ଭୁବନେଶ୍ୱର : ସଚିବାଳୟ ସେବା ବର୍ଗର ୨୧୭ ଡେସ୍କ ଅଫିସର ପଦବୀକୁ ପଦୋନ୍ନତି ନେଇ ଲୋକସେବା ଭବନରେ ଦୁଇ ବର୍ଗର
କର୍ମଚାରୀଙ୍କ ମଧ୍ୟରେ ଆଇନ୍ର ଲଢେଇ ଚାଲିଥିବାବେଳେ ସଚିବାଳୟ ସେବା ସଂଘର ନେତାମାନେ କରଛଡା ଦେବା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ବିଳମ୍ବରେ ହେଲେ ହେଁ ଏହି ପଦୋନ୍ନତି ପାଇଁ ଗତମାସ ୨୫ ତାରିଖରେ ପଦୋନ୍ନତି କମିଟିର ବୈଠକ ବସିଥିଲା । ସେକ୍ସନ ଅଫିସରଙ୍କ ପଦକ୍ରମ ତାଲିକାର ସର୍ବାଗ୍ରେ ଥିବା ୩୭ ଜଣ ଅନୁସୂଚିତ ଜାତି ବର୍ଗର କର୍ମଚାରୀଙ୍କର ଅଣସଂରକ୍ଷିତ ପଦବୀ ବିପକ୍ଷରେ ପଦୋନ୍ନତି ଦାବି କରିବା ଓ କମିଟି ସେହି ଅନୁସାରେ ବିଚାର କରିବାକୁ ନେଇ ସାଧାରଣବର୍ଗ ଏବଂ ଅନୁସୂଚିତ ଜାତି ବର୍ଗଙ୍କ ମଧ୍ୟରେ ଆଇନ୍ର ତର୍ଜମା ଚାଲିଛି ।
ଉଭୟ ପକ୍ଷ ନିଜ ନିଜ ସପକ୍ଷରେ ଯୁକ୍ତି ବାଢି ଗୃହ ରାଷ୍ଟ୍ରମବୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, କମିଟିର ସଦସ୍ୟ ମାନଙ୍କୁ ଭେଟୁଥିବାବେଳେ ସଂଘର ନେତା କିନ୍ତୁ ଧରାଛୁଆଁ ଦେଉନାହାଁନ୍ତି । ଅନୁସୂଚିତ ଜାତି ବର୍ଗର କର୍ମଚାରୀମାନେ ସରକାର ମାନ୍ୟବର ସୁପ୍ରିମ୍କୋର୍ଟଙ୍କର ଆର.କେ.ସବରୱାଲ୍ ବନାମ ପଞ୍ଜାବ
ରାଜ୍ୟ ସରକାର ଓ ଏମ୍.ନାଗରାଜ ବନାମ ଭାରତ ସରକାର ମାମଲାରେ ଦେଇଥିବା ରାୟ ଉଲ୍ଲଙ୍ଘନ କରୁଥିବାର ଅଭିଯୋଗ ଆଣୁଥିବାବେଳେ ସାଧାରଣବର୍ଗର କର୍ମଚାରୀମାନେ ଏହି ଦୁଇ ରାୟ ଆଧାରରେ ପଦୋନ୍ନତି ଦେବାକୁ ଦାବି କରୁଛନ୍ତି । ଏହି ବିପରୀତଧର୍ମୀ ଯୁକ୍ତିକୁ ନେଇ ଏବେ ପ୍ରଶ୍ନ ଉଠୁଛି ଯେ ଲୋକସେବାଭବନରେ କାମ କରୁଥିବା ଏହି କର୍ମଚାରୀମାନଙ୍କ ମଧ୍ୟରୁ ଆଇନ୍କୁ କିଏ ଠିକ୍ ଭାବେ ବୁଝିଛନ୍ତି ? ଏପରି ବିପରୀତ ଧର୍ମୀ କର୍ମଚାରୀଙ୍କ ହାତରେ ରାଜ୍ୟର ଅନ୍ୟ କର୍ମଚାରୀଙ୍କର ଚାକିରି ସର୍ତ୍ତାବଳୀ କିଭଳି ସୁରକ୍ଷିତ ତାହା ଉପରେ ମଧ୍ୟ ପ୍ରଶ୍ନ ଉଠିଲାଣି ।
