ପୁରୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ। ଏନେଇ ପାହାନ୍ତିଆରୁ ବିଭିନ୍ନ ପୁଷ୍କରିଣୀ, ନଦୀ ଓ ସମୁଦ୍ରରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପାଟୁଆ ଓ ସୋଲ ଡଙ୍ଗା ଭସାଇଛନ୍ତି। କାର୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ରତ୍ନ ସିଂହାସନରେ ରାଜ ରଜେଶ୍ୱର ବେଶ ତଥା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ଶ୍ରୀମନ୍ଦିରରେ। ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ବାରିକେଡ କରାଯାଇ ଥିଲା।
ଭକ୍ତ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରାଯାଉଥିଲା। ସେହିପରି ମନ୍ଦିର ଭିତରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ନେଇ ସ୍ୱତନ୍ତ୍ର ପୋଲିସ ଟିମ ଓ ସାଧା ପୋଷାକ ଧାରୀ ପୋଲିସ ମଧ୍ୟ ରହିଥିଲେ। ୪୦ ପ୍ଲାଟୁନ ପୋଲିସ ଫୋର୍ସ କାର୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ତଥା ବିଭିନ୍ନ ଜାଗାରେ ମୁତୟତ ରହିବେ। ସେହିପରି କାର୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଡ଼ଙ୍ଗା ଭଷା ପରମ୍ପରା ଥିବାରୁ ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ ଅଗ୍ନିସମ କର୍ମଚାରୀ, ଲାଇଫ ଗାର୍ଡ ଉପସ୍ଥିତ ଥିଲେ। ବଡ଼ ଦାଣ୍ଡରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଗାଡି, ପାଣି ଟ୍ୟାଙ୍କର ସେବା ଲୋକଙ୍କ ପାଇଁ ମଧ୍ୟ ଥିଲା।
ଆଜି ଭୋର ଦୁଇଟା ପରେ ଶ୍ରୀମନ୍ଦିର ଦ୍ୱାର ଫିଟା ସମେତ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।
ସକାଳେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ସୁନା ବେଶ ତଥା ରାଜ ରଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶରେ ସକାଳ ଧୂପ, ବାଳ ଧୂପ ଓ ମଧ୍ୟାନ ଧୂପ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭକ୍ତ ମାନେ ଏହି ବେଶ ଦର୍ଶନର ଆନନ୍ଦ ଲାଭ କହିଛନ୍ତି।
