ଭୁବନେଶ୍ୱର : ଅବସର ପରେ ଠିକାରେ ୬ମାସ କାର୍ଯ୍ୟ କରିଥିଲେ । ଏହାପରେ ଠିକା ଚାକିରି କାଳକୁ ସରକାର ଏକାଥରକେ ୨ବର୍ଷ ୬ମାସ ପାଇଁ ବଢାଇ ଦେଇଛନ୍ତି । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କର ଠିକା ଚାକିରି ମିଆଦ ଏକା ଥରକେ ଅଢେଇ ବର୍ଷ ବୃଦ୍ଧି କରାଯିବା ରାଜ୍ୟ ପ୍ରଶାସନିକ ଇତିହାସରେ ବିରଳ ଘଟଣା ବୋଲି ଲୋକସେବା ଭବନରେ ଆଲୋଚନା ଚାଲିଛି ।
ସୂଚନା ଅନୁଯାୟୀ ସାଧାରଣ ଉଦ୍ୟୋଗ ବିଭାଗ ଅଧିନରେ ଥିବା ଓଡିଶା ଜଳ ବିଦ୍ୟୁତ୍ ନିଗମରେ ଅର୍ଥ ନିର୍ଦ୍ଦେଶକ ରୂପେ
କାର୍ଯ୍ୟ କରୁଥିଲେ ପ୍ରଭାକର ମହାନ୍ତି । ଗତ ମାର୍ଚ୍ଚ ୩୧ ତାରିଖରେ ସେ ସରକାରୀ ଚାକିରିରୁ ଅବ୍ୟାହତି ନେଇଥିଲେ । ଅବ୍ୟାହତି
ନେବା ବେଳକୁ ସରକାର ତାଙ୍କୁ ଜଳବିଦ୍ୟୁତ୍ ନିଗମ ସହିତ ଓପିଜିସି ଓ ଓସିପିଏଲ୍ର ମଧ୍ୟ ଅର୍ଥ ନିର୍ଦ୍ଦେଶକ ଦାୟିତ୍ୱରେ ରଖିଥିଲେ । ଅବସର ଗ୍ରହଣ କରିବା ପରେ ପରେ ସରକାର ତାଙ୍କୁ ଛଅମାସ ପାଇଁ ଠିକାରେ ରଖିବା ସହିତ ଉପରେକ୍ତ ଦୁଇ ସଂସ୍ଥାର ଅର୍ଥ ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇବାକୁ କହିଥିଲେ ।
ଶ୍ରୀ ମହାନ୍ତିଙ୍କ ଠିକା ଚାକିରି ସେପ୍ଟେମ୍ବର ୩୦ ତାରିଖରେ ସରିଥିଲା ।
ହେଲେ ଏହାପରେ ତାଙ୍କ ଠିକା ଚାକିରି ମିଆଦକୁ ଏକା ଥରକେ ଅଢେଇବର୍ଷ ପାଇଁ ବଢାଇବାକୁ ପ୍ରସ୍ତାବ ଗଲା । ଏଭଳି ପ୍ରସ୍ତାବକୁ ଦେଖ ପ୍ରଶାସନରେ ସମସ୍ତେ ଆଚର୍ଯ ପ୍ରକଟ କଲେ । ସାଧାରଣ ଉଦ୍ୟୋଗ ମବୀଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବି ଏଭଳି ପ୍ରସ୍ତାବକୁ ପ୍ରଥମେ ତର୍ଜମା କରିବାପରେ ପକାଇ ରଖିଲେ । ହେଲେ ଏହାପରେ ତାହା ଉପରେ ମୋହର ମାରିଲେ । ପ୍ରାୟ ମାସେ କାଳ ଫାଇଲ ପଡିବାପରେ ଏବେ ତାଙ୍କୁ ଠିକାରେ ଏକା ଥରକେ ଅଢେଇ ବର୍ଷ ପାଇଁ ନିଯୁକ୍ତି ମିଳିଛି ।
ଠିକା ନିଯୁକ୍ତିରେ ଶ୍ରୀ ମହାନ୍ତି ଜଳବିଦ୍ୟୁତ୍ ନିଗମ ସହିତ ଓପିଜିସି ଓ ଓସିପିଏଲ୍ ଭଳି ଲାଭଦାୟକ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଦୁଇ ସଂସ୍ଥାର କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଲାଭଜନକ ସଂସ୍ଥାରେ
ଏଭଳି ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ପଛର କାରଣ କିଛି ଜଣା ପଡୁନାହିଁ । ଶ୍ରୀ ମହାନ୍ତି ଜଣେ କଷ୍ଟ ଆକାଉଣ୍ଟାଣ୍ଟ
ହୋଇଥିବାବେଳେ ଓପିଜିସିରେ ସବୁବେଳେ ଜଣେ ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଅର୍ଥ ନିର୍ଦ୍ଦେଶକ ରହିଥାନ୍ତି । କିନ୍ତୁ
ଜଣଙ୍କ ପାଇଁ ସରକାର ନିୟମକୁ ଅଣଦେଖା କରି ଦେଇଛନ୍ତି ।
ଏହାଛଡା ଗତବର୍ଷ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସରକାରୀ ସଂସ୍ଥାରେ ଠିକା ନିଯୁକ୍ତିକୁ ବାରଣ
କରାଯାଇଥିଲା ।
ଏ ସଂକ୍ରାନ୍ତରେ ଓପିଜିସି ସମେତ ଅନ୍ୟ ଦୁଇ ସଂସ୍ଥାକୁ ବି ଚିଠି ଲେଖାଯାଇଥିଲା । କିନ୍ତୁ କାହା ସ୍ୱାର୍ଥରେ ଏଭଳି
ନିଯୁକ୍ତି ଦିଆଯାଉଛି ତାହା ଜାଣିପାରୁ ନଥିବା କର୍ମଚରୀମାନେ କହୁଛନ୍ତି । ତେବେ ସବୁଠାରୁ ଆ୧⁄୨ର୍ଯ୍ୟର କଥା ହେଲା ଶ୍ରୀ ମହାନ୍ତିଙ୍କୁ ପିଛିଲା ତାରିଖରୁ ଠିକା ନିଯୁକ୍ତି ଦିଆଯାଇଛି । ଏହାର କାରଣ ହେଉଛି ଚାକିରି ନଥିବାବେଳେ ସେ ଓପିଜିସିର ଏମ୍ଡି ଦାୟିତ୍ୱରେ ରହି ଅନେକ କାର୍ଯ୍ୟ କରିଛନ୍ତି । ତେଣୁ ସେ ସବୁକୁ ନିୟମିତ କରିବାପାଇଁ ଏଭଳି ହୋଇଛି ବୋଲି କୁହାଯାଉଛି । ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରୁଥିବାବେଳେ ଲାଭଜନକ ସଂସ୍ଥାପାଇଁ ଜଣେ ନିୟମିତ ଅର୍ଥ ନିର୍ଦ୍ଦେଶକ ନପାଇବା ଓ ଅବସରପ୍ରାପ୍ତ ଜଣେ କର୍ମଚାରୀଙ୍କୁ ଏକା ଥରକେ ଅଢେଇ ବର୍ଷ ପାଇଁ ୩ଟି ସଂସ୍ଥାର ଅର୍ଥ ନିର୍ଦ୍ଦେଶକ ପଦରେ ରଖିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