କେବଳ ସେତିକି ନୁହେଁ ଗୃହ ବିଭାଗର କର୍ମଚାରୀ ଓ କେତେକ ଅଧିକାରୀଙ୍କର ଆଇନ୍ର ତର୍ଜମା, ସରକାରଙ୍କ ପୂର୍ବ ନିଷ୍ପତ୍ତି ଓ ସରକାର ବିଭିନ୍ନ ଅଦାଲତରେ ରଖିଥିବା ମତକୁ ଠିକଣା ଭାବେ ଉପସ୍ଥାପନା ନକରିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶକ୍ରମେ ବିଧି ବିଭାଗ ଏହି ବିଷୟ ଉପରେ ତାଙ୍କର ମତ ରଖିଛନ୍ତି । ତଥାପି ଅଙ୍କ ଛିଡୁ ନାହିଁ । ତେବେ ଇତି ମଧ୍ୟରେ ଏହି ମାମଲା ବିଧାନସଭାରେ ଉଠିଲାଣି । ଇତି ମଧ୍ୟରେ ୨୦ଦିନ ବିତିଯାଇଥିଲେ ହେଁ ସମସ୍ୟାର ସମାଧାନ ହୋଇପାରୁନାହିଁ । ସଂଘ ନେତା ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଉନଥିବା କର୍ମଚାରୀମାନେ ଅଭିଯୋଗ କରୁଛନ୍ତି ।
ହେଉଥିବା ଆଲୋଚନା ଅନୁଯାୟୀ ସଂଘର ସାଧାରଣ ସମ୍ପାଦକ
ପଦବୀର ନିରପେକ୍ଷତା ବଜାୟ ନରଖି ଗୋଟିଏ ବର୍ଗ ପାଇଁ ଗୃହ ବିଭାଗ ଠାରୁ ଆରମ୍ଭକରି ମୁଖ୍ୟ ଶାସନ ସଚିବ, କମିଟିର ଅନ୍ୟାନ୍ୟ ସଦସ୍ୟ, ବିଧାୟକ, ମନ୍ତ୍ରୀଙ୍କ ପାଖକୁ ଦଉଡୁଥିବାବେଳେ ସଭାପତିଙ୍କର ଦେଖା ଦର୍ଶନ ମିଳୁନାହିଁ । ଫଳରେ ଅନ୍ୟ ଗୋଷ୍ଠି ଏବେ ସଭାପତିଙ୍କ ଉପରେ ଖପ୍ପା । ସେମାନଙ୍କର କହିବା କଥା ଯେ ସାଧାରଣ ସମ୍ପାଦକ ଯଦି ଗୋଟିଏ ବର୍ଗ ପାଇଁ ପଦବୀର ଅପବ୍ୟବହାର କରି କାମଦାମ ଛାଡି ଦଉଡୁଛନ୍ତି ତେବେ ଏଭଳି ସ୍ଥିତିରେ ସଭାପତି ଅନ୍ୟ ବର୍ଗକୁ ସୁରକ୍ଷା ନଦେଇ ନିରବ ରହିବା ଏବେ ସେମାନଙ୍କୁ ହତାଶ କରିଛି ।
ଲୋକସେବା ଭବନରେ ଦୁଇ ବର୍ଗର କର୍ମଚାରୀଙ୍କ ମଧ୍ୟରେ ଏଭଳି ଛକାପଞ୍ଝା ଚାଲିଥିବାବେଳେ କର୍ମଚାରୀ ନେତା ଦେଖାଦର୍ଶନ ନଦେବା ଓ ଯିଏ ରହିଲେ ସିଏ ନିଜ ବର୍ଗ ପାଇଁ ଅଣ୍ଟାଭିଡିବା ଏବେ ନେତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଲାଣି । ଗୋଟିଏ ବର୍ଗ ସାଧାରଣ ସମ୍ପାଦକଙ୍କ ସହଯୋଗ ପାଇଁ ସୁବିଧାଜନକ ସ୍ଥିତିରେ ଥିବାବେଳେ ଅନ୍ୟ ବର୍ଗର କର୍ମଚାରୀ ସମସ୍ୟା ଭିତରେ ନିଜର ହକ୍ ହରାଇବାର ଆଶଙ୍କାରେ ଅଛନ୍ତି । ଏଭଳି ସ୍ଥଳେ ସେମାନଙ୍କ ନିକଟରେ ସଭାପତି ଛିଡା ନହେବାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ।
ତେବେ ସମୟ ଅବଧି ପରେ ପଦବୀକୁ ଜାବୁଡି ଧରିଥିବା ସଂଘ ନେତା ଏବେ ପଦୋନ୍ନତିର ଏହି ଆଇନ୍ ଲଢେଇ ସମୟରେ ଖସିବା ଚର୍ଚ୍ଚାର ବିଷୟ ହୋଇଛି ।
