ଡ ପ୍ରଦର୍ଶନ । ଫାଉଲ ଖେଳ ପାଇଁ ସେ ଦ୍ଵିତୀୟ ଥର ହଳଦିଆ କାର୍ଡ ପାଇବା ଯୋଗୁ ପଡ଼ିଆରୁ ବାହାର ହୋଇଯାଇଥିଲେ ।
ମ୍ୟାଚ ଗୋଲଶୁନ୍ୟ ଭାବେ ଶେଷ ହେବା ଯୋଗୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ସଂଗ୍ରହ କରିଥିଲେ । ଆଜିର ଖେଳରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଅମରିନ୍ଦର ସିଂଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ସାର୍ଥକ ଗୋଲୁଇଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ଲାଲିଆନଜୁଆଲା ଛାଙ୍ଗଟେ ଆଇସଏଲ ଏମରଜିଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ ।