ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧିଲେ ରାଜ୍ୟର ସାଧାରଣ ଲୋକଙ୍କ ଅପେକ୍ଷା ବିରୋଧିଦଳ ଗୁଡିକ ଅଧିକ ଛାନିଆ ହୋଇ ପଡୁଛନ୍ତି । ଏହାର କାରଣ ହେଉଛି ସରକାର ସଫଳ ବାତ୍ୟା ମୁକାବିଲା ସହିତ ଧନଜୀବନ ସୁରକ୍ଷା କ୍ଷେତ୍ରରେ ଯେଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ବିରୋଧିଦଳଙ୍କ ପାଇଁ କାଳ ହେଉଛି । ବିପତ୍ତି ସମୟରେ ଲୋକଙ୍କ ନିକଟରେ ଛିଡା ଅପେକ୍ଷା ସରକାରଙ୍କୁ ସମାଲୋଚନା ପାଇଁ ଯେତେ ବାଟ ଖୋଜିଲେ ବି ବିରୋଧି ପାଉନାହାନ୍ତି ।
ବାତ୍ୟା ବୁଲ୍ବୁଲ୍ ଏବେ ଓଡିଶା ଉପକୂଳରେ ଚକ୍କର କାଟୁଛି । ଏହା ଯଦିଓ ଓଡିଶାରେ ଲ୍ୟାଣ୍ଡଫଲ କରିବନାହିଁ କିନ୍ତୁ
ଏହାର ପ୍ରଭାବରେ ଉପକୂଳର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହେବ । ଏହା ଫନି ଭଳି କ୍ଷୟକ୍ଷତି କରିବନାହିଁ ବୋଲି
ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି । ତଥାପି ଏହାର ମୁକାବିଲା ଲାଗି ରାଜ୍ୟ ସରକାର ପୂରା ସତର୍କ ଅଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବାତ୍ୟା ମୁକାବିଲା ସ୍ଥିତିର ଅନୁଧ୍ୟାନ କରୁଥିବାବେଳେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ସ୍ୱତବ
ରିଲିଫ କମିଶନର ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ ଅଫିସରମାନେ ଘନ ଘନ ବୈଠକ କରି ସ୍ଥିତି ଆକଳନ କରୁଛନ୍ତି । ସମ୍ଭାବିତ କ୍ଷୟକ୍ଷତି ହେବାକୁ ଜିଲ୍ଲା ଗୁଡିକୁ ଇତି ମଧ୍ୟରେ ଓଡ୍ରାଫ ଓ ଏନ୍ଡିଆରଏଫ୍ ଜବାନ ଯିବା ସହିତ ସେହିସବୁ ଜିଲ୍ଲାର ଅଫିସରମାନଙ୍କ ଛୁଟି ବାତିଲ କରି ଦିଆଯାଇଛି । ଏଥି ସହିତ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
ଗତ ମଇମାସରେ ଓଡିଶାର ୧୪ଟି ଜିଲା୍ଲରେ କ୍ଷୟକ୍ଷତି ଘଟାଇଥିଲା ବାତ୍ୟା ଫନି । ରାଜଧାନୀକୁ ଛାରଖାର କରିଦେଇଥିଲା ହେଲେ ସେତେବେଳେ ରାଜ୍ୟ ସରକାର ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ, ଥଇଥାନ ଆଦି କାର୍ଯ୍ୟ କଲେ ସେଥିପାଇଁ ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥା ଗୁଡିକ ଓଡିଶା ସରକାରଙ୍କୁ ଭୁରି ଭୁରି ପ୍ରଶଂସା କଲେ । ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲାକୁ ଏବେ ଦେଶର ଅନ୍ୟାନ୍ୟ ରାଜ୍ୟମାନେ ଅନୁକରଣ ଆରମ୍ଭ କରିଛନ୍ତି । କେବଳ ଅନୁକରଣ ନୁହେଁ କେରଳ ହେଉ ବା ଗୁଜୁରାଟ ଯଦି କୌଣସି ବଡ ବିପତ୍ତି ଦେଖୁଛନ୍ତି ତେବେ ତୁରନ୍ତ ଓଡିଶାର ସହାୟତା ଲୋଡୁଛନ୍ତି ।
ଫନି ପୂର୍ବରୁ ଓଡିଶାରେ କ୍ଷତି ଘଟାଇଥିବା ତିତ୍ଲି ଓ ହୁଡ୍ହୁଡ୍ ମୁକାବିଲାରେ ବି ରାଜ୍ୟ ସରକାର ପ୍ରଶଂସା ସାଉଁଟିଥିଲେ ।
ତେବେ ଏତେ ସବୁ ପ୍ରଶଂସା ସତ୍ୱେ ବି ବିରୋଧିଦଳ ଗୁଡିକ ସରକାରଙ୍କୁ ସମାଲୋଚନା ଲାଗି ଛିଦ୍ର ଖୋଜିବାରେ ବ୍ୟସ୍ତ
। କେଉଁଠି ଟିକେ ତ୍ରୁଟି ଦେଖିଲେ ସମାଲୋଚନା କରୁଛନ୍ତି । ତେବେ ବିରୋଧିଦଳ ହିସାବରେ ଏହା କରିବା ମଧ୍ୟ ଉଚିତ୍ ।
ହେଲେ ବିପତ୍ତିବେଳେ କ୍ଷତିଗ୍ରସ୍ତଙ୍କ ନିକଟରେ ଛିଡା ହେବା ମଧ୍ୟ ଆବଶ୍ୟକ ଯାହା ଦେଖିବାକୁ ମିଳୁନାହିଁ । ଏପରିକି କେନ୍ଦ୍ରରୁ
କିଭଳି ସହାୟତା ଆସିବ ସେଥିପାଇଁ ବିରୋଧିଦଳ ସେଭଳି ଚାପ ବି ପକାଉନାହାନ୍ତି । ଫନି ବେଳେ ଲୋକଙ୍କ ସହାୟତା ପାଇଁ
ଏସ୍ଏମ୍ଏସ୍ ପଠାଇଥିବା ରାଷ୍ଟ୍ରାୟତ ସଂସ୍ଥା ବିଏସ୍ଏନ୍ଏଲ୍ ସେ ବାବଦରେ ରାଜ୍ୟ ସରକାରଙ୍କ ଠାରୁ ପ୍ରାୟ ୫୦୦ କୋଟି ଟଙ୍କା
ଦାବି କରୁଥିବାବେଳେ ରାଜ୍ୟ ସରକାର ଏହା ଜାତୀୟ ବିପତ୍ତି ଦର୍ଶାଇ ଅର୍ଥଛାଡ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି
।
ହେଲେ ଦାୟିତ୍ୱସମ୍ପନ୍ନ ବିରୋଧିଦଳ ଭାବେ ବିଜେପି କିମ୍ବା କଂଗ୍ରେସ କେହି ଏଥିପାଇଁ କେନ୍ଦ୍ର ଉପରେ ଚାପ ପକାଉ ନାହାନ୍ତି
। ଏଭଳି ସ୍ଥିତିରେ ରାଜନୀତି ପାଇଁ କେବଳ ସରକାରଙ୍କୁ ସମାଲୋଚନା ପାଇଁ ଛକି ରହିଥିବା ବିରୋଧିଦଳ ବାତ୍ୟା ଆସିଲେ ଏବେ ସରକାରଙ୍କ ପ୍ରସ୍ତୁତି ଦେଖି ଛାନିଆ ହୋଇପଡୁଥିବା କୁହାଯାଉଛି ।
