Odia News Portal

ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ : ପୁଣି ହୋଇପାରେ ବର୍ଷା

ଭୁବନେଶ୍ୱର : ପୁଣି ହୋଇପାରେ ବର୍ଷା । ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଆସନ୍ତା ୧୬-୧୭ ତାରିଖବେଳକୁ ଓଡ଼ିଶାରେ ବର୍ଷା ସମ୍ଭାବନା ଦେଖାଦେଇଛି । ଏଭଳି ପୂର୍ବାନୁମାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

‘ବୁଲ୍‌ବୁଲ୍‌’ ବାତ୍ୟା ଓଡ଼ିଶାରୁ ଦୂରେଇ ଯାଇ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇ ଗାଏବ ହୋଇଯାଇଛି । ଏପଟେ ରାଜ୍ୟରେ ପାଗ ଫିଟିଛି । ମେଘ ବାଦଲ କୁଆଡ଼େ ଗାଏବ୍‌ ହୋଇଯାଇଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୧୫ ତାରିଖ ଯାଏଁ ଓଡ଼ିଶାରେ ପାଗ ଶୁଖିଲା ରହିବ । ବର୍ଷାର ସାମାନ୍ୟତମ ସମ୍ଭାବନା ନାହିଁ । ଏବେ ଶୀତ ବଢ଼ିବ । ଆସନ୍ତା ଦୁଇଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ । ଭୁବନେଶ୍ୱର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସି ଆସିବ ।

ଦାରିଙ୍ଗିବାଡ଼ିରେ ୧୨-୧୩ ଡିଗ୍ରୀକୁ ଖସିପାରେ ।  ତେବେ ଡକ୍ଟର ସାହୁଙ୍କ ପୂର୍ବାନୁମାନ ହେଲା, ଏବେ ପାଗ ଶୁଖିଲା ରହିବ । ମାତ୍ର ୧୬ ତାରିଖବେଳକୁ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ବଡ଼ ପ୍ରଭାବ ପଡ଼ିବନି । ତଥାପି ଦକ୍ଷିଣ ଓଡ଼ିଶା ଉପକୂଳ ଓ କେନ୍ଦ୍ରୀୟ ଅଞ୍ଚଳରେ ବର୍ଷା ହୋଇପାରେ । ମୁଖ୍ୟତଃ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଦୁଇଦିନ ବର୍ଷା ହୋଇପାରେ । ତେବେ ଏହି ବର୍ଷା କମିବା ପରେ ଆସନ୍ତା ୧୯ କିମ୍ବା ୨୦ ତାରିଖବେଳକୁ ସାରା ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ।
ଆଜି ସକାଳ ୮ଟା ୩୦ ରିପୋର୍ଟ ଅନୁଯାୟୀ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍‌, ସୁନ୍ଦରଗଡ଼ ୧୪ ଡିଗ୍ରୀ, କୋରାପୁଟରେ ୧୫ ଡିଗ୍ରୀ, ଅନୁଗୁଳ ୧୬.୬ ଡିଗ୍ରୀ, ଫୁଲବାଣୀ ୧୭ ଡିଗ୍ରୀ, ଟିଟିଲାଗଡ଼ ୧୭.୫ ଡିଗ୍ରୀ ସେଲସିୟସ୍‌ ଥିଲା ।