Odia News Portal

ଆଜି ବଡ଼ ଓଷା : ଚଳଚଞ୍ଚଳ ଧବଳେଶ୍ବର ପୀଠ

ଆଠଗଡ଼ :  ଆଜି ମହା କାର୍ତ୍ତିକ ମାସର ମହାପର୍ବ ବଡ଼ ଓଷା , ସେଥିପାଇଁ ଧବଳେଶ୍ବର ପୀଠ ବେଶ୍ ଚଳଚଞ୍ଚଳ ହୋଇଉଠିଛି ।  ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର।  ଆଜି ରାତି ପ୍ରାୟ ତିନିଟା ସମୟରେ ବାବା ଧବଳେଶ୍ଵରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇ ମଙ୍ଗଳ ଆଳତୀ ମଇଲମ ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ସମୟ ଅନୁସାରେ ସମ୍ପାଦନ ହେବାପରେ, ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।

ଆଜି ମଧ୍ୟରାତ୍ରୀରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ। ସେଥିପାଇଁ ଭୋଗ ପ୍ରସ୍ତୁତିରେ ଲାଗିପଡିଛନ୍ତି ପୂଜକ ପରିବାର । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାରିକେଡ଼ ନିର୍ମାଣ ଠାରୁ ଆରମ୍ଭ କରି ମନ୍ଦିର ର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି ।  ଯେକୌଣସି ପରିସ୍ଥିତିର ଅନୁଧ୍ୟାନ ଓ ତୁରନ୍ତ ମୁକାବିଲା ପାଇଁ ସତର୍କ ଦୃଷ୍ଟି ରଖାଯାଇଛି।

ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଝୁଲା ପୋଲରେ ଭିଡ଼ ନିୟନ୍ତ୍ରଣ କୁ ଅଗ୍ରାଧିକାର ଦିଆଯାଇଛି।  ଏଥିସହିତ ଡଙ୍ଗା ରେ ଯାତାୟାତ କରିବାକୁ ଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ସମସ୍ତ ଙ୍କୁ ଲାଇଫ ଜ୍ୟାକେଟ ପିନ୍ଧିବାବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଦୁଇ ଟି ଓଡ୍ରାଫ ଓ ଦୁଇ ଟି ଅଗ୍ନିଶମ ବିଭାଗ ଟିମ୍ କୁ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି।