କଟକ : କଟକ ଏସସିବି ମେଡିକାଲରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି । ଗତକାଲି ଅପରାହ୍ନରେ କଟକ ସିଡିଏ ହଇରାଣପୁର ବସ୍ତିର ସରୋଜ ଦାସଙ୍କ ପୁଅ ଛାତ ଉପରୁ ପଡି ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲା । କିଛି ପରୀକ୍ଷା ପରେ ପିଲାର ଅବସ୍ଥା ଭଲ ଅଛି କହି ଏସ୍ ସି ବି କର୍ତ୍ତୃପକ୍ଷ ପିଲାଟିକୁ ଡିସଚାର୍ଜ କରିଦେଇଥିଲେ ।
ହେଲେ ଘରେ ପହଞ୍ଚି ପୁଣି ପିଲାର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ରାତି ନଅଟାରେ ତାକୁ ପୁଣି ଏସ୍ ସି ବି ନେଇଯାଇଥିଲେ। ତେବେ କାଜୁଆଲଟିରେ ବହୁ ସମୟ ଧରି ପିଲାଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାର ଚିକିତ୍ସା କରିବାକୁ ଡାକ୍ତର ଆସିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତିରେ ପିଲାଟିର ମୃତ୍ୟୁ ହୋଇଥିଲା ।
ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଓ ସାହି ଲୋକ କାଜୁଆଲଟି ସାମ୍ନାରେ ଧାରଣାରେ ବସି ଥିଲେ । ମଙ୍ଗଳାବାଗ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରୁଥିବା ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୁରୁଷ ପୋଲିସ୍ ମାନେ ପ୍ରତିବାଦକାରୀ ମହିଳା ମାନଙ୍କୁ ଟଣା ଓଟରା କରି ମାଡ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
